ବାଲିଗୁଡ଼ା, ୨୨/୧୦ : ସୁକାନ୍ତ କୁମାର ତ୍ରିପାଠୀ : ନିଶାମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟରେ ଜନସଚେତନତାକୁ ଗୁରୁତ୍ୱ ଦେଇଛି ବାଲିଗୁଡ଼ା ପୁଲିସ। ଶାରଦୀୟ ଦୁର୍ଗାପୂଜା ଓ ଆରାଧ୍ୟା ମା’ ପାଟଖଣ୍ଡାଙ୍କ ଦର୍ଶନ ପାଇଁ ବିଭିନ୍ନ ପୀଠ ଓ ପୂଜାମଣ୍ଡପକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସମେତ ସାଧାରଣ ଜନତାଙ୍କୁ ନିଶା ସେବନର କୁପରିଣାମ ସମ୍ପର୍କରେ ସଚେତନ କରାଯାଇଛି। ଏଥିସହ ନିଶାମୁକ୍ତ ଓଡ଼ିଶା ଅଭିଯାନର ପ୍ରଚାରପତ୍ର ବଣ୍ଟନ କରି ନିଶାଠାରୁ ଦୂରେଇ ରହିବାକୁ ପୁଲିସ ପକ୍ଷରୁ ଆହ୍ୱାନ ଦିଆଯାଇଛି।ଏହି ସଚେତନତା ଅଭିଯାନରେ ବାଲିଗୁଡ଼ା ଏସ୍ଡିପିଓ ଶୁଭମ ଭୌସଲେ ଓ ଥାନାଧିକାରୀ ସମୀର କୁମାର ବେହେରାଙ୍କ ସମେତ ପୁଲିସ କର୍ମଚାରୀମାନେ ସାମିଲ ହୋଇଥିଲେ। ମା’ ପାଟଖଣ୍ଡାଙ୍କ ମନ୍ଦିର ଓ ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ସମ୍ମୁଖରେ ରହି ସେମାନେ ଶ୍ରଦ୍ଧାଳୁ ଓ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କୁ ସଚେତନତା ପ୍ରଚାରପତ୍ର ବଣ୍ଟନ କରିଥିଲେ। ନିଶା ସେବନ ଦ୍ୱାରା ବ୍ୟକ୍ତି, ପରିବାର ଓ ସମାଜ ଉପରେ ପଡ଼ୁଥିବା କୁପ୍ରଭାବ ବିଷୟରେ ବୁଝାଇବା ସହ ନିଶାମୁକ୍ତ ଜୀବନଯାପନ ପାଇଁ ପରାମର୍ଶ ଦେଇଥିଲେ।ପୁଲିସ ପକ୍ଷରୁ ବଣ୍ଟନ କରାଯାଇଥିବା ପ୍ରଚାରପତ୍ରରେ ମଦ, ଗଞ୍ଜେଇ, ତମାଖୁ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନ ଦ୍ୱାରା ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ନଷ୍ଟ ହେବା ସହ ପାରିବାରିକ ଅଶାନ୍ତି, ଆର୍ଥିକ ସମସ୍ୟା ଓ ସାମାଜିକ ଅବକ୍ଷୟ ଭଳି ସମସ୍ୟା ସୃଷ୍ଟି ହେଉଥିବା ଉଲ୍ଲେଖ ରହିଛି। ବିଶେଷକରି ଯୁବପିଢ଼ିଙ୍କୁ ନିଶା କବଳରୁ ରକ୍ଷା କରିବା ସହ ଏକ ସୁସ୍ଥ ସମାଜ ଗଠନ ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦିଆଯାଇଛି।ପୂଜାପର୍ବର ଆନନ୍ଦମୟ ପରିବେଶ ମଧ୍ୟରେ ଏଭଳି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ବାଲିଗୁଡ଼ା ପୁଲିସ ନିଶାମୁକ୍ତ କନ୍ଧମାଳ ଗଠନ ସହ ସୁସ୍ଥ ଓ ସୁରକ୍ଷିତ ଓଡ଼ିଶା ନିର୍ମାଣର ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ଉଦ୍ୟମ କରିଛି।
