ଚିକିଟି, ଗଞ୍ଜାମ ଜ଼ିଲ୍ଲା | ଜଗନ୍ନାଥ ନାୟକ||ଚିକିଟି ଅଞ୍ଚଳର ଧାନଘର ନିକଟସ୍ଥ ପାହାଡ଼ ଉପରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ଶ୍ରୀ ଶ୍ରୀ ମା’ବାଳ କୁମାରୀଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହେଉଛି। ନବରାତ୍ରର ଦ୍ୱିତୀୟ ଦିବସରେ ମା’ ଶାନ୍ତ, ସୌମ୍ୟ ଓ ତପସ୍ୱିନୀ ସ୍ୱରୂପା ମା’ ବ୍ରହ୍ମଚାରିଣୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି।ମା’ଙ୍କ ଏହି ମନୋରମ ବେଶ ଦର୍ଶନ କରିବା ସହ ପୂଜାର୍ଚ୍ଚନା ଓ ଆଧ୍ୟାତ୍ମିକ ସାଧନାରେ ସାମିଲ ହେବା ପାଇଁ ପୀଠରେ ଭକ୍ତଙ୍କ ସମାଗମ ହୋଇଥିଲା।ପ୍ରାତଃକାଳରୁ ମା’ଙ୍କ ସ୍ନାନ, ମାଜଣା ଓ ବିଶେଷ ସୂର୍ଯ୍ୟପୂଜା ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଗୁପ୍ତ ନୀତି ସମ୍ପାଦନ କରାଯାଇଥିଲା। ଏହାପରେ ମା’ଙ୍କୁ ଶ୍ୱେତବସ୍ତ୍ର, ବହୁମୂଲ୍ୟ ମାଳା ଓ ବିଭିନ୍ନ ପ୍ରକାରର ପୁଷ୍ପରେ ସୁସଜ୍ଜିତ କରାଯାଇଥିଲା। ମନ୍ତ୍ରୋଚ୍ଚାରଣ ଓ ପାରମ୍ପରିକ ପୂଜାବିଧି ମଧ୍ୟରେ ମା’ଙ୍କ ବ୍ରହ୍ମଚାରିଣୀ ବେଶ ଅତ୍ୟନ୍ତ ମନୋରମ ଦେଖାଯାଉଥିଲା।

ପୁଷ୍ପମାଳା, ଚନ୍ଦନ, ଧୂପ ଓ ଦୀପର ସୁଗନ୍ଧରେ ସମଗ୍ର ପୀଠ ଏକ ପବିତ୍ର ଓ ଆଧ୍ୟାତ୍ମିକ ପରିବେଶରେ ପରିପୂର୍ଣ୍ଣ ହୋଇଉଠିଥିଲା।ଆଧ୍ୟାତ୍ମିକ ମତ ଅନୁଯାୟୀ, ନବରାତ୍ରର ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କ ଉପାସନା ଦ୍ୱାରା ସାଧକଙ୍କ ମନରେ ତପସ୍ୟା, ତ୍ୟାଗ, ସଂଯମ, ଧୈର୍ଯ୍ୟ ଓ ସଦାଚାରର ଭାବନା ଜାଗ୍ରତ ହୁଏ। ମା’ଙ୍କ କୃପାରେ ଭକ୍ତଙ୍କ ଜୀବନରେ ଆଧ୍ୟାତ୍ମିକ ଶାନ୍ତି ଓ ଆତ୍ମବଳ ବୃଦ୍ଧି ପାଏ ବୋଲି ଶ୍ରଦ୍ଧାଳୁମାନଙ୍କ ବିଶ୍ୱାସ।ଏହି ପବିତ୍ର ଅବସରରେ ବହୁ ଶ୍ରଦ୍ଧାଳୁ ମା’ଙ୍କ ଦିବ୍ୟ ବେଶ ଦର୍ଶନ କରି ଭକ୍ତିଭାବରେ ପୂଜାର୍ଚ୍ଚନା କରିଥିଲେ ଏବଂ ମା’ଙ୍କ ଆଶୀର୍ବାଦ କାମନା କରିଥିଲେ।
