ଶ୍ରାବଣ ମାସରେ କାହିଁକି ବାହାରେ କାଉଡ଼ି ଯାତ୍ରା ?

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଦେବ ଦେବ ମହାଦେବ, ଆମ ପୁରାଣ ଓ ସଂସ୍କୃତି ତଥା ଧର୍ମ ଧାରଣାରେ ଏକ ଅଲୌକିକ ଓ ଅଦ୍ଭୁତ ଚରିତ୍ର। ସେ କେବଳ ଯୋଗୀ ନୁହଁନ୍ତି, ମହାଯୋଗୀ ଓ ମଙ୍ଗଳର ଦ୍ୟୋତକ। ‘ଓଁ ନମଃ ଶିବାୟ’ ଉଚ୍ଚାରଣ ମାତ୍ରକେ ଜୀବନ ମଙ୍ଗଳମୟ ହୋଇଉଠେ। ସେ ସତ୍ୟ, ଶିବ ଓ ସୁନ୍ଦର। ସଦାସର୍ବଦା ଧ୍ୟାନସ୍ଥ ମୁଦ୍ରାରେ ଉପବିଷ୍ଟ ପ୍ରଭୁ ଶଙ୍କରଙ୍କ ଅତି ପ୍ରିୟ ମାସ ଶ୍ରାବଣ। ଏହି ମାସର ସୋମବାରରେ ଭଗବାନ ଶିବଙ୍କର ଜଳାଭିଷେକ ଲାଗି କଲେ ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି। କାଉଡି ଯାତ୍ରାର ଇତିହାସ ଅତୀବ ପ୍ରାଚୀନ ହୋଇଥିବା ବେଳେ ଏହାର ପୌରାଣିକ ମହତ୍ତ୍ବ ମଧ୍ୟ ରହିଛି । ଏହି ଯାତ୍ରା କିଏ ଆରମ୍ଭ କରିଥିଲେ ଏବଂ ଏହାର ଇତିହାସ କ’ଣ ଆସନ୍ତୁ ଜାଣିବା I ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରିବାର ମହତ୍ତ୍ବ ଋଗ୍‌ବେଦରେ ଉଲ୍ଲେଖ କରାଯାଇଛି। ଧାର୍ମିକ ମାନ୍ୟତା ଅନୁସାରେ, ଏହି ମାସରେ ଭଗବାନ ଶିବ ଓ ମାତା ପାର୍ବତୀଙ୍କୁ ବିଧିବିଧାନ ସହକାରେ ପୂଜା କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ। କୁହାଯାଏ ଯେ, ମାତା ପାର୍ବତୀ ଭଗବାନ ଶିବଙ୍କୁ ପାଇବା ପାଇଁ ଶ୍ରାବଣ ମାସରେ କଠୋର ତପ କରିଥିଲେ। ଏହା ମଧ୍ୟ ବିଶ୍ବାସ ରହିଛି ଯେ, ଏହି ମାସରେ ମାତା ପାର୍ବତୀ ଓ ଭଗବାନ ଶିବ ଭୂଲୋକରେ ଭ୍ରମଣ କରନ୍ତି। ତେଣୁ ଏହି ପବିତ୍ର ମାସରେ ମହାଦେବଙ୍କ ଆଶୀର୍ବାଦ ପାଇଁ କାଉଡ଼ି ଯାତ୍ରାର ପରମ୍ପରା ରହିଆସିଛି। ଏହି ଯାତ୍ରା ଗଙ୍ଗାର ପବିତ୍ର ଜଳ ଏବଂ ଭଗବାନ ଶିବଙ୍କ ସହିତ ଜଡ଼ିତ। ବହୁ ପୁରାତନ କାଳରୁ ଶିବଭକ୍ତମାନେ ନିଜର ମାନସିକ ପୂରଣ ପାଇଁ ଶ୍ରାବଣ ମାସର ସୋମବାରରେ ଭଗବାନ ଶିବଙ୍କର ଜଳାଭିଷେକ ଲାଗି ବୋଲବମ୍ ଯାତ୍ରା କରିଥାନ୍ତି। କଥିତ ଅଛି ଯେ ଭଗବାନ ଶିବଙ୍କୁ ଫଳ, ଫୁଲ, ଧୂପ, ଦୀପ ଓ ନୈବେଦ୍ୟ ଦେଇ ପୂଜା କଲେ ଯେତିକି ପ୍ରସନ୍ନ ହୋଇ ନଥା’ନ୍ତି ଜଳାଭିଷେକ ଦ୍ୱାରା ତା’ଠୁ ବେଶି ପ୍ରସନ୍ନ ହୋଇଥାଆନ୍ତି ।

Smart Computer Ad
You might also like
error: Content is protected !!