ସୁନ୍ଧରଡ଼ା ଉଚ୍ଚ ବିଦ୍ୟାଳୟରେ ନିଶା ନିବାରଣ ଶଚ଼େତନତା ଶିବିର ଅନୁଷ୍ଠିତ

ଚିକିଟି(ଜଗନ୍ନାଥ ନାୟକ):-

ପବିତ୍ର ଶ୍ରାବଣ ପୂର୍ଣ୍ଣିମା ଅବସରରେ ଚିକିଟି ଥାନା ଅନ୍ତର୍ଗତ ଏକ ସୁନ୍ଦରଡ଼ାଉଚ୍ଚ ବିଦ୍ୟାଳୟ ପରିସରରେ ନିଶା ନିବାରଣ ଦିବସ ଉପଲକ୍ଷେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନା ସହିତ ପାଳିତ ହୋଇଯାଇଛି। ଇନ୍ସପେକ୍ଟର ତର୍କେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ନିଶାସେବନର ଭୟାବହ କୁପ୍ରଭାବ ସମ୍ପର୍କରେ ସଚେତନ କରାଯାଇଥିଲା।ନିଶା କେବଳ ବ୍ୟକ୍ତିର ଜୀବନକୁ ଅନ୍ଧକାରମୟ କରେ ନାହିଁ, ବରଂ ତାହାର କୁପରିଣାମ ସମଗ୍ର ପରିବାର ଓ ସମାଜକୁ ପ୍ରଭାବିତ କରିଥାଏ ବୋଲି ଶ୍ରୀ ରାଓ ନିଜ ଅଭିଭାଷଣରେ ଉଲ୍ଲେଖ କରିଥିଲେ। ବିଶେଷକରି ଯୁବପିଢ଼ି ନିଶାର କବଳରୁ ଦୂରେ ରହି ନିଜ ଜୀବନକୁ ଶିକ୍ଷା, ଶୃଙ୍ଖଳା ଓ ସଫଳତାର ପଥରେ ଆଗେଇ ନେବାକୁ ସେ ଆହ୍ୱାନ ଦେଇଥିଲେ।ବର୍ତ୍ତମାନ ସମୟରେ ଘଟୁଥିବା ବିଭିନ୍ନ ଅନୈତିକ ଓ ଲଜ୍ଜାଜନକ କାର୍ଯ୍ୟର ଉଦାହରଣ ଦେଇ ଛାତ୍ରଛାତ୍ରୀଙ୍କୁ ସତର୍କ କରାଯାଇଥିଲା। ନିଶାମୁକ୍ତ ଓ ସୁସ୍ଥ ସମାଜ ଗଠନରେ ଯୁବପିଢ଼ିର ଭୂମିକା ସମ୍ପର୍କରେ ସେ ଆଲୋକପାତ କରିଥିଲେ।ଶିକ୍ଷକ-ଶିକ୍ଷୟିତ୍ରୀ ଓ ପିତାମାତାଙ୍କ ପ୍ରତି ଭକ୍ତି, ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରିବା ସହ ସେମାନଙ୍କ ମାର୍ଗଦର୍ଶନକୁ ଜୀବନର ପଥେୟ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଶ୍ରୀ ରାଓ ପରାମର୍ଶ ଦେଇଥିଲେ। ତାଙ୍କର ସରଳ, ଶିକ୍ଷଣୀୟ ଓ ହୃଦୟସ୍ପର୍ଶୀ ଅଭିଭାଷଣ ଉପସ୍ଥିତ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ମନକୁ ଗଭୀର ଭାବେ ସ୍ପର୍ଶ କରିଥିଲା।କାର୍ଯ୍ୟକ୍ରମରେ ଶ୍ରୀ ରାଓଙ୍କ ସମେତ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ନିଶାର କୁପରିଣାମରୁ ଦୂରେ ରହିବା ଏବଂ ଏକ ସୁସ୍ଥ, ଶୃଙ୍ଖଳିତ ଓ ନିଶାମୁକ୍ତ ସମାଜ ଗଠନରେ ସହଭାଗୀ ହେବାକୁ ପ୍ରେରିତ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହି ଏହି ସଚେତନତାମୂଳକ ବାର୍ତ୍ତାକୁ ସ୍ୱାଗତ କରିଥିଲେ।ନ୍ଯୂଜ ନର୍ଭ ଜଗନ୍ନାଥ ନାୟକ

Smart Computer Ad
You might also like
error: Content is protected !!