ବାଲିଗୁଡ଼ା, ୨୨/୧୦ : ସୁକାନ୍ତ କୁମାର ତ୍ରିପାଠୀ : ଶାରଦୀୟ ଦୁର୍ଗାପୂଜା ଅବସରରେ ବାଲିଗୁଡ଼ା ସହରଠାରୁ ଆରମ୍ଭ କରି ଉପକଣ୍ଠ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଭକ୍ତି ଓ ଆଧ୍ୟାତ୍ମିକତାର ମାହୋଲ ସୃଷ୍ଟି ହୋଇଛି। ବିଭିନ୍ନ ଦେବୀପୀଠ ଓ ପୂଜାମଣ୍ଡପରେ ମା’ ଦୁର୍ଗାଙ୍କ ଆରାଧନା ସହ ନବରାତ୍ର ପୂଜା ଓ ଦଶହରା ଉତ୍ସବ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଛି। ମା’ଙ୍କ ଦର୍ଶନ ପାଇଁ ବିଭିନ୍ନ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ହେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାମାଜିକ ନାଟକ ପରିବେଷଣ ଉତ୍ସବର ଆକର୍ଷଣ ବଢ଼ାଇଛି।ବାଲିଗୁଡ଼ାର ଆରାଧ୍ୟା ଦେବୀ ମା’ ପାଟଖଣ୍ଡାଙ୍କ ମନ୍ଦିରରେ ଶ୍ରୀ ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ପକ୍ଷରୁ ନବରାତ୍ର ଉତ୍ସବ ଓ ପ୍ରତିମା ପୂଜା ପାରମ୍ପରିକ ରୀତିନୀତିରେ ସମ୍ପନ୍ନ ହୋଇଛି। ସେହିପରି ମା’ ବରାଳ ଦେବୀଙ୍କ ପୀଠ, ବିରାଗୁଡ଼ାସ୍ଥିତ ନବଦୁର୍ଗା ମନ୍ଦିର, ନୂଆସାହିସ୍ଥିତ ମା’ ଦୁର୍ଗାଦେବୀଙ୍କ ପୀଠ ଏବଂ ଚମ୍ପାସାହିସ୍ଥିତ ମା’ ଡେଙ୍ଗଶୀଳଙ୍କ ପୀଠରେ ମଧ୍ୟ ଦଶହରା ପୂଜା ଆୟୋଜିତ ହୋଇଛି। ବିଦ୍ୟୁତ୍ ବିଭାଗ ପକ୍ଷରୁ ମଧ୍ୟ ପୂଜା ଆୟୋଜନ କରାଯାଇଛି।ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରତିଦିନ ସାଂସ୍କୃତିକ ସନ୍ଧ୍ୟା ଓ ସାମାଜିକ ନାଟକ ମଞ୍ଚସ୍ଥ ହୋଇଥିବାରୁ ଅଞ୍ଚଳରେ ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଛି।ଚଳିତ ବର୍ଷ ମା’ ପାଟଖଣ୍ଡାଙ୍କ ମନ୍ଦିର ପୀଠରେ ରବୀନ କୁମାର ମିଶ୍ର ଓ ନମିତା ମହାପାତ୍ର ପୂଜାକର୍ମର ଦାୟିତ୍ୱ ତୁଲାଉଥିବାବେଳେ ପୂଜାମଣ୍ଡପରେ ସୀତାରାମ ଦାସ ଓ ରୁନି ଦାସ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ପୁରୀରୁ ଆସିଥିବା ହିମାଂଶୁ ଶେଖର ଶତପଥୀ, ଗଞ୍ଜାମ ଜିଲ୍ଲା ଖଟିଆ ରାମଚନ୍ଦ୍ରପୁର ଶାସନର ଚିନ୍ମୟ ଶତପଥୀ ଏବଂ କରପଡ଼ା ଗ୍ରାମର କାହ୍ନୁଚରଣ ପଣ୍ଡା ପୁରୋହିତ ଓ ପୂଜକ ଭାବେ ପୂଜାବିଧି ସମ୍ପନ୍ନ କରୁଛନ୍ତି।ପୂଜାର ବିଭିନ୍ନ ପର୍ଯ୍ୟାୟ ଶେଷ ହେବା ପରେ ଆସନ୍ତା ୨୩ ତାରିଖ ସନ୍ଧ୍ୟାରେ ମା’ଙ୍କ ଭସାଣି ଉତ୍ସବ ଆୟୋଜନ କରାଯିବ। ଏହାକୁ ନେଇ ଶ୍ରଦ୍ଧାଳୁ ଓ ଆୟୋଜକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

