ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବାଲିଗୁଡ଼ାରେ ଲଗାଣ ବର୍ଷା, ଜନଜୀବନ ବିପର୍ଯ୍ୟସ୍ତ ଗାଜଲବାଡ଼ି ଘାଟି ଦ୍ୱିତୀୟ ଦିନ ପାଇଁ ବନ୍ଦ, ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି ଜୋରଦାର

ବାଲିଗୁଡ଼ା,୨୮/୧୦: ସୁକାନ୍ତ କୁମାର ତ୍ରୀପାଠୀ: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡରେ ପାଣିପାଗରେ ପରିବର୍ତ୍ତନ ଘଟିବା ସହ ଲଗାଣ ବର୍ଷା ଓ ଥଣ୍ଡା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିବା ବର୍ଷା ଓ ପବନ ଯୋଗୁଁ ଅଞ୍ଚଳର ସ୍ୱାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଥିବା ବେଳେ ବଜାରଘାଟରେ ଲୋକଙ୍କ ଚଳପ୍ରଚଳ ହ୍ରାସ ପାଇଛି। ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ମୁକାବିଲା କରିବା ସହ ଜନସାଧାରଣଙ୍କ ସୁରକ୍ଷା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି।ସୂଚନା ଅନୁଯାୟୀ, ରାତିରୁ ଅଞ୍ଚଳରେ ବର୍ଷା ସାଙ୍ଗକୁ ପବନର ବେଗ ବୃଦ୍ଧି ପାଇଥିଲା। ସକାଳେ କିଛି ସମୟ ପାଇଁ ପାଗରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ପରେ ପୁଣି ବର୍ଷା ଓ ପବନ ଆରମ୍ଭ ହୋଇଥିଲା। ସକାଳ ପ୍ରାୟ ୧୦ଟାରୁ ପବନର ଝଟକା ସହ ବର୍ଷା ଜାରି ରହିବାରୁ ଲୋକଙ୍କ ଯାତାୟାତ ଓ ଦୈନନ୍ଦିନ କାର୍ଯ୍ୟକଳାପ ବାଧାପ୍ରାପ୍ତ ହୋଇଛି। ଅତ୍ୟାବଶ୍ୟକ କାମ ବ୍ୟତୀତ ଲୋକେ ଘରୁ ବାହାରିବାକୁ ଏଡ଼ାଇ ଚାଲିଛନ୍ତି।ଗାଜଲବାଡ଼ି ଘାଟି ବନ୍ଦ, ଯାତାୟାତ ଠପ୍‌ପାଣିପାଗର ଗମ୍ଭୀରତା ଓ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୫୯ ନମ୍ବର ଜାତୀୟ ରାଜପଥର ଗାଜଲବାଡ଼ି ଘାଟି ରାସ୍ତାକୁ ଦ୍ୱିତୀୟ ଦିନ ପାଇଁ ବନ୍ଦ ରଖାଯାଇଛି। ଏହାଦ୍ୱାରା ରାୟପୁରରୁ ଗୋପାଳପୁର ମଧ୍ୟରେ ଏହି ରାସ୍ତା ଦେଇ ଯାନବାହନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ସେହିପରି ଦାରିଙ୍ଗବାଡ଼ିରୁ ସୋରଡ଼ା, ଭଞ୍ଜନଗର, ବ୍ରହ୍ମପୁର ଓ ଭୁବନେଶ୍ୱର ଅଭିମୁଖେ ଏହି ରାସ୍ତା ଦେଇ ଯାତାୟାତ ବନ୍ଦ ରହିଛି।ଘାଟି ରାସ୍ତା ବନ୍ଦ ରହିବା ସହ ଲଗାଣ ବର୍ଷା ଯୋଗୁଁ ବ୍ୟବସାୟିକ କାରବାର ମଧ୍ୟ ମାନ୍ଦା ପଡ଼ିଛି। ଯାତାୟାତରେ ବାଧା ସୃଷ୍ଟି ହେବାରୁ ଯାତ୍ରୀ ଓ ଗାଡ଼ିଚାଳକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଗରେ ସୁଧାର ଆସିବା ଓ ପରିସ୍ଥିତି ସ୍ୱାଭାବିକ ହେବା ନେଇ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।ବାତ୍ୟା ମୁକାବିଲା ପାଇଁ ବ୍ଲକ ପ୍ରଶାସନ ସଜାଗସମ୍ଭାବ୍ୟ ବାତ୍ୟା ପରିସ୍ଥିତିରେ ଯେପରି ଜନସାଧାରଣଙ୍କୁ କୌଣସି ପ୍ରକାର ଅସୁବିଧାର ସାମ୍ନା କରିବାକୁ ନପଡ଼େ, ସେଥିପାଇଁ ବାଲିଗୁଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଇଛି। ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଏଡିଓମାନେ ଉପସ୍ଥିତ ରହି ପାଣିପାଗର ସ୍ଥିତି ଉପରେ ନଜର ରଖିଛନ୍ତି। ଯେକୌଣସି ଜରୁରୀ ପରିସ୍ଥିତି ଉପୁଜିଲେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସେମାନଙ୍କୁ ପ୍ରସ୍ତୁତ ରଖାଯାଇଛି।ବାଲିଗୁଡ଼ା ବିଡିଓ ଅକ୍ଷୟ କୁମାର ମଲ୍ଲିକ ଓ ତହସିଲଦାର ଦୀପ୍ତି ପ୍ରକାଶ ବେହେରା ସମଗ୍ର ପ୍ରସ୍ତୁତି ଓ ପରିସ୍ଥିତିର ତଦାରଖ କରୁଛନ୍ତି। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ବ୍ଲକ ପ୍ରଶାସନ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ଉଭୟ ଅଧିକାରୀ ସୂଚନା ଦେଇଛନ୍ତି।ପ୍ରଶାସନ ପକ୍ଷରୁ ପାଣିପାଗର ପରିବର୍ତ୍ତନ ଉପରେ ନିରନ୍ତର ନଜର ରଖାଯାଇଥିବା ବେଳେ ଲୋକଙ୍କୁ ସତର୍କ ରହିବା ଏବଂ ଅତ୍ୟାବଶ୍ୟକ କାର୍ଯ୍ୟ ନଥିଲେ ଘରୁ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ବର୍ଷା ଓ ପବନ ଜାରି ରହିଥିବାରୁ ଜନସାଧାରଣଙ୍କୁ ସତର୍କତା ଅବଲମ୍ବନ କରିବା ସହ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ଅନୁରୋଧ କରାଯାଇଛି।

Smart Computer Ad
You might also like
error: Content is protected !!