ବାଲିଗୁଡ଼ା, ୨୮/୦୯: ସୁକାନ୍ତ କୁମାର ତ୍ରିପାଠୀ ଫଟୋଗ୍ରାଫି ଓ ଭିଡିଓଗ୍ରାଫି କ୍ଷେତ୍ରରେ କନ୍ଧମାଳ ଜିଲ୍ଲା ପାଇଁ ଆସିଛି ଗୌରବର ଖବର। ଓଡ଼ିଶା ଫଟୋଗ୍ରାଫର ମହାସଂଘ ପକ୍ଷରୁ ଭୁବନେଶ୍ୱରସ୍ଥିତ ସୋଆ ୟୁନିଭରସିଟି ପରିସରରେ ଆୟୋଜିତ ‘ଫଟୋ ଓ ଭିଡିଓ ବାଣିଜ୍ୟ ମେଳା-୨୦୨୬’ରେ କନ୍ଧମାଳର ଦୁଇ ଫଟୋଗ୍ରାଫରଙ୍କୁ ‘ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯାଇଛି।ବାଲିଗୁଡ଼ାର ଷ୍ଟୁଡିଓ ବୁଲୁର ବୁଲୁ ଭାଇ ଏବଂ ଫୁଲବାଣୀର ଷ୍ଟୁଡିଓ ନୀଳକମଲର ବାଦଲ ଏହି ସମ୍ମାନ ହାସଲ କରିଛନ୍ତି। ଫଟୋଗ୍ରାଫି କ୍ଷେତ୍ରରେ ସେମାନଙ୍କର ଅବଦାନ ଓ ପ୍ରତିଭାକୁ ସ୍ୱୀକୃତି ଦେଇ ମହାସଂଘ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।ସେପ୍ଟେମ୍ବର ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଚାଲିଥିବା ଏହି ବାଣିଜ୍ୟ ମେଳାରେ ଦେଶର ବିଭିନ୍ନ ଅଞ୍ଚଳରୁ ଫଟୋ ଓ ଭିଡିଓ ସାମଗ୍ରୀ ନିର୍ମାତା, ବିକ୍ରେତା ଓ ଫଟୋଗ୍ରାଫି ସହ ଜଡ଼ିତ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ସୋନି, ନିକୋନ, କ୍ୟାନନ, ଟାମ୍ରନ, ଇପସନ୍ ଭଳି ପ୍ରମୁଖ କମ୍ପାନୀ ନିଜ ନିଜର ନୂତନ ପ୍ରଯୁକ୍ତି ଓ ଅତ୍ୟାଧୁନିକ ଉପକରଣ ପ୍ରଦର୍ଶନ କରିଥିଲେ।

ମେଳାରେ ଅତ୍ୟାଧୁନିକ କ୍ୟାମେରା, ମେମୋରୀ କାର୍ଡ, ଫଟୋ ଫ୍ରେମ୍, କ୍ୟାମେରା ବ୍ୟାଗ୍, ଇଙ୍କ, ଏଲଇଡି ଫ୍ରେମ୍, ପେନ୍ଡ୍ରାଇଭ୍ ବକ୍ସ, ଫଟୋ ଆଲବମ୍ ସମେତ ବିଭିନ୍ନ ଫଟୋଗ୍ରାଫି ଉପକରଣର ପ୍ରଦର୍ଶନୀ କରାଯାଇଥିଲା। ଏଥିସହ ବିଭିନ୍ନ ଉପକରଣର ବ୍ୟବହାର ଓ କାର୍ଯ୍ୟଦକ୍ଷତା ସମ୍ପର୍କରେ ସିଧାସଳଖ ଡେମୋ ମଧ୍ୟ ପ୍ରଦାନ କରାଯାଇଥିଲା।ମେଳାର ପ୍ରମୁଖ ଆକର୍ଷଣ ମଧ୍ୟରେ ମାଗଣା କ୍ୟାମେରା ସର୍ଭିସିଂ, ନୂତନ କ୍ୟାମେରା ପ୍ରଦର୍ଶନ ଏବଂ ର୍ୟାମ୍ପ୍ ଶୋ ରହିଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଫଟୋଗ୍ରାଫର ଓ ଦର୍ଶକମାନେ ମେଳାର ବିଭିନ୍ନ କାର୍ଯ୍ୟକ୍ରମର ଅନୁଭୂତି ନେଇଥିଲେ।ବାଲିଗୁଡ଼ାରୁ ପାପୁ ଷ୍ଟୁଡିଓ, ସମଲେଶ୍ୱରୀ ଷ୍ଟୁଡିଓ, ଅରୁଣ ଷ୍ଟୁଡିଓ, ମୟୂରୀ ଷ୍ଟୁଡିଓ ଓ ଏନଏସଡି ଷ୍ଟୁଡିଓର ପ୍ରତିନିଧିମାନେ ମଧ୍ୟ ଏହି ମେଳାରେ ଯୋଗଦେଇ ଫଟୋଗ୍ରାଫି ଜଗତର ନୂଆ ପ୍ରଯୁକ୍ତି ଓ ଉପକରଣ ସମ୍ପର୍କରେ ଅବଗତ ହୋଇଥିଲେ।କନ୍ଧମାଳର ଦୁଇ ଫଟୋଗ୍ରାଫରଙ୍କୁ ରାଜ୍ୟସ୍ତରୀୟ ମଞ୍ଚରେ ‘ପ୍ରତିଭା ସମ୍ମାନ’ ମିଳିବା ଜିଲ୍ଲାର ଫଟୋଗ୍ରାଫି ମହଲ ପାଇଁ ଗର୍ବ ଓ ଆନନ୍ଦର ବିଷୟ ବୋଲି ସାଥୀ ଫଟୋଗ୍ରାଫରମାନେ ପ୍ରକାଶ କରିଛନ୍ତି। ଏହି ସମ୍ମାନ ଜିଲ୍ଲାର ଅନ୍ୟ ଫଟୋଗ୍ରାଫରମାନଙ୍କୁ ମଧ୍ୟ ନୂଆ ଉତ୍ସାହ ଯୋଗାଇବ ବୋଲି ସେମାନେ କହିଛନ୍ତି।

