ଶ୍ରୀ ବଳଦେବଜୀଉ ମନ୍ଦିରରେ ମୋବାଇଲ୍ ଓ କ୍ୟାମେରା ନିଷେଧ ଓ ବଡ଼ ସିଂହାର ଆଳତିରେ ଶୃଙ୍ଖଳିତ ଦର୍ଶନ ପାଇଁ ବଳଦେବ ସେନାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
କେନ୍ଦ୍ରାପଡ଼ା | NewsNerve | Bichitra Sahu | SMP |
କେନ୍ଦ୍ରାପଡ଼ା | ଶ୍ରୀ ବଳଦେବଜୀଉ ମନ୍ଦିର ବେଢ଼ା ପରିସରରେ ମୋବାଇଲ୍ ଫୋନ୍ ଓ କ୍ୟାମେରା ବ୍ୟବହାର ଉପରେ ନିଷେଧ ଲାଗୁ କରିବା ସହିତ ବଡ଼ ସିଂହାର ଆଳତି ସମୟରେ ଭକ୍ତମାନଙ୍କ ଶୃଙ୍ଖଳିତ ଓ ସୁବିଧାଜନକ ଦର୍ଶନ ପାଇଁ ବଳଦେବ ସେନା ପକ୍ଷରୁ ଦାବି କରାଯାଇଛି। ଏନେଇ ବଳଦେବ ସେନା ପକ୍ଷରୁ ମାନ୍ୟବର ସଭାପତି, ଶ୍ରୀ ବଳଦେବଜୀଉ ନ୍ୟାସୀ ମଣ୍ଡଳୀ, ଦେବୋତ୍ତର ସଂସ୍ଥା ତଥା ଅତିରିକ୍ତ ଜିଲ୍ଲାପାଳ, କେନ୍ଦ୍ରାପଡ଼ାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ମନ୍ଦିର ଭିତରେ ମୋବାଇଲ୍ ଫୋନ୍ ଓ କ୍ୟାମେରା ନେଇ ପ୍ରବେଶ ତଥା ଏହାର ବ୍ୟବହାର ଯୋଗୁଁ ମନ୍ଦିରର ପବିତ୍ରତା ଓ ଧାର୍ମିକ ପରିବେଶ ପ୍ରଭାବିତ ହେଉଛି। କେତେକ ବ୍ୟକ୍ତିଙ୍କ ଦ୍ୱାରା ଗର୍ଭଗୃହ ମଧ୍ୟରୁ ମହାପ୍ରଭୁଙ୍କ ଫଟୋ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ପ୍ରଚାର କରାଯିବା ସହିତ ମନ୍ଦିର ବେଢ଼ା ମଧ୍ୟରେ ଭିଡିଓ ଓ ରିଲ୍ ଉତ୍ତୋଳନ କରାଯାଉଥିବା ନେଇ ସେନା ପକ୍ଷରୁ ଅଭିଯୋଗ କରାଯାଇଛି। ବଳଦେବ ସେନା ପକ୍ଷରୁ ପୂର୍ବରୁ ମଧ୍ୟ ଏ ସମ୍ପର୍କରେ ଦେବୋତ୍ତର ଆୟୁକ୍ତ, ଉପଜିଲ୍ଲାପାଳ ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ଏକାଧିକ ଥର ଦାବି ଓ ଅନୁରୋଧ କରାଯାଇଥିବା ସତ୍ତ୍ୱେ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା ସେନା ପକ୍ଷରୁ କୁହାଯାଇଛି। ଏଥିସହ ମନ୍ଦିର ବେଢ଼ା ମଧ୍ୟରେ ଭିଡିଓ ଉତ୍ତୋଳନ ପାଇଁ ₹୫୦୦ ଓ ₹୧,୦୦୦ ପର୍ଯ୍ୟନ୍ତ ମହସୁଲ ଆଦାୟ ହେଉଥିବାରୁ ଏହାକୁ ନେଇ ମଧ୍ୟ ସ୍ପଷ୍ଟ ନୀତି ଓ ନିୟମ ପ୍ରଣୟନ ପାଇଁ ଦାବି କରାଯାଇଛି। ଏହା ସହ ବିଶେଷକରି