ବାଲିଗୁଡ଼ାରେ ‘ବେଟି ବଚାଓ, ବେଟି ପଢ଼ାଓ’ ୟୁଥ୍ କନକ୍ଲେଭ୍ବାଳିକାଙ୍କ ଶିକ୍ଷା ଓ ସୁରକ୍ଷା ନେଇ ଯୁବପିଢ଼ିଙ୍କୁ ସଚେତନତାର ବାର୍ତ୍ତା
ବାଲିଗୁଡ଼ା, ୦୯/୧୦ (ସୁକାନ୍ତ କୁମାର ତ୍ରିପାଠୀ): ଝିଅମାନଙ୍କ ଶିକ୍ଷା, ସୁରକ୍ଷା ଓ ସମ୍ମାନଜନକ ଜୀବନ ଗଠନ ସହ ମହିଳା ସଶକ୍ତୀକରଣକୁ ଗୁରୁତ୍ୱ ଦେଇ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ‘ବେଟି ବଚାଓ, ବେଟି ପଢ଼ାଓ’ ୟୁଥ୍ କନକ୍ଲେଭ୍ ଆୟୋଜିତ ହୋଇଯାଇଛି। ବାଲିଗୁଡ଼ା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ସିଡିପିଓ ଇନ୍ଦିରା ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କୁ ବାଳିକାଙ୍କ ଅଧିକାର ଓ ସମାନତା ସମ୍ପର୍କରେ ସଚେତନ କରାଯାଇଥିଲା।ଏହି କନକ୍ଲେଭ୍ରେ ଆଦିବାସୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଆ ବିଭାଗର ଅଧ୍ୟାପିକା ସୁଲୋଚନା କହଁର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଳରାମ ବେହେରା ଓ ପଦ୍ମଲୋଚନ ପଣ୍ଡା ଏବଂ ଅତିରିକ୍ତ ତହସିଲଦାର କବିରାଜ ଆର୍ଯ୍ୟ ଉପସ୍ଥିତ ଥିଲେ।ଆଲୋଚନାରେ ବାଳିକାମାନଙ୍କୁ ଶିକ୍ଷା କ୍ଷେତ୍ରରେ ସମାନ ସୁଯୋଗ

ଦେବା, ବାଲ୍ୟବିବାହ ରୋକିବା, ମହିଳାଙ୍କ ପ୍ରତି ଭେଦଭାବ ଦୂର କରିବା ଏବଂ ସେମାନଙ୍କ ମର୍ଯ୍ୟାଦା ଓ ଅଧିକାରର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଝିଅମାନେ ଶିକ୍ଷିତ ହେଲେ ପରିବାର, ସମାଜ ଓ ଦେଶର ବିକାଶରେ ସେମାନଙ୍କ ଅବଦାନ ବୃଦ୍ଧି ପାଇବ। ଏଥିସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଯୁବସମାଜର ସହଯୋଗ ଅତ୍ୟନ୍ତ ଆବଶ୍ୟକ ବୋଲି ମତପ୍ରକାଶ ପାଇଥିଲା।କାର୍ଯ୍ୟକ୍ରମରେ ସଂଯୋଜକ ଦୀପକ କୁମାର ସାହୁ, ସୁନିତା ପ୍ରଧାନ, ସସ୍ମିତା ପ୍ରଧାନ, ବନବାସୀ ସେବା ସମିତିର କର୍ମକର୍ତ୍ତା, ଆଇସିଡିଏସ୍ର ସମସ୍ତ ସୁପରଭାଇଜର ଓ ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଯୋଗଦେଇଥିଲେ।କନକ୍ଲେଭ୍ର ଶେଷରେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ବାଳିକାଙ୍କ ଶିକ୍ଷା, ସୁରକ୍ଷା ଓ ସମାନ ଅଧିକାରକୁ ନେଇ ଏଭଳି ସଚେତନତା କାର୍ଯ୍ୟକ୍ରମ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ସହ ଏକ ସମାନତାଭିତ୍ତିକ ସମାଜ ଗଠନରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି।
