ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଶରତର ନୀଳ ଆକାଶ, ଧଳା ମେଘର ଲୁଚକାଳି ଖେଳ ଏବଂ ନଦୀପଠାରୁ ଗାଁ ଦାଣ୍ଡ ପର୍ଯ୍ୟନ୍ତ ଫୁଟିଥିବା ଧଳା ଧଳା କାଶତଣ୍ଡୀ ନାଚ ପ୍ରକୃତିକୁ ଅପରୂପ ଲାବଣ୍ୟରେ ସଜେଇ ଦେଇଛି। ପାର୍ବଣକୁ ଆହ୍ବାନ କରୁଥିବା ଏହି କାଶତଣ୍ଡୀର ଶୁଭ୍ର ଫୁଲ ଦେଖିଲେ ମନେପଡ଼େ ମାଆଙ୍କ ଆଗମନୀର କଥା । ଶରତର ଆଗମନ ସହ କାଶତଣ୍ଡୀର ଏହି ଶୁଭ୍ର ହସ ଯେପରି ଦେଇଥାଏ ମାଆ ଦୁର୍ଗାଙ୍କ ଆଗମନର ନିରବ ସନ୍ଦେଶ | ଓଡ଼ିଆ ପରମ୍ପରା ଓ ଲୋକଜୀବନରେ କାଶତଣ୍ଡୀର ରହିଛି ଏକ ସ୍ବତନ୍ତ୍ର ସ୍ଥାନ | ବର୍ଷା ଋତୁର ବିଦାୟ ପରେ ଯେତେବେଳେ ଧରଣୀରେ ଶରତର ପହିଲି ସ୍ପର୍ଶ ପଡ଼େ, ସେତେବେଳେ ମାଟି ମଝିରେ ମୁଣ୍ଡ ଟେକେ କାଶତଣ୍ଡୀ I ପବନର ତାଳେ ତାଳେ ଦୋଳିଥିବା ଧଳା ଫୁଲ ଦୂରରୁ ଦେଖୁଲେ ଲାଗେ, ପ୍ରକୃତି ନିଜେ ଧଳା ପାଟ ଶାଢ଼ି ପିନ୍ଧି ପାର୍ବଣକୁ ସ୍ବାଗତ କରୁଛି। ବିଶେଷକରି ଦୁର୍ଗାପୂଜା ପୂର୍ବରୁ କାଶତଣ୍ଡୀର ଉପସ୍ଥିତି ଓଡ଼ିଆ ମନରେ ଏକ ଅଲଗା ଅନୁଭବ ସୃଷ୍ଟି କରେ I କାଶଫୁଲ ଫୁଟିଲେ ଗାଁ ଗହଳିରେ ଆରମ୍ଭ ହୋଇଯାଏ ପାର୍ବଣର ପ୍ରସ୍ତୁତି I ଘରେ ଘରେ ପରିଷ୍କାର-ପରିଚ୍ଛନ୍ନତା, ବଜାରରେ ନୂଆ ପୋଷାକର ଚାହିଦା ଏବଂ ପୂଜାମଣ୍ଡପରେ ମାଆଙ୍କ ମୂର୍ତ୍ତିକୁ ନେଇ ବଢ଼ିଯାଏ ଉତ୍ସାହ | କାଶତଣ୍ଡୀର ପ୍ରତିଟି ଦୋଳନରେ ଯେପରି ଶୁଭେ ମାଆଙ୍କ ଆସିବାର ଖବର | ‘ଶରତ ଆସିଛି, ପାର୍ବଣ ଆସିଛି, ଆସୁଛନ୍ତି ମାଆ’।
