ବାଲିଗୁଡ଼ା : ୧୩/୧୦: ସୁକାନ୍ତ କୁମାର ତ୍ରିପାଠୀ ଶିକ୍ଷା ସହିତ କଳା, ସଂସ୍କୃତି ଓ ସୃଜନଶୀଳତାର ବିକାଶ ଲକ୍ଷ୍ୟରେ ବାଲିଗୁଡ଼ା ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଉତ୍ସାହ ଓ ଉଦ୍ଦୀପନାର ସହ ଆୟୋଜିତ ହୋଇଯାଇଛି। ଏହି ମହୋତ୍ସବରେ ୧୦ଟି ବିଦ୍ୟାଳୟ ଓ ୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାୟ ୨୫୦ ଜଣ ଛାତ୍ରଛାତ୍ରୀ ଭାଗନେଇ ନିଜର ଅନ୍ତର୍ନିହିତ ପ୍ରତିଭାର ପରିଚୟ ଦେଇଥିଲେ।ଉଦ୍ଘାଟନୀ ସମାରୋହରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ବାଗ ମୁଖ୍ୟ ଅତିଥି ଏବଂ ସିଡିପିଓ ଇନ୍ଦିରା ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସେମାନେ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ, ଆତ୍ମବିଶ୍ୱାସ ବୃଦ୍ଧି ଓ ପ୍ରତିଯୋଗିତା ମନୋଭାବ ସୃଷ୍ଟି କରିବାରେ ‘ସୁରଭି’ ଭଳି କାର୍ଯ୍ୟକ୍ରମର ଗୁରୁତ୍ୱ ରହିଥିବା ପ୍ରକାଶ

କରିଥିଲେ।ଏହି ମହୋତ୍ସବରେ ଉପକନିଷ୍ଠ, କନିଷ୍ଠ, ବରିଷ୍ଠ ଓ ଉଚ୍ଚ ମାଧ୍ୟମିକ ଆଦି ଚାରିଟି ବର୍ଗରେ ମୋଟ ୩୬ଟି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତିଯୋଗିତାଗୁଡ଼ିକର ମୂଲ୍ୟାୟନ ପାଇଁ ୩୦ ଜଣ ବିଚାରକ ନିୟୋଜିତ ହୋଇଥିଲେ। ଛାତ୍ରଛାତ୍ରୀମାନେ ବିଭିନ୍ନ ବିଭାଗରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ସହ ଅନ୍ୟମାନଙ୍କ ପ୍ରତିଭାକୁ ଜାଣିବା ଏବଂ ନୂତନ ଅନୁଭୂତି ହାସଲ କରିବାର ସୁଯୋଗ ପାଇଥିଲେ।ଉଦ୍ଯାପନୀ ସମାରୋହରେ ଅବସରପ୍ରାପ୍ତ ଅଧ୍ୟାପକ ଡ. ମଧୁସୂଦନ ମହାପାତ୍ର ମୁଖ୍ୟ ଅତିଥି, ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର ଅଧ୍ୟାପକ ହିମାଂଶୁ ଚରଣ ସାହୁ ମୁଖ୍ୟବକ୍ତା ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମଲୋଚନ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସେମାନେ ଶିକ୍ଷା ସହିତ ସାଂସ୍କୃତିକ ଓ ସୃଜନଶୀଳ କାର୍ଯ୍ୟକଳାପର ସମନ୍ୱୟ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶରେ

ସହାୟକ ହୋଇଥାଏ ବୋଲି ମତ ପ୍ରକାଶ କରିଥିଲେ।ଉଦ୍ଯାପନୀ ସଭାରେ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୟାନିଧି ମହାରଣା ସଭାପତିତ୍ୱ କରିଥିଲେ। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୌଦାମିନୀ ସାହୁ ସଭା ପରିଚାଳନା କରିଥିବାବେଳେ ମଦନ ମୋହନ ପଣ୍ଡା ଅତିଥି ପରିଚୟ ପ୍ରଦାନ ଏବଂ ଅମୂଲ୍ୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।’ସୁରଭି’ ମହୋତ୍ସବ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳିବା ସହ ଆତ୍ମବିଶ୍ୱାସ ବୃଦ୍ଧି ଓ ଭବିଷ୍ୟତରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରେରଣା ମିଳିଥିଲା।
