ନୂଆସାହିରେ ମା’ ଜୟ ଦୁର୍ଗାଙ୍କ ମହାଷ୍ଟମୀ ପୂଜା, ଅନ୍ନପ୍ରସାଦ ପାଇଲେ ଶ୍ରଦ୍ଧାଳୁ
ବାଲିଗୁଡ଼ା, ୧୯/୧୦ (ସୁକାନ୍ତ କୁମାର ତ୍ରିପାଠୀ): ଶଙ୍ଖଧ୍ୱନି, ଘଣ୍ଟଘଣ୍ଟାର ନାଦ ଓ ମା’ଙ୍କ ଜୟଧ୍ୱନିରେ ଭକ୍ତିମୟ ହୋଇଉଠିଛି ବାଲିଗୁଡ଼ା ସହରର ନୂଆସାହି ଅଞ୍ଚଳ। ଏଠାରେ ଆରାଧ୍ୟା ଦେବୀ ମା’ ଜୟ ଦୁର୍ଗାଙ୍କ ଶାରଦୀୟ ଦୁର୍ଗାପୂଜା ମହୋତ୍ସବ ଧାର୍ମିକ ଉତ୍ସାହ ଓ ଆନନ୍ଦର ସହ ପାଳିତ ହେଉଛି। ମହାଷ୍ଟମୀ ଅବସରରେ ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଶ୍ରଦ୍ଧାଳୁଙ୍କ ନିମନ୍ତେ ଅନ୍ନପ୍ରସାଦ ବଣ୍ଟନର ବ୍ୟବସ୍ଥା ହୋଇଥିଲା।ସକାଳଠାରୁ ପୂଜାମଣ୍ଡପରେ ଭକ୍ତଙ୍କ ଆଗମନ ଲାଗି ରହିଥିବା ବେଳେ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରି ଶ୍ରଦ୍ଧାଳୁମାନେ ଆଶୀର୍ବାଦ ଭିକ୍ଷା କରିଥିଲେ। ଅନ୍ନପ୍ରସାଦ ସେବନ ମାଧ୍ୟମରେ ଭକ୍ତମାନେ

ଆଧ୍ୟାତ୍ମିକ ତୃପ୍ତି ଲାଭ କରିଥିଲେ। ନୂଆସାହି ଗ୍ରାମ୍ୟ କମିଟି ପକ୍ଷରୁ ପାରମ୍ପରିକ ପଦ୍ଧତିରେ ଏହି ପୂଜାର ଆୟୋଜନ କରାଯାଇଥିବାରୁ ସମଗ୍ର ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି।ପୂଜା କାର୍ଯ୍ୟକ୍ରମ ଅନୁସାରେ, ଅକ୍ଟୋବର ୧୮ ତାରିଖରେ ମହାଷ୍ଟମୀ ପୂଜା ଓ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିବା ବେଳେ ଅକ୍ଟୋବର ୧୯ ତାରିଖରେ ମହାନବମୀ ପୂଜା ସହ ରାତିରେ ସନ୍ଧିପୂଜା କରାଯିବ। ଅକ୍ଟୋବର ୨୦ ତାରିଖରେ ବିଜୟାଦଶମୀ ଓ ଅପରାଜିତା ପୂଜା ପରେ ପାରମ୍ପରିକ ରୀତିରେ ମା’ଙ୍କ ପ୍ରତିମା ବିସର୍ଜନ କରାଯିବ।ଏହି ଧାର୍ମିକ ମହୋତ୍ସବକୁ ସୁଚାରୁ ରୂପେ ପରିଚାଳନା କରିବାରେ ନୂଆସାହି ଗ୍ରାମ୍ୟ

କମିଟିର ସଦସ୍ୟମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି। କମିଟିର ଉପଦେଷ୍ଟା ବିରୁପାକ୍ଷ ଦାଶ ଓ ମୁକୁନ୍ଦ ପାତ୍ର, ସଭାପତି ଜଳେନ୍ଦ୍ର ପାତ୍ର, ଉପସଭାପତି ଗୋପବନ୍ଧୁ ବିଷୋୟୀ, ସମ୍ପାଦକ ସୁବ୍ରତ ପ୍ରଧାନୀ ଏବଂ ମନ୍ଦିର ପୂଜକ ବିଭୀଷଣ ପାତ୍ରଙ୍କ ସହ ସଞ୍ଜୟ ପାତ୍ର, ଜଗନ୍ନାଥ ପାତ୍ର, ଉପେନ୍ଦ୍ର ବିଷୋୟୀ, ଗଙ୍ଗାଧର ଭୋଇ, ଅଶୋକ ସାହୁ, ଧର୍ମେନ୍ଦ୍ର ପାତ୍ର ଓ ବୁଲୁ ଡାକୁଆ ପ୍ରମୁଖ ପୂଜା ଆୟୋଜନରେ ସହଯୋଗ କରିଛନ୍ତି।ମା’ ଜୟ ଦୁର୍ଗାଙ୍କ ପୂଜା ମାଧ୍ୟମରେ ନୂଆସାହିରେ ଧାର୍ମିକ ଭାବନା ସହ ସାମାଜିକ ଏକତା, ପରସ୍ପର ପ୍ରତି ସହଯୋଗ ଓ ଭାଇଚାରାର ବାର୍ତ୍ତା ପ୍ରସାରିତ ହେଉଛି।

