ସୁରଭି-୨୦୨୬: କଳବାଡ଼ କ୍ଲଷ୍ଟରରୁ ବ୍ଲକସ୍ତରକୁ ୪୦ରୁ ଅଧିକ ପ୍ରତିଭା

ଚିକିଟି | ଗଂଜାମ ଜ଼ିଲ୍ଲା | ନ୍ୟୁଜ୍ ନର୍ଭ| ଜଗନ୍ନାଥ ନାୟକ ||
ଚିକିଟି ବ୍ଲକ ଅନ୍ତର୍ଗତ କଳବାଡ଼ କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’ କାର୍ଯ୍ୟକ୍ରମରେ ଗୀତ, ନୃତ୍ୟ, କଳା ଓ ସୃଜନଶୀଳତାର ଅପୂର୍ବ ସମାହାର ଦେଖିବାକୁ ମିଳିଛି। ବଡ଼ବରଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ପ୍ରତିଭା ଉତ୍ସବରେ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରୁ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜର ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରୁ ୪୦ରୁ ଅଧିକ ପ୍ରତିଯୋଗୀ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପାଇଁ ମନୋନୀତ ହୋଇଛନ୍ତି।

କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ସିଆରସିସି ସୁଜିତ କୁମାର ପାଢ଼ୀ। ଉଦ୍‌ଘାଟନୀ ସମାରୋହରେ ଚିକିଟି ତହସିଲଦାର ବିଶ୍ୱରଞ୍ଜନ କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବର ଶୁଭାରମ୍ଭ କରିଥିଲେ। ଏବିଇଓ ମେଘନାଥ ବେହେରା ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

ଉଦ୍‌ଯାପନୀ ସମାରୋହରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ବ୍ଲକ ଶିକ୍ଷାଧିକାରୀ ପନ୍ନଗ ଭୂଷଣ ମାଝୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ଶୃଙ୍ଖଳିତ ଜୀବନ, ଗୁଣାତ୍ମକ ଶିକ୍ଷା, ନିୟମିତ ଅଭ୍ୟାସ ଓ ସୃଜନଶୀଳ ଚିନ୍ତାଧାରାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ସୁରଭି ଭଳି କାର୍ଯ୍ୟକ୍ରମ ଶିଶୁମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରିବା ସହ ସେମାନଙ୍କୁ ଉପଯୁକ୍ତ ସୁଯୋଗ ଓ ମାର୍ଗଦର୍ଶନ ପ୍ରଦାନ କରିବାର ଏକ ଉତ୍କୃଷ୍ଟ ମଞ୍ଚ ବୋଲି ସେ ମତବ୍ୟକ୍ତ କରିଥିଲେ।

ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମଧ୍ୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହିତ ଶୃଙ୍ଖଳା, ନୈତିକତା ଓ ନିଜ ପ୍ରତିଭାର ସଠିକ୍ ବିକାଶ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ଜୀବନରେ ସଫଳତା ହାସଲ ପାଇଁ ପରିଶ୍ରମ, ଏକାଗ୍ରତା ଓ ନିରନ୍ତର ଅଭ୍ୟାସ ଅପରିହାର୍ଯ୍ୟ ବୋଲି ସେ କହିଥିଲେ। ଏହିପରି ମଞ୍ଚ ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ୱାସ ଓ ସୃଜନଶୀଳତା ବୃଦ୍ଧି କରିବା ସହ ଭବିଷ୍ୟତର ଲକ୍ଷ୍ୟ ନିର୍ଦ୍ଧାରଣରେ ପ୍ରେରଣା ଯୋଗାଇଥାଏ ବୋଲି ସେ ପ୍ରକାଶ କରିଥିଲେ।

ଏହି ଅବସରରେ ଏବିଇଓ ତ୍ରିନାଥ ମଲ୍ଲିକ, ଏବିଇଓ ନାୟକ ସେଠୀ, ସିଆରସିସି ଏ. ଦମୟନ୍ତୀ, ବି. ଭେଙ୍କଟ ରାଓ, ଏସ୍‌ଏମ୍‌ସି ସଭାପତି ଭୀମସେନ ପାଣିଗ୍ରାହୀ ଓ ପ୍ରାକ୍ତନ ପ୍ରଧାନଶିକ୍ଷକ ମୀନକେତନ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ।

କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜୟରାମ ପଣ୍ଡା, ରଞ୍ଜିତା ଶବର, ଋଷି ପ୍ରଧାନ, ରମାକାନ୍ତ ସାହୁ, ବୈରାଗୀ ବେହେରା, କୃଷ୍ଣଚନ୍ଦ୍ର ବିଷୋୟୀ, ବି. ମୋହନ ରାଓ, ଦେବରାଜ ମଲ୍ଲିକ, ମହାରଣା କିଶୋର ଓ ସଂଗ୍ରାମ କେଶରୀ ପଣ୍ଡାଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।

ମଞ୍ଚ ପରିଚାଳନା ଗୌରୀଶଙ୍କର ସାହୁ, ସମରଥ ବେହେରା ଓ ନୀଳାମ୍ବର ବେହେରା ସୁଚାରୁ ରୂପେ କରିଥିଲେ। ଶେଷରେ କ୍ଲଷ୍ଟରର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ଏହି ପ୍ରତିଭାର ମହୋତ୍ସବ ସଫଳତାର ସହ ସମାପ୍ତ ହୋଇଥିଲା।

advertisement NEWSNERVE LIKE SHARE SUBSCRIBE YOUTUBE CHANNEL

Smart Computer Ad
You might also like
error: Content is protected !!