ଭାରରେ ବୁହା ହେଉଛନ୍ତି ରୋଗୀ, କେବେ ସୁଧୁରିବ ଡେମାଗୁଡ଼ି ରାସ୍ତା?

ଚନ୍ଦ୍ରପୁର,(କୈଳାସ ମାଳବିଶୋଇ):-

ଆମ୍ବୁଲାନ୍ସ ପହଞ୍ଚିବା ଅସମ୍ଭବ, ଜୀବନ ବଞ୍ଚାଇବାକୁ ଭରସା ପାଲଟିଛି ଭାର ୩୫ ଆଦିବାସୀ ପରିବାରଙ୍କ ଦୁର୍ଦ୍ଦଶା ଶୁଣିବ କି ପ୍ରଶାସନ?ଚନ୍ଦ୍ରପୁର, ରାସ୍ତା ଅଛି, ହେଲେ ଯାତାୟାତ ଯୋଗ୍ୟ ନୁହେଁ। ଗାଁକୁ ଆମ୍ବୁଲାନ୍ସ ଆସିପାରୁନି, ଫଳରେ ଅସୁସ୍ଥ ରୋଗୀ ଓ ଗର୍ଭବତୀଙ୍କୁ ଭାରରେ ବୋହି ମେଡିକାଲ ନେବାକୁ ପଡ଼ୁଛି। ଏଭଳି ଦୁର୍ଦ୍ଦଶାର ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍‌ର ବୁଡୁବାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡେମାଗୁଡ଼ି ଗାଁରେ। ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଏକ ଗାଁର ଲୋକଙ୍କୁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇଁ ଏପରି ସଂଘର୍ଷ କରିବାକୁ ପଡ଼ୁଥିବା ଘଟଣା ଗ୍ରାମାଞ୍ଚଳର ରାସ୍ତା ଭିତ୍ତିଭୂମିକୁ ନେଇ ଅନେକ ପ୍ରଶ୍ନ ଉଠାଇଛି। ସୂଚନା ଅନୁଯାୟୀ, ଚନ୍ଦ୍ରପୁର ବ୍ଲକ୍ ସଦର ମହକୁମାଠାରୁ ପ୍ରାୟ ୩୬ କିଲୋମିଟର ଏବଂ ବୁଡୁବାଲି ପଞ୍ଚାୟତ ସଦରଠାରୁ ପ୍ରାୟ ୨୨ କିଲୋମିଟର ଦୂରରେ ଅବସ୍ଥିତ ଡେମାଗୁଡ଼ି ଗାଁ। କନ୍ଧମାଳ ଜିଲ୍ଲା ସୀମାନ୍ତରେ ଥିବା ଏହି ଗାଁରେ ପ୍ରାୟ ୩୫ଟି ଆଦିବାସୀ ପରିବାର ବସବାସ କରୁଛନ୍ତି। ଗାଁକୁ ଯିବା ପାଇଁ ଥିବା ପ୍ରାୟ ୬ କିଲୋମିଟର ରାସ୍ତା ଏବେ ଗ୍ରାମବାସୀଙ୍କ ପାଇଁ ଗୁରୁତର ସମସ୍ୟା ପାଲଟିଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କାମ୍ବିଗୁଡ଼ା ଛକଠାରୁ ଡେମାଗୁଡ଼ି ପର୍ଯ୍ୟନ୍ତ ପାହାଡ଼ କାଟି ରାସ୍ତା ନିର୍ମାଣ କରାଯାଇଥିଲା। କିନ୍ତୁ ସମୟ ବିତିବା ସହ ରାସ୍ତାର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡ଼ିଛି। ଅନେକ ସ୍ଥାନରେ ପିଚୁ ଉଠିଯାଇ ବଡ଼ବଡ଼ ଖାଲଖମା ସୃଷ୍ଟି ହୋଇଛି। ପାହାଡ଼ିଆ ରାସ୍ତାରେ ଯାତାୟାତ ବିପଦପୂର୍ଣ୍ଣ ହୋଇପଡ଼ିଥିବାରୁ ଚାରିଚକିଆ ଗାଡ଼ି, ଏପରିକି ଆମ୍ବୁଲାନ୍ସ ମଧ୍ୟ ଗାଁ ପର୍ଯ୍ୟନ୍ତ ପହଞ୍ଚିପାରୁନାହିଁ। ରୋଗୀଙ୍କ ପାଇଁ ଭାର ହିଁ ଏକମାତ୍ର ଭରସା ରାସ୍ତାର ଦୟନୀୟ ଅବସ୍ଥା ଯୋଗୁଁ ଗାଁରେ କେହି ଅସୁସ୍ଥ ହେଲେ ତାଙ୍କୁ ମେଡିକାଲ ନେବା ଗ୍ରାମବାସୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟୁଛି। ରୋଗୀ ଓ ଗର୍ଭବତୀଙ୍କୁ ଭାରରେ ବୋହି ଦୀର୍ଘ ଦୂର ଅତିକ୍ରମ କରିବା ପରେଯାଇ ଆମ୍ବୁଲାନ୍ସର ସହାୟତା ମିଳୁଛି। ଏହି ପରିସ୍ଥିତିରେ ଜରୁରୀକାଳୀନ ଚିକିତ୍ସା ପାଇବାରେ ବିଳମ୍ବ ହେବାର ଆଶଙ୍କା ରହୁଛି। ଗତ ଦୁଇ ଦିନ ତଳେ ଗାଁର ସୁରେନ୍ଦ୍ର ଗୁଲୁଡ଼ାକା ଅସୁସ୍ଥ ହୋଇପଡ଼ିବାରୁ ଗ୍ରାମବାସୀ ତାଙ୍କୁ ଭାରରେ ବୋହି କନ୍ଧମାଳ ଜିଲ୍ଲାର ଗରଡ଼ମା ଅଞ୍ଚଳକୁ ନେଇ ଚିକିତ୍ସା କରାଇଥିଲେ। ଶନିବାର ପୁଣି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଗ୍ରାମବାସୀ ଭାରରେ ବୋହି ପୁକୁରା ଗାଁ ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ଆମ୍ବୁଲାନ୍ସଯୋଗେ ତାଙ୍କୁ ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣା ଗାଁର ରାସ୍ତା ସମସ୍ୟା କେତେ ଗମ୍ଭୀର, ତାହା ସ୍ପଷ୍ଟ କରୁଛି। ଦାବି ପରେ ବି ମରାମତି ନେଇ ଅସନ୍ତୋଷ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ରାସ୍ତାର ଅବସ୍ଥା ସୁଧାରିବା ପାଇଁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ଏଯାଏଁ ଆବଶ୍ୟକ ପଦକ୍ଷେପ ନିଆଯାଇନାହିଁ। ରାସ୍ତାର ରକ୍ଷଣାବେକ୍ଷଣ ଅବଧି ଶେଷ ହୋଇଯାଇଥିବାରୁ ଏହାର ମରାମତି ଓ ନିୟମିତ ରକ୍ଷଣାବେକ୍ଷଣ ଜରୁରୀ ହୋଇପଡ଼ିଛି। ତଥାପି ରାସ୍ତା ସମସ୍ୟାର ସମାଧାନ ନହେବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଡେମାଗୁଡ଼ି ଗାଁର ୱାର୍ଡ ସଦସ୍ୟ ପ୍ରଶାନ୍ତ ଗୁଲୁଡ଼ାକାଙ୍କ ସମେତ ମଶେ ଗୁଲୁଡ଼ାକା, ରଙ୍ଗେନ୍ଦ୍ର ଗୁଲୁଡ଼ାକା, ସିଟ୍ରି ଗୁଲୁଡ଼ାକା, ତୁହି ଗୁଲୁଡ଼ାକା ଓ ମାଡ଼ିଆନା ଗୁଲୁଡ଼ାକା ପ୍ରମୁଖ ଗ୍ରାମ୍ୟ ଉନ୍ନୟନ ବିଭାଗ ତୁରନ୍ତ ଏହି ରାସ୍ତା ମରାମତି ଦିଗରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଏବେ ପ୍ରଶ୍ନ ଉଠୁଛି—ଦୁର୍ଗମ ଅଞ୍ଚଳର ଲୋକଙ୍କୁ ଜରୁରୀ ସ୍ୱାସ୍ଥ୍ୟସେବା ପାଇଁ ଆଉ କେତେଦିନ ଭାର ଉପରେ ନିର୍ଭର କରିବାକୁ ପଡ଼ିବ? ରାସ୍ତା ମରାମତି ପାଇଁ ସମ୍ପୃକ୍ତ ବିଭାଗ କେବେ ଠୋସ୍ ପଦକ୍ଷେପ ନେବ? ଏହି ଅଞ୍ଚଳର ଲୋକଙ୍କ ଯାତାୟାତ ଓ ସ୍ୱାସ୍ଥ୍ୟସେବା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Smart Computer Ad
You might also like
error: Content is protected !!