ଚିକିଟି | ଗଞ୍ଜାମ | ନ୍ୟୁଜନର୍ଭ | ଜଗନ୍ନାଥ ନାୟକ ||
କର୍ତ୍ତବ୍ୟନିଷ୍ଠା, ଦକ୍ଷତା, ଆଇନଶୃଙ୍ଖଳା ରକ୍ଷା ଓ ଉଲ୍ଲେଖନୀୟ ପୁଲିସ ସେବା ପାଇଁ ନୂଆପଡ଼ା ଫାଣ୍ଡିରେ କାର୍ଯ୍ୟରତ ଏସ୍ଆଇ ଅତିଥି ଚରଣ ନାୟକଙ୍କ ନାମ ରାଷ୍ଟ୍ରପତି ପୁଲିସ ପଦକ ପାଇଁ ସୁପାରିସ କରାଯାଇଛି। ଏନେଇ ଗଞ୍ଜାମ ଜିଲ୍ଲା ପୁଲିସ ମହଲରେ ଆନନ୍ଦ ପ୍ରକାଶ ପାଇଛି। ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶାନୁଯାୟୀ ପୁଲିସ ପଦକ ପାଇଁ ସୁପାରିସ ହେଉଥିବା ପ୍ରତ୍ୟେକ ପୁଲିସ କର୍ମଚାରୀଙ୍କ ମେଡିକାଲ ଫିଟନେସ୍ ପ୍ରମାଣପତ୍ର ଆବଶ୍ୟକ ହୋଇଥାଏ। ଏହି ନିୟମ ଅନୁସାରେ ଏସ୍ଆଇ ନାୟକଙ୍କ ମେଡିକାଲ ଫିଟନେସ୍ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। କର୍ତ୍ତବ୍ୟ ପ୍ରତି ନିଷ୍ଠା, ଆଇନଶୃଙ୍ଖଳା ରକ୍ଷା ଏବଂ ଦାୟିତ୍ୱବୋଧ ପାଇଁ ବ୍ରହ୍ମପୁର ପୁଲିସ ପକ୍ଷରୁ ତାଙ୍କ ନାମ ପ୍ରଶଂସନୀୟ ସେବା ପାଇଁ ପୁଲିସ ପଦକ ନିମନ୍ତେ ସୁପାରିସ କରାଯାଇଛି। ଆସନ୍ତା ଗଣତନ୍ତ୍ର ଦିବସ-୨୦୨୭ ଅବସରରେ ଏହି ପଦକ ପ୍ରଦାନ କରାଯିବାର ସମ୍ଭାବନା ରହିଛି। ଏନେଇ ବ୍ରହ୍ମପୁର ଜିଲ୍ଲା ପୁଲିସ ମୁଖ୍ୟାଳୟ ପକ୍ଷରୁ ୫ ସେପ୍ଟେମ୍ବର ୨୦୨୬ରେ ପତ୍ର ସଂଖ୍ୟା ୧୫୮୩/ଇଏସ୍ଟିଟି ଜାରି କରାଯାଇଥିବା ଜଣାପଡ଼ିଛି। ତାଙ୍କ ନାମ ସୁପାରିସ ହେବା ପରେ ଚିକିଟି ଅଞ୍ଚଳ ସମେତ ପୁଲିସ ମହଲରେ ଚର୍ଚ୍ଚା ଜୋର ଧରିଛି। ଚୂଡ଼ାନ୍ତ ତାଲିକାରେ ଏସ୍ଆଇ ନାୟକଙ୍କ ନାମ ସ୍ଥାନ ପାଇଲେ ଏହା ନୂଆପଡ଼ା ଫାଣ୍ଡି ସମେତ ଚିକିଟି ଅଞ୍ଚଳ ପାଇଁ ଏକ ଗୌରବର ବିଷୟ ହେବ।
