ଚ଼ିକିଟି | ଗଞ୍ଜାମ | ଜଗନ୍ନାଥ ନାୟକ ||
ଚିକିଟି ଦୀର୍ଘଦିନ ଧରି ଚାଲିଥିବା ଆଇନଗତ ବିବାଦରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଶନିବାରପେଣ୍ଠ ଚଉଁରାସାହି ତଥା ବଡ଼ସାହିରେ ଥିବା ପ୍ରାଚୀନ ବିଶ୍ୱଶ୍ରୀ ରଘୁନାଥ ମହାପ୍ରଭୁଙ୍କ ମନ୍ଦିରର ପରିଚାଳନା ଦାୟିତ୍ୱ ନୂତନ ଅଣବଂଶାନୁକ୍ରମିକ ଟ୍ରଷ୍ଟ କମିଟିକୁ ଆନୁଷ୍ଠାନିକ ଭାବେ ହସ୍ତାନ୍ତର କରାଯାଇଛି। ମନ୍ଦିରର ଦେବୋତ୍ତର ସମ୍ପତ୍ତିର ସୁରକ୍ଷା ଓ ପରିଚାଳନାକୁ ନେଇ ପୂର୍ବରୁ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା। ଅଭିଯୋଗ ଅନୁଯାୟୀ, ପୂର୍ବତନ ଟ୍ରଷ୍ଟିଙ୍କ ସମୟରେ କିଛି ଅସାଧୁ ବ୍ୟକ୍ତି ମନ୍ଦିରର ଦେବୋତ୍ତର ସମ୍ପତ୍ତି ହଡ଼ପ କରିବାକୁ ଉଦ୍ୟମ କରିଥିଲେ। ଏହାର ପ୍ରଭାବ ମନ୍ଦିରର ଦୈନନ୍ଦିନ ନୀତିକାନ୍ତି ଓ ସେବାପୂଜା ଉପରେ ମଧ୍ୟ ପଡ଼ୁଥିବା ଅଭିଯୋଗ ହୋଇଥିଲା। ମନ୍ଦିର ସମ୍ପତ୍ତିର ସୁରକ୍ଷା ସହ ପରିଚାଳନାରେ ସୁଧାର ଆଣିବା ପାଇଁ ଚଉଁରାସାହିବାସୀ ଏକଜୁଟ ହୋଇ ଦେବୋତ୍ତର ବିଭାଗ ନିକଟରେ ନୂତନ ଟ୍ରଷ୍ଟ କମିଟି ଗଠନ ପାଇଁ ଦାବି ଜଣାଇଥିଲେ। ଏହାପରେ ଦେବୋତ୍ତର ବିଭାଗ ପକ୍ଷରୁ ମନ୍ଦିର ପରିଦର୍ଶନ କରାଯାଇ ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ଆଇନ ବିଭାଗର ଅନୁମୋଦନକ୍ରମେ ବ୍ରହ୍ମପୁର ଅତିରିକ୍ତ ସହକାରୀ ଦେବୋତ୍ତର କମିଶନରଙ୍କ ଆଦେଶ ଅନୁଯାୟୀ ନୂତନ ଟ୍ରଷ୍ଟ କମିଟିକୁ ଦୁଇ ବର୍ଷ ପାଇଁ ମନ୍ଦିର ପରିଚାଳନା ଦାୟିତ୍ୱ ଦିଆଯାଇଥିଲା। ତେବେ ପୁରୁଣା ଟ୍ରଷ୍ଟି ଦାୟିତ୍ୱ ହସ୍ତାନ୍ତରରେ ବିଳମ୍ବ କରିବାରୁ ମାମଲା ଦେବୋତ୍ତର କମିଶନରଙ୍କ ସମେତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଅଦାଲତଙ୍କ ନିର୍ଦ୍ଦେଶ ପରେ ପ୍ରଶାସନ ପକ୍ଷରୁ ମନ୍ଦିର ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିଲା। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ବିଶ୍ୱରଞ୍ଜନ କହଁର, ବ୍ରହ୍ମପୁର ସହକାରୀ ଦେବୋତ୍ତର ଆୟୁକ୍ତ ସିଦ୍ଧାର୍ଥ ଶଙ୍କର ଜେନା, ଦେବୋତ୍ତର ନିରୀକ୍ଷକ ଆୟୁଷ ପଣ୍ଡା, ତନ୍ମୟ ପରିଡ଼ା, ସୁକାନ୍ତ ପୂଜାରୀ, ସନ୍ତୋଷ କୁମାର ପୃଷ୍ଟି, ରାଜସ୍ୱ ନିରୀକ୍ଷକ କ୍ଷୀରସିନ୍ଧୁ ବେହେରା, ଚିକିଟି ଫାଣ୍ଡି ଅଧିକାରୀ ଗୌତମ ସାହୁଙ୍କ ସମେତ ପୋଲିସ ବଳଙ୍କ ଉପସ୍ଥିତିରେ ମନ୍ଦିରର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଗଣତି କରାଯାଇଥିଲା। ଏହାପରେ ମନ୍ଦିରର ସମସ୍ତ ପରିଚାଳନା ଦାୟିତ୍ୱ ନୂତନ ଟ୍ରଷ୍ଟ କମିଟିକୁ ହସ୍ତାନ୍ତର ହୋଇଥିଲା। ଏହି ଅବସରରେ ନୂତନ ମ୍ୟାନେଜିଂ ଟ୍ରଷ୍ଟି ସନ୍ତୋଷ କୁମାର ରାଉତ, କମିଟି ସଭାପତି ତ୍ରିପତି ସାହୁଙ୍କ ସମେତ ଅନ୍ୟ ସଦସ୍ୟ ଓ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ନୂତନ ଟ୍ରଷ୍ଟ କମିଟି ମନ୍ଦିରର ଦେବୋତ୍ତର ସମ୍ପତ୍ତିର ସୁରକ୍ଷା, ମହାପ୍ରଭୁଙ୍କ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ସହ ମନ୍ଦିରର ସର୍ବାଙ୍ଗୀନ ବିକାଶ ଦିଗରେ କାର୍ଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଇଛି।
