ବାଲିଗୁଡା , ୮/୧୦: ସୁକାନ୍ତ କୁମାର ତ୍ରିପାଠୀ କଂଗ୍ରେସ ନେତୃତ୍ୱାଧୀନ ‘ଇଣ୍ଡିଆ ବ୍ଲକ୍’ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦର ପ୍ରଭାବ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ସହରରେ ସ୍ପଷ୍ଟ ଭାବେ ପରିଲକ୍ଷିତ ହୋଇଛି। ବନ୍ଦ ଯୋଗୁଁ ବାଲିଗୁଡ଼ାର ପ୍ରାୟ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାବେଳେ ଯାନବାହାନ ଚଳାଚଳ ମଧ୍ୟ ଠପ୍ ହୋଇପଡ଼ିଛି। ଫଳରେ ସହରର ସାଧାରଣ ଜୀବନଯାତ୍ରା ବେଶ୍ ପ୍ରଭାବିତ ହୋଇଛି।ବନ୍ଦ ପ୍ରଭାବରେ ବାଲିଗୁଡ଼ାକୁ ଆଖପାଖ ଗ୍ରାମାଞ୍ଚଳରୁ ଆସୁଥିବା ଲୋକଙ୍କ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି। ରାସ୍ତାଘାଟରେ ବସ୍, ଅଟୋ ଓ ଅନ୍ୟାନ୍ୟ ଯାନ ଚଳାଚଳ କମିଯିବାରୁ ସହର ଅପେକ୍ଷାକୃତ ଜନଶୂନ୍ୟ ଦେଖାଯାଇଛି। ସେହିପରି ସ୍କୁଲ ଓ କଲେଜ ବନ୍ଦ ରହିଥିବାରୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ମଧ୍ୟ ପାଠପଢ଼ା ପ୍ରଭାବିତ ହୋଇଛି।ବନ୍ଦକୁ ସଫଳ କରିବା ପାଇଁ ବାଲିଗୁଡ଼ାରେ




କଂଗ୍ରେସ ପକ୍ଷରୁ ମୋଟରସାଇକେଲ ରାଲି କରାଯାଇଛି। ଦଳୀୟ ନେତା ଓ କର୍ମୀମାନେ ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ବନ୍ଦକୁ ସମର୍ଥନ କରିବା ପାଇଁ ଲୋକଙ୍କୁ ଆହ୍ୱାନ କରିଛନ୍ତି।ତେବେ ଜରୁରୀକାଳୀନ ସେବାଗୁଡ଼ିକୁ ବନ୍ଦରୁ ବାଦ୍ ଦିଆଯାଇଛି। ଆମ୍ବୁଲାନ୍ସ, ହସ୍ପିଟାଲ ଓ ଔଷଧ ଦୋକାନ ଭଳି ଜରୁରୀ ସେବା ସ୍ୱାଭାବିକ ରହିବାକୁ କୁହାଯାଇଛି। ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଅଟକାଯିବ ନାହିଁ ବୋଲି ବନ୍ଦ ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।ବନ୍ଦକୁ ନେଇ ବାଲିଗୁଡ଼ାରେ କୌଣସି ଅପ୍ରୀତିକର ପରିସ୍ଥିତି ନଘଟିବା ପାଇଁ ପୁଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ନଜର ରଖାଯାଇଛି। ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ସାଧାରଣ ଲୋକଙ୍କ ସୁରକ୍ଷାକୁ ପୁଲିସ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି।

