ଚିକିଟି ଗଡ଼ ଜଗନ୍ନାଥ ମନ୍ଦିରରେ ଆଶୀର୍ବାଦ ଦୀପ ପ୍ରଜ୍ଜ୍ୱଳନ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିବସରେ ‘ସେବା ସଂକଳ୍ପ ଅଭିଯାନ-୨୦୨୬’
ଚିକିଟି | ଗଞ୍ଜାମ | ନ୍ଯୂଜନର୍ଭ | ଜଗନ୍ନାଥ ନାୟକ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିବସ ଅବସରରେ ଚିକିଟି ବ୍ଲକରେ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚିକିଟି ଗଡ଼ସ୍ଥିତ ପ୍ରଭୁ ଜଗନ୍ନାଥ ମନ୍ଦିର ପରିସରରେ ଆଶୀର୍ବାଦ ଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ଆଧ୍ୟାତ୍ମିକ ପରିବେଶରେ ପାଳିତ ହୋଇଥିଲା। ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ସାନ୍ନିଧ୍ୟରେ ଦୀପ ପ୍ରଜ୍ଜ୍ୱଳନ କରି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ, ସୁସ୍ଥତା ଓ ମଙ୍ଗଳମୟ ଜୀବନ ପାଇଁ ଆଶୀର୍ବାଦ କାମନା କରାଯାଇଥିଲା। ସେବା, ସମର୍ପଣ ଓ ଜନକଲ୍ୟାଣର ଭାବନାକୁ ନେଇ ଆୟୋଜିତ ଏହି ଅଭିଯାନରେ ବ୍ଲକ ପ୍ରଶାସନର କର୍ମଚାରୀଙ୍କ ସମେତ ମହିଳାମାନେ ସକ୍ରିୟ ଭାବେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ଚିକିଟି ବ୍ଲକ ବିଡିଓ ବିବେକାନନ୍ଦ ମିଶ୍ର, ସିଡିପିଓ ଭି. ମଣିମାଳାଙ୍କ ସମେତ ବିପିସି, ବିପିଏମ୍, ବିପିଏସିଏ, ମହିଳା ସୁପରଭାଇଜର, ବ୍ଲକ ଫେଡେରେସନର କର୍ମକର୍ତ୍ତା, ଅଙ୍ଗନବାଡ଼ି କର୍ମୀ, ବ୍ଲକ କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନେ ଓ ସୁଭଦ୍ରା ଯୋଜନାର ହିତାଧିକାରୀମାନେ ଉପସ୍ଥିତ ରହି ଦୀପ ପ୍ରଜ୍ଜ୍ୱଳନରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସେବା ଓ ଜନକଲ୍ୟାଣର ଆଦର୍ଶକୁ ଆଗେଇ ନେବା ସହ ସମାଜର ଉନ୍ନତି ପାଇଁ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବାର ସଂକଳ୍ପ ନେଇଥିଲେ। ମନ୍ଦିର ପରିସରରେ ପ୍ରଜ୍ଜ୍ୱଳିତ ଆଶୀର୍ବାଦ ଦୀପ ଶୁଭକାମନା, ଭକ୍ତି ଓ ସେବାଭାବର ପ୍ରତୀକ ହୋଇଥିଲା।
