ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ବୁଥ୍ ଗୁଡିକର ଫିଜିକାଲ୍ ଭେରିଫିକେସନ୍ କରିବେ ବ୍ଲକ୍ ଓ ପୌର ଅଧିକାରୀ। ନିର୍ବାଚନ ପାଇଁ ବୁଥଗୁଡିକ ଠିକ୍ ଅଛି ନା ନାହିଁ ତାର ଫିଜିକାଲ୍ ଭେରିଫିକେସନ୍ ରିପୋର୍ଟକୁ କମିଶନଙ୍କ ସ୍ବତନ୍ତ୍ର ଆପ୍ ରେ ଅପଲୋଡ଼୍ କରିବେ। ଯେଉଁ ବୁଥରେ ସମସ୍ୟା ଥିବ ସେଥିରେ ସୁଧାର ଅଣାଯିବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର। ଖାଲି ସେତିକି ନୁହେଁ, ସୋସିଆଲ ମିଡିଆରେ AI ଜରିଆରେ ଅପପ୍ରଚାର ଉପରେ ଏଥର କମିଶନ୍ଙ୍କ କଡା ନଜର ରହିବ। ଯଦି କୌଣସି ସ୍ଥାନରୁ ଅଭିଯୋଗ ଆସେ ସାଇବର ପୋଲିସ୍ ତଦନ୍ତ କରିବ ଏବଂ ଯିଏ ସଂପକ୍ତ ଥିବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଏହାସହ କମିଶନ ସୂଚନା ଦେଇଛନ୍ତି ଯେ, ଏପ୍ରିଲ ପ୍ରଥମ ସପ୍ତାହରୁ ପଞ୍ଚାୟତ ନିର୍ବାଚନ ଓ ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରୁ ହେବ ପୌର ନିର୍ବାଚନ। ବାଲାଟ୍ ପେପର ସହ ଆବଶ୍ୟକ ଉପକରଣ ଆଗାମୀ ତିନି ମାସ ମଧ୍ୟରେ ଆସି ପହଞ୍ଚିବ। ସେହିପରି ସୀମା ପୁନଃ ନିର୍ଦ୍ଧାରଣ ଓ ସଂରକ୍ଷଣ କାର୍ଯ୍ୟ ସରକାର କରୁଛନ୍ତି। ଅକ୍ଟୋବର ୩୧ ସୁଦ୍ଧା ଏହା ଶେଷ ହେବ। ଭୋଟର ଲିଷ୍ଟ ଆସନ୍ତା ବର୍ଷ ଫେବ୍ରୁଆରୀ ୧୦ ସୁଦ୍ଧା ସଂପୂର୍ଣ୍ଣ ହେବ। ଆଉ ଏସବୁ ପ୍ରକ୍ରିୟାର କରାଯିବ ଡିଜିଟାଇଜେସନ।ସେପଟେ ପଞ୍ଚାୟତ ନିର୍ବାଚନ ପାଖଉଥିବାରୁ ଗାଁ ଦାଣ୍ଡରେ ଏବେଠାରୁ ବହିଲାଣି ରାଜନୀତିର ହାୱା। ଜନତା ମାପିଲେଣି ନେତାଙ୍କୁ। ଆଉ ନେତା ବି ହେଲେଣି ଭୋଟରଙ୍କ ଘର ମୁହାଁ। ୨୪ ବର୍ଷ ପରେ ରାଜ୍ୟରେ ସତ୍ତା ପରିବର୍ତ୍ତନ ହୋଇଛି। ସରକାରକୁ ଆସିଛି ବିଜେପି। ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ଫୋକସ୍ ରେ ଥିଲା ପଞ୍ଚାୟତ ନିର୍ବାଚନ। ଏଥିରେ ଭଲ ପ୍ରଦର୍ଶନ ପାଇଁ ମନ୍ତ୍ର ଫୁଙ୍କିଛନ୍ତି କେନ୍ଦ୍ରୀୟ ନେତୃତ୍ବ। ସେପଟେ ତୃଣମୂଳରେ ଏବେ ମଧ୍ୟ ବିଜେଡିର ପକଡ୍ ରହିଛି। ଯେଉଁଥିପାଇଁ ଦଳ ପଞ୍ଚାୟତକୁ ଯିବାକୁ ପ୍ରସ୍ତୁତି ଆରମ୍ଭ କରୁଛି। କଂଗ୍ରେସ ବି ପଞ୍ଚାୟତ ନିର୍ବାଚନକୁ ନେଇ ପୁରା ସିରିୟସ ମୁଡ୍ ରେ। ଚାରି ଶହ ଜିଲ୍ଲା ପରିଷଦ ସିଟ୍ ହାତେଇବା ଲକ୍ଷ୍ୟରେ ଦଳ ଗ୍ରାଉଣ୍ଡରେ ଅଭିଯାନ ଆରମ୍ଭ କରିବାକୁ ଯାଉଛି।ରାଜ୍ୟରେ ୨୮ଟି ନୂଆ ଏନ୍ଏସି, ୭ଟି ମୁନିସିପାଲିଟି ଓ ଗୋଟିଏ ନୂଆ ମହାନଗର ନିଗମ ଗଠନ ହୋଇଛି। ସେଠାରେ ମଧ୍ୟ ନିର୍ବାଚନ ହେବ। ପ୍ରଥମ ନିର୍ବାଚନକୁ ନେଇ ଭୋଟରଙ୍କ ଭିତରେ ଯେତିକି ଉତ୍ସାହ ସେତିକି ଶଙ୍କାରେ ନେତା। ଏଥର ଲଢେଇ ଜୋରଦାର ହେବାର ସମ୍ଭାବନା ରହିଛି।
