ବାଲିଗୁଡ଼ା ବସ୍‌ଷ୍ଟାଣ୍ଡରୁ ଦୁଇଟି କଲରାପତରିଆ ବାଘ ଛାଲ ଜବତ

ବାଲିଗୁଡ଼ା,୧୮/୦୯: ସୁକାନ୍ତ କୁମାର ତ୍ରିପାଠୀ ବାଲିଗୁଡ଼ା ବନ ବିଭାଗକୁ ମିଳିଛି ବଡ଼ ସଫଳତା। ବାଲିଗୁଡ଼ା ବସ୍‌ଷ୍ଟାଣ୍ଡରେ ଚଢ଼ାଉ କରି ବନ ବିଭାଗ ଦୁଇଟି କଲରାପତରିଆ ବାଘ ଛାଲ ଜବତ କରିବା ସହ ଜଣେ ଚାଲାଣକାରୀଙ୍କୁ ଗିରଫ କରିଛି। ଜବତ ହୋଇଥିବା ବାଘ ଛାଲର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ଜଣାପଡ଼ିଛି।ବିଶ୍ୱସ୍ତ ସୂତ୍ରରୁ ବାଘ ଛାଲ ଚାଲାଣ ସମ୍ପର୍କରେ ସୂଚନା ପାଇବା ପରେ ବାଲିଗୁଡ଼ା ଡିଏଫ୍‌ଓ ଘନଶ୍ୟାମ ମହନ୍ତଙ୍କ ନିର୍ଦ୍ଦେଶକ୍ରମେ ଏସିଏଫ୍‌ ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ରେ ବାଲିଗୁଡ଼ା ରେଞ୍ଜର ଡି. ସୁବାଷ ଚନ୍ଦ୍ର, କ.ନୂଆଗାଁ ରେଞ୍ଜର ରମାକାନ୍ତ କହଁର, ବାଲିଗୁଡ଼ା ଫରେଷ୍ଟର ପ୍ରଭାତ କୁମାର ଦୋରାଙ୍କ ସମେତ କୋଟଗଡ଼ ଓ ବ୍ରାହ୍ମଣୀଗାଁ ସେକ୍ସନର ରେଞ୍ଜର ଏବଂ ଫରେଷ୍ଟରମାନେ ସାମିଲ ଥିଲେ।।ବନ ବିଭାଗ ଟିମ୍‌ ବାଲିଗୁଡ଼ା ପୋଲିସର ସହାୟତାରେ ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ଅଭିଯୁକ୍ତଙ୍କ ଗତିବିଧି ଉପରେ ନଜର ରଖିଥିଲା। ଯୋଜନା ଅନୁଯାୟୀ ଅଭିଯୁକ୍ତ ବାଲିଗୁଡ଼ା ବସ୍‌ଷ୍ଟାଣ୍ଡରେ ପହଞ୍ଚି ଫୋନ୍‌ ଯୋଗେ ବାଘ ଛାଲ ବିକ୍ରି ପାଇଁ ଡିଲ୍‌ କରୁଥିବା ସମୟରେ ବନ ବିଭାଗ ଟିମ୍‌ ଅଚାନକ

ବାଲିଗୁଡ଼ା ବସ୍‌ଷ୍ଟାଣ୍ଡରୁ ଦୁଇଟି କଲରାପତରିଆ ବାଘ ଛାଲ ଜବତ

ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ତାଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘ ଛାଲ ଜବତ ହୋଇଥିଲା।ଗିରଫ ଅଭିଯୁକ୍ତ ଜଣକ ଫିରିଙ୍ଗିଆ ଥାନା ଅନ୍ତର୍ଗତ ରତଙ୍ଗ ଗ୍ରାମର ଉତ୍ତମ ମାଝୀ ବୋଲି ଜଣାପଡ଼ିଛି। ସେ ଫିରିଙ୍ଗିଆରୁ ବସ୍‌ ଯୋଗେ ବାଲିଗୁଡ଼ା ଆସି ବାଘ ଛାଲ ଚାଲାଣ ପାଇଁ ଫୋନ୍‌ ମାଧ୍ୟମରେ ଗ୍ରାହକଙ୍କ ସହ ଯୋଗାଯୋଗ କରୁଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।ଘଟଣା ପରେ ବନ ବିଭାଗ ପକ୍ଷରୁ ମାମଲା ରୁଜୁ କରି ଜବତ ବାଘ ଛାଲର ଉତ୍ସ ଏବଂ ଏହି ଚାଲାଣ ପଛରେ ଥିବା ଅନ୍ୟ ବ୍ୟକ୍ତିଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି। ଏହି ଚାଲାଣ ରାକେଟ୍‌ରେ ଆଉ କେତେଜଣ ସମ୍ପୃକ୍ତ ଅଛନ୍ତି ଏବଂ ବାଘ ଛାଲ କେଉଁଠାରୁ ଆସିଥିଲା, ସେନେଇ ତଦନ୍ତକୁ ଜୋରଦାର କରାଯାଇଛି।ବାଲିଗୁଡ଼ା ଡିଏଫ୍‌ଓ ଘନଶ୍ୟାମ ମହନ୍ତଙ୍କ ପକ୍ଷରୁ ଦିଆଯାଇଥିବା ପ୍ରେସ୍‌ ବିବୃତ୍ତିରେ ଏହି ବନ୍ୟପ୍ରାଣୀ ଚାଲାଣ ଘଟଣାରେ ଆଗାମୀ ଦିନରେ ଆହୁରି କିଛି ଅଭିଯୁକ୍ତ ଗିରଫ ହୋଇପାରନ୍ତି ବୋଲି ସୂଚନା ଦିଆଯାଇଛି। ବନ୍ୟପ୍ରାଣୀ ସୁରକ୍ଷା ଆଇନକୁ ଉଲ୍ଲଂଘନ କରି ବାଘ ଛାଲ ଚାଲାଣ କରୁଥିବା ଚକ୍ର ଉପରେ ବନ ବିଭାଗର ନଜର ରହିଥିବା କୁହାଯାଇଛି।

Smart Computer Ad
You might also like
error: Content is protected !!