ବାଲିଗୁଡ଼ାରେ ଲଗାଣ ବର୍ଷାରେ ଜନଜୀବନ ପ୍ରଭାବିତ : ଶୂନ୍ୟ ପଡ଼ିଲା ରାସ୍ତାଘାଟ ଓ ବଜାର
ବାଲିଗୁଡ଼ା, ୩୦/୦୮: ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲାର ପାହାଡ଼ିଆ ଅଞ୍ଚଳ ବାଲିଗୁଡ଼ାରେ ଗତକାଲି ମଧ୍ୟରାତ୍ର ରୁ ଲଗାଣ ବର୍ଷା ସାଙ୍ଗକୁ ମେଘୁଆ ପାଗ ଲାଗି ରହିଛି। ଆଜି ଦିନତମାମ ବର୍ଷା ଜାରି ରହିବା ଯୋଗୁଁ ସହରର ସାଧାରଣ ଜନଜୀବନ କିଛିମାତ୍ରାରେ ପ୍ରଭାବିତ ହୋଇଛି। ରାସ୍ତାଘାଟରେ ଲୋକଙ୍କ ଚଳପ୍ରଚଳ କମିଥିବା ବେଳେ ଯାନବାହନ ଚଳାଚଳ ମଧ୍ୟ ଅପେକ୍ଷାକୃତ କମ୍ ଦେଖିବାକୁ ମିଳିଛି।ମାସର ଶେଷ ରବିବାର ହୋଇଥିବାରୁ ବାଲିଗୁଡ଼ା ସହରର ଅଧିକାଂଶ ଦୋକାନବଜାର ବନ୍ଦ ରହିଥିଲା। ତା’ସାଙ୍ଗକୁ ଲଗାଣ ବର୍ଷା ଯୋଗୁଁ

ସହରର ପ୍ରମୁଖ ରାସ୍ତା, ବଜାର ଓ ଜନଗହଳିପୂର୍ଣ୍ଣ ଅଞ୍ଚଳଗୁଡ଼ିକ ଅସ୍ୱାଭାବିକ ଭାବେ ଶୂନଶାନ ଦେଖାଯାଇଥିଲା। ସାଧାରଣତଃ ଛୁଟିଦିନରେ ଭିଡ଼ ଜମୁଥିବା ସ୍ଥାନଗୁଡ଼ିକରେ ମଧ୍ୟ ଲୋକଙ୍କ ଉପସ୍ଥିତି ନଗଣ୍ୟ ଥିଲା।ତେବେ ବର୍ଷା ଯୋଗୁଁ ପାଗ ଥଣ୍ଡା ଓ ମନୋରମ ହୋଇଥିବାରୁ ଅନେକ ଲୋକ ଘରେ ରହି ରବିବାରର ଛୁଟି ଉପଭୋଗ କରିଥିଲେ। ମେଘର ଚାଦର ତଳେ ଲୁଚିଥିବା ପାହାଡ଼, ସବୁଜିମା ଭରା ପରିବେଶ ଓ ଝିପିଝିପି ବର୍ଷା ବାଲିଗୁଡ଼ାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଆହୁରି ମନୋରମ କରିଥିଲା।

ଅନ୍ୟପକ୍ଷରେ, ବର୍ଷା ଚାଷ ପାଇଁ ଉପକାରୀ ହେବାର ଆଶା ରହିଥିବାରୁ ଚାଷୀମାନଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଗାମୀ କିଛିଦିନ ରାଜ୍ୟରେ ବର୍ଷାର ପ୍ରଭାବ ଜାରି ରହିପାରେ। କନ୍ଧମାଳ ଜିଲ୍ଲାରେ ମଧ୍ୟ ବର୍ଷାର ପରିମାଣ ବଢ଼ିପାରେ ବୋଲି ଆକଳନ କରାଯାଉଛି।

