ବାଲିଗୁଡ଼ା, ୨୮/୧୦ : ସୁକାନ୍ତ କୁମାର ତ୍ରିପାଠୀ :ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଥିବା ବେଳେ ଭୂସ୍ଖଳନ ଆଶଙ୍କାକୁ ଦୃଷ୍ଟିରେ ରଖି କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟିକୁ ଉଭୟ ପଟରୁ ବନ୍ଦ କରିଦିଆଯାଇଛି। ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଯାତ୍ରୀ ଓ ଗାଡ଼ି ଚାଳକମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣଙ୍କ ନିର୍ଦ୍ଦେଶକ୍ରମେ ଦାରିଙ୍ଗବାଡ଼ି ପ୍ରଶାସନ ପକ୍ଷରୁ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି। ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର ଓ ଥାନାଧିକାରୀ ସଂଗ୍ରାମ କେଶରୀ ଜେନାଙ୍କ ଉପସ୍ଥିତିରେ ଗଞ୍ଜାମ-କନ୍ଧମାଳ ସୀମାନ୍ତ ବାଇମାଳା ଚେକ୍ଗେଟ୍ଠାରେ ରାସ୍ତା ବନ୍ଦ କରାଯାଇଛି। ସେଠାରେ ପୁଲିସ ମୁତୟନ ରହି ଯାନବାହନ ଚଳାଚଳ ଉପରେ ନଜର ରଖିଛି।ଦାରିଙ୍ଗବାଡ଼ି ପଟରୁ ଭଞ୍ଜନଗର, ସୋରଡ଼ା ଓ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଗାଡ଼ିଗୁଡ଼ିକୁ ଗଞ୍ଜାମ ଜିଲ୍ଲା ଆଡ଼କୁ ଯିବାକୁ ଅନୁମତି ଦିଆଯାଉନାହିଁ। ସେହିପରି ଗଞ୍ଜାମ ପଟରୁ କନ୍ଧମାଳ ଆସୁଥିବା ଯାନବାହନକୁ ମଧ୍ୟ ଘାଟି ଦେଇ ଯାତାୟାତ କରିବାକୁ ବାରଣ କରାଯାଇଛି। ସୋରଡ଼ା ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଗଞ୍ଜାମ ପଟରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।ଅନ୍ୟପକ୍ଷରେ, ଗଛ ଉପୁଡ଼ି ରାସ୍ତା ଅବରୋଧ

ହେବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ମୋ ବସ୍ ସେବା ମଧ୍ୟ ପ୍ରଭାବିତ ହୋଇଛି। ବ୍ରାହ୍ମଣୀଗାଁ, ଗଦାପୁର, ସରାମୁଳୀ, ହାତୀମୁଣ୍ଡା, ତାମାଙ୍ଗି ଓ କାଟିଙ୍ଗିଆ ଅଞ୍ଚଳକୁ ଯାଉଥିବା ବସ୍ଗୁଡ଼ିକ ରାସ୍ତାରେ ଅଟକି ରହିଥିବା ଜଣାପଡ଼ିଛି। ଏହାଦ୍ୱାରା ଯାତ୍ରୀଙ୍କ ଯାତାୟାତ ସହ ସ୍ଥାନୀୟ ଲୋକଙ୍କ ଦୈନନ୍ଦିନ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି।ଉଲ୍ଲେଖଯୋଗ୍ୟ, ଗାଜଲବାଡ଼ି ଘାଟି ଅଣଓସାରିଆ ଓ ବିପଦପୂର୍ଣ୍ଣ ହୋଇଥିବାରୁ ପ୍ରବଳ ବର୍ଷା ସମୟରେ ଏଠାରେ ଭୂସ୍ଖଳନ ଆଶଙ୍କା ରହିଥାଏ। ପୂର୍ବରୁ ମଧ୍ୟ ବାତ୍ୟା ଓ ଲଘୁଚାପଜନିତ ବର୍ଷା ସମୟରେ ଏହି ଘାଟିରେ ଭୂସ୍ଖଳନ ଘଟିଥିବା ନଜିର ରହିଛି। ତେଣୁ ସମ୍ଭାବ୍ୟ ବିପଦକୁ ଏଡ଼ାଇବା ସହ ଧନଜୀବନର ସୁରକ୍ଷା ପାଇଁ ପ୍ରଶାସନ ଘାଟିକୁ ବନ୍ଦ ରଖିଛି।ଘାଟି ବନ୍ଦ ରହିଥିବାରୁ ଦାରିଙ୍ଗବାଡ଼ିରୁ ବ୍ରାହ୍ମଣୀଗାଁ ଦେଇ ଗଜପତି ଜିଲ୍ଲାର ଅଡ଼ବା ଓ ମୋହନା ହୋଇ ବ୍ରହ୍ମପୁର ଯିବା ରାସ୍ତାକୁ ବିକଳ୍ପ ମାର୍ଗ ଭାବେ ବ୍ୟବହାର କରାଯାଉଛି। ବାତ୍ୟାଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଘାଟି ଅଞ୍ଚଳରେ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି। ପାଣିପାଗ ପରିସ୍ଥିତି ସ୍ୱାଭାବିକ ହେବା ଓ ରାସ୍ତା ସୁରକ୍ଷିତ ଥିବା ନିଶ୍ଚିତ ନହେବା ପର୍ଯ୍ୟନ୍ତ ଯାତ୍ରୀମାନେ ଘାଟି ରାସ୍ତାରେ ଯାତାୟାତ ନକରିବାକୁ ପ୍ରଶାସନ ପରାମର୍ଶ ଦେଇଛି।