ବଡ଼ ସିଂହାର ଆଳତି ସମୟରେ ଭକ୍ତମାନଙ୍କ ପ୍ରବଳ ସମାଗମ ହେଉଥିବାରୁ ଭିଡ଼ ଓ ଅଶୃଙ୍ଖଳା ଦେଖାଦେଉଥିବା ଦାବି କରାଯାଇଛି। ମୋବାଇଲ୍ ଫୋନ୍ରେ ଫଟୋ ଓ ଭିଡିଓ ଉତ୍ତୋଳନକୁ କେନ୍ଦ୍ର କରି ଭକ୍ତମାନଙ୍କ ମଧ୍ୟରେ ବାଦବିବାଦ ହେବାରୁ ଅନ୍ୟ ଭକ୍ତମାନେ ଦର୍ଶନରୁ ବଞ୍ଚିତ ହେଉଥିବା ନେଇ ମଧ୍ୟ ଉଦ୍ବେଗ ପ୍ରକାଶ କରାଯାଇଛି। ସେନା ପକ୍ଷରୁ ମନ୍ଦିର ଭିତରେ ମୋବାଇଲ୍ ଓ କ୍ୟାମେରା ନିଷେଧ, ଅନୁମତିବିହୀନ ଫଟୋ ଓ ଭିଡିଓ ଉତ୍ତୋଳନ ଉପରେ କଡ଼ା ନିୟନ୍ତ୍ରଣ, ବଡ଼ ସିଂହାର ଆଳତି ସମୟରେ ଭିଡ଼ ନିୟନ୍ତ୍ରଣ, ସୂଚନା ଫଳକ ସ୍ଥାପନ, ମୋବାଇଲ୍ ଓ କ୍ୟାମେରା ରଖିବା ପାଇଁ ଡିପୋଜିଟ୍/କ୍ଲୋକ୍ ରୁମ୍ ବ୍ୟବସ୍ଥା ଏବଂ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ନିୟମାନୁସାରେ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଦାବିପତ୍ର ଗ୍ରହଣ କରି ମାନ୍ୟବର ଅତିରିକ୍ତ ଜିଲ୍ଲାପାଳ ଉପରୋକ୍ତ ସମସ୍ୟାଗୁଡ଼ିକ ଉପରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଥିବା ବଳଦେବ ସେନା ପକ୍ଷରୁ କୁହାଯାଇଛି। ଏହି ସମୟରେ ବଳଦେବ ସେନାର ସଭାପତି ଶ୍ରୀଯୁକ୍ତ ପପୁନ କୁମାର ସ୍ୱାଇଁ, ଉପସଭାପତି ନିରଞ୍ଜନ ସୁଆର, ସମ୍ପାଦକ ଅମର କୁମାର ବାରିକ, ଉପଦେଷ୍ଟା ଉମାକାନ୍ତ ବଳ, ରଞ୍ଜନ କୁମାର ପୃଷ୍ଟି, ସଦସ୍ୟ ସାରଦା ପ୍ରସନ୍ନ ରାଉତରାୟ, ଉମେଶ ବେହେରା, ଆଶିଷ ପ୍ରଧାନ, ଆଶୁତୋଷ ପଣ୍ଡା, ଆଲୋକ କୁମାର ସାହୁ, ଗିରିଜା ଦାସ, ଅମୀୟ କୁମାର ପ୍ରଧାନ, ଅନିସ ସୂତାର ଓ ମନୋରଞ୍ଜନ ବେହେରାଙ୍କ ସମେତ ବଳଦେବ ସେନାର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ମନ୍ଦିରର ପବିତ୍ରତା, ଧାର୍ମିକ ପରିବେଶ ଓ ଭକ୍ତମାନଙ୍କ ସୁରକ୍ଷା ସହିତ ବଡ଼ ସିଂହାର ଆଳତି ସମୟରେ ସମସ୍ତ ଭକ୍ତଙ୍କୁ ଶୃଙ୍ଖଳିତ ଭାବେ ଦର୍ଶନର ସୁଯୋଗ ଦେବା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବ ବୋଲି ବଳଦେବ ସେନା ଆଶା ପ୍ରକାଶ କରିଛି।
