ବାଲିଗୁଡ଼ା, ୨୪/୦୮: ସୁକାନ୍ତ କୁମାର ତ୍ରିପାଠୀ
ଶ୍ରାବଣ ମାସର ଶେଷ ସୋମବାର ଅବସରରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ସମେତ ବିଭିନ୍ନ ଅଞ୍ଚଳର ଶୈବପୀଠଗୁଡ଼ିକରେ ଭକ୍ତଙ୍କ ଅପାର ସମାଗମ ଦେଖିବାକୁ ମିଳିଛି। ସକାଳୁ ବିଭିନ୍ନ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଥିବା ବେଳେ କାଉଡ଼ିଆ ଭକ୍ତଙ୍କ ‘ବୋଲ ବମ୍’ ଓ ‘ହର ହର ବମ୍’ ଧ୍ୱନିରେ ସମଗ୍ର ଅଞ୍ଚଳ ଭକ୍ତିମୟ ହୋଇଉଠିଛି।


ବାଲିଗୁଡା

ବିଶେଷକରି କାଉଡ଼ିଆ ଭକ୍ତମାନେ ଗେରୁଆ ବସ୍ତ୍ର ପରିଧାନ କରି ନିକଟସ୍ଥ ନଦୀଘାଟରେ ପହଞ୍ଚି ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ। ପରେ କଳସରେ ନଦୀଜଳ ଭରି ଶ୍ରାବଣୀ ଭାର କାନ୍ଧରେ ବହନ କରି ବିଭିନ୍ନ ଶୈବପୀଠ ଅଭିମୁଖେ ପଦଯାତ୍ରା କରିଥିଲେ। ଶିବଲିଙ୍ଗରେ ଜଳାଭିଷେକ କରି ମହାଦେବଙ୍କ ଆଶୀର୍ବାଦ

କାମନା କରିଥିଲେ।ବାଲିଗୁଡ଼ା ଓ ଏହାର ଆଖପାଖ ଅଞ୍ଚଳର ବିରୁପାକ୍ଷ ମନ୍ଦିର, ରାମେଶ୍ୱର ମନ୍ଦିର, ଧବଳେଶ୍ୱର ମନ୍ଦିର, ଜାଲେଶପଟ୍ଟାର ଜଳେଶ୍ୱର ମନ୍ଦିର, ଚକାପାଦର ବିରୁପାକ୍ଷ ମନ୍ଦିର ଏବଂ ଟିକାବାଲି ନିକଟ ଡୁଙ୍ଗୀସ୍ଥିତ ପଞ୍ଚଲିଙ୍ଗେଶ୍ୱର ମନ୍ଦିର ସମେତ ବିଭିନ୍ନ ଶୈବପୀଠରେ ଭକ୍ତମାନେ ଭିଡ଼ ଜମାଇ ଜଳାଭିଷେକ କରିଥିଲେ।

ଅନ୍ୟପକ୍ଷରେ, ଆଜି ସକାଳୁ ବାଲିଗୁଡ଼ା ସମେତ କନ୍ଧମାଳର ବିଭିନ୍ନ ଅଞ୍ଚଳରେ ଝିପିଝିପି ବର୍ଷା ଲାଗି ରହିଛି। ତଥାପି ବର୍ଷାକୁ ଖାତିର ନକରି ଭକ୍ତମାନେ ଶ୍ରଦ୍ଧା ଓ ଭକ୍ତିର ସହ ବିଭିନ୍ନ ଶୈବପୀଠ ଅଭିମୁଖେ ଯାତାୟାତ କରୁଛନ୍ତି। ବର୍ଷା ମଧ୍ୟରେ କାଉଡ଼ିଆଙ୍କ ପଦଯାତ୍ରା ଓ ଶିବ ନାମ ଧ୍ୱନି ପରିବେଶକୁ ଆହୁରି ଆଧ୍ୟାତ୍ମିକ କରିଦେଇଛି।ଭକ୍ତମାନଙ୍କ

ସୁବିଧା ପାଇଁ ବିଭିନ୍ନ ସାମାଜିକ ଓ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଗତକାଲିଠାରୁ ନଦୀଘାଟରୁ ମନ୍ଦିର ପର୍ଯ୍ୟନ୍ତ ପାନୀୟ ଜଳ, ପ୍ରସାଦ ଓ ବିଶ୍ରାମ ବ୍ୟବସ୍ଥା କରାଯାଇଛି। ଏହି ସେବାକାର୍ଯ୍ୟକୁ ଭକ୍ତମାନେ ପ୍ରଶଂସା କରିଛନ୍ତି।ଶ୍ରାବଣର ଶେଷ ସୋମବାରରେ ବର୍ଷା ସତ୍ତ୍ୱେ ଭକ୍ତଙ୍କ ଅଗାଧ ଶ୍ରଦ୍ଧା ଓ ଉତ୍ସାହ ଯୋଗୁଁ ସମଗ୍ର କନ୍ଧମାଳ ଜିଲ୍ଲା ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକତାରେ ମୁଖରିତ ହୋଇଉଠିଛି।
