ବାଲେଶ୍ୱର ଜିଲ୍ଲାର ତିନି ଜଣ ପଞ୍ଚାୟତ ଅଧିକାରୀ ୧୬.୭୬ ଲକ୍ଷ ଟଙ୍କାର ବୃଦ୍ଧାବସ୍ଥା ଭତ୍ତା ହଡପ ଅଭିଯୋଗରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ
ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ସାମାଜିକ ସୁରକ୍ଷା ଯୋଜନାରେ ଦୁର୍ନୀତି ବିରୁଦ୍ଧରେ ଏକ ବଡ଼ ଅଭିଯାନରେ, ଓଡିଶା ଭିଜିଲାନ୍ସ ଆଜି ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ତିନି ଜଣ ପଞ୍ଚାୟତ ସ୍ତରୀୟ ଅଧିକାରୀଙ୍କୁ ବୟସ୍କ ହିତାଧିକାରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ୧୬.୭୬ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ପାଣ୍ଠି ଠକେଇ ଓ ହଡପ କରିବା ଅଭିଯୋଗରେ ଗିରଫ କରିଛି।ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ୧) ସୁବ୍ରତ କୁମାର ପାତି, ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, କଖଡା ଗ୍ରାମ ପଞ୍ଚାୟତ, ବର୍ତମାନ କୁସୁଦା ଗ୍ରାମ ପଞ୍ଚାୟତ, ଜିଲ୍ଲା-ବାଲେଶ୍ୱର, ୨) ଚିତ୍ତରଞ୍ଜନ ବାଗସିଂ, ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, କୁମ୍ଭାରମୁଳି ଗ୍ରାମ ପଞ୍ଚାୟତ, ବର୍ତ୍ତମାନ ଖଇରା ବ୍ଲକ, ଜିଲ୍ଲା-ବାଲେଶ୍ୱର ଏବଂ ୩) ଗୌତମ ଦଳାଇ, ହିସାବରକ୍ଷକ-ତଥା-ଡାଟା ଏଣ୍ଟ୍ରି ଅପରେଟର, ଜଳେଶ୍ୱରପୁର ଗ୍ରାମ ପଞ୍ଚାୟତ, ଭୋଗରାଇ ବ୍ଲକ, ଜିଲ୍ଲା-ବାଲେଶ୍ୱର।ଓଡିଶା ଭିଜିଲାନ୍ସ ବାଲେଶ୍ୱର ଭିଜିଲାନ୍ସ ଥାନା ମାମଲା ନମ୍ବର ୨୨/୨୦୨୬, ଦଫା ୧୩(୨) ସହ ପଠିତ ୧୩(୧)(ଏ) ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮/୪୦୯ ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ମାମଲା ରୁଜୁ କରି ଏହି ଗିରଫଦାରୀ କରିଛି।ଗଭୀର ତଦନ୍ତରୁ ଜଣାପଡିଛି ଯେ, ୨୦୨୨ ରୁ ୨୦୨୫ ପର୍ଯ୍ୟନ୍ତ ସେମାନଙ୍କ କାର୍ଯ୍ୟକାଳ ମଧ୍ୟରେ, ଅଭିଯୁକ୍ତ ଅଧିକାରୀମାନେ ଯୋଗ୍ୟ ବୃଦ୍ଧ ହିତାଧିକାରୀମାନଙ୍କୁ ମାସିକ ସାମାଜିକ ସୁରକ୍ଷା ପେନସନ ବଣ୍ଟନ ନିମନ୍ତେ ଭୋଗରାଇ ବ୍ଲକ ଉନ୍ନୟନ କାର୍ଯ୍ୟାଳୟରୁ ନିୟମିତ ଭାବେ ଅଗ୍ରୀମ ଅର୍ଥ ଉଠାଉଥିଲେ। ମାତ୍ର ବଣ୍ଟନ ପରେ ବଳକା ପଡିଥିବା ଅବ୍ୟବହୃତ ଅଗ୍ରୀମ ଅର୍ଥ ଫେରସ୍ତ କିମ୍ବା ହିସାବ ନ ଦେଇ, ଏହି ତିନି ଜଣ ସୁଚିନ୍ତିତ ଭାବେ ମୋଟ ୧୬,୭୬,୫୦୦ ଟଙ୍କା ନିଜ ସ୍ୱାର୍ଥ ପାଇଁ ହଡପ କରିଥିଲେ।ସେମାନଙ୍କୁ ଆଜି ବାଲେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ କୋର୍ଟକୁ ଚାଲାଣ କରାଯାଉଛି।ମାମଲାର ତଦନ୍ତ ଜାରି ରହିଛି।
