ଶ୍ରଦ୍ଧାଳୁଙ୍କ ସମାଗମରେ ଚଳଚଞ୍ଚଳ ମା’ ଟିକାଚନ୍ଦ୍ରୀଙ୍କ ଶକ୍ତିପୀଠ

ଦିଗପହଣ୍ଡି | ଗଞ୍ଜାମ ଜ଼ିଲ୍ଲା | ଜଗନ୍ନାଥ ନାୟକ || ଗଞ୍ଜାମ ଜିଲ୍ଲାର ଅନ୍ୟତମ ଶକ୍ତିପୀଠ ଭାବେ ପରିଚିତ ମା’ ଟିକାଚନ୍ଦ୍ରୀଙ୍କ ପୀଠରେ ନବରାତ୍ର ପୂଜା ଅବସରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଦିଗପହଣ୍ଡି ଅଞ୍ଚଳର ଖମାରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋଲଣ୍ଡା ଗ୍ରାମ ନିକଟସ୍ଥ ଟିକାଚନ୍ଦ୍ରୀ ପାହାଡ଼ ଶୀର୍ଷରେ ବିରାଜମାନ ମା’ଙ୍କ ନବରାତ୍ର ପୂଜା ରବିବାରଠାରୁ ପାହାଡ଼ ପାଦଦେଶରେ ଆରମ୍ଭ ହୋଇଛି। ମଙ୍ଗଳବାର ଦିନ ମା’ ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଇଥିଲେ। ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହେବାରୁ ସମଗ୍ର ପୀଠ ଚଳଚଞ୍ଚଳ ହୋଇଉଠିଥିଲା।

ଶ୍ରଦ୍ଧାଳୁଙ୍କ ସମାଗମରେ ଚଳଚଞ୍ଚଳ ମା’ ଟିକାଚନ୍ଦ୍ରୀଙ୍କ ଶକ୍ତିପୀଠ

କିମ୍ବଦନ୍ତୀ ଅନୁଯାୟୀ, ପୂର୍ବରୁ ମା’ ଟିକାଚନ୍ଦ୍ରୀ ପାହାଡ଼ର ଏକ ଗୁମ୍ଫାରେ ବିରାଜମାନ କରୁଥିଲେ। ସେଠାରେ ସାଧୁସନ୍ଥମାନେ ମା’ଙ୍କ ପୂଜାର୍ଚ୍ଚନା କରୁଥିଲେ। ପ୍ରାୟ ୬ ବର୍ଷ ପୂର୍ବେ ପାହାଡ଼ ପାଦଦେଶରେ ମା’ଙ୍କ ମନ୍ଦିର ପ୍ରତିଷ୍ଠା ନେଇ ଜଣେ ସେବକଙ୍କୁ ସ୍ୱପ୍ନାଦେଶ ହୋଇଥିବା କୁହାଯାଏ।ଏହି ଖବର ପ୍ରଚାରିତ ହେବା ପରେ ଗୋଲଣ୍ଡା ସମେତ ଆଖପାଖ ଗ୍ରାମର ଲୋକମାନେ ଏକତ୍ରିତ ହୋଇ ପାହାଡ଼ ପାଦଦେଶରେ ଏକ ଅସ୍ଥାୟୀ ଚାଳଛପର ଘର ନିର୍ମାଣ କରିଥିଲେ। ସେଠାରେ ମା’ଙ୍କ ନିତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ଆରମ୍ଭ ହେବା ସହ ପ୍ରଥମଥର ପାଇଁ ନବରାତ୍ର ପୂଜା ଅନୁଷ୍ଠିତ ହୋଇଥିଲା।ପରବର୍ତ୍ତୀ ସମୟରେ ସେଠାରେ ମା’ଙ୍କ ଏକ ନୂତନ ମନ୍ଦିର ନିର୍ମାଣ କରାଯାଇଥିଲା। ଏହାପରଠାରୁ ପ୍ରତିବର୍ଷ ନବରାତ୍ର ଅବସରରେ ନଅ ଦିନ ଧରି ମା’ ଟିକାଚନ୍ଦ୍ରୀଙ୍କ ପୂଜା ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରାଯାଇଆସୁଛି।ନବରାତ୍ର ପୂଜା ଅବସରରେ ପ୍ରତିଦିନ ବିଭିନ୍ନ ପଣ୍ଡିତଙ୍କ ପୌରୋହିତ୍ୟରେ ଚଣ୍ଡୀଯଜ୍ଞ ଓ ଘୃତଯଜ୍ଞ ଆଦି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ସନ୍ଧ୍ୟା ସମୟରେ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ମା’ଙ୍କ ସନ୍ଧ୍ୟା ଆଳତି ଦର୍ଶନ କରୁଛନ୍ତି। ଏଥିସହ ଆୟୋଜିତ ଦାଣ୍ଡିଆ ନୃତ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ବିଶେଷ ଆକର୍ଷଣ ପାଲଟିଛି।ଏହି ଧାର୍ମିକ କାର୍ଯ୍ୟକ୍ରମରେ ଶ୍ରୀନିବାସ ପ୍ରସାଦ ଓ ତାଙ୍କ ସହଧର୍ମିଣୀ ଯଜ୍ଞକର୍ତ୍ତା ଭାବେ ଆସନ ଅଳଙ୍କୃତ କରିଥିଲେ। ଗୋଲଣ୍ଡା ଗ୍ରାମ୍ୟ କମିଟିର ସଭାପତି ଲୋକନାଥ କରଙ୍କ ସମେତ ସରପଞ୍ଚ ଜୟଲକ୍ଷ୍ମୀ ଗୌଡ଼, କମିଟି ସଭାପତି ଚିତ୍ରସେନ ଗୌଡ଼, କୋଷାଧ୍ୟକ୍ଷ ରଞ୍ଜନ କୁମାର ପାଣିଗ୍ରାହୀ, ଉପସଭାପତି ଶିବାନନ୍ଦ ପାଣିଗ୍ରାହୀ ଓ ସମ୍ପାଦକ ବୃନ୍ଦାବନ ଗୌଡ଼ଙ୍କ ସମେତ ଗ୍ରାମ୍ୟ କମିଟିର ସଦସ୍ୟମାନେ ପୂଜା ପରିଚାଳନାରେ ସହଯୋଗ କରିଥିଲେ।ଏଥିରେ ଗୋଲଣ୍ଡା, ବାଲିଘାଇ, ଗୁଣ୍ଡୁରିଗୁଡ଼ା, ସେବକ ଟିକାରପଡ଼ା, ବୋରିପଦର ସମେତ ଆଖପାଖ ଗ୍ରାମର ବହୁ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ଯୋଗଦେଇଥିଲେ l

ଶ୍ରଦ୍ଧାଳୁଙ୍କ ସମାଗମରେ ଚଳଚଞ୍ଚଳ ମା’ ଟିକାଚନ୍ଦ୍ରୀଙ୍କ ଶକ୍ତିପୀଠ

Smart Computer Ad
You might also like
error: Content is protected !!