ବାଲିଗୁଡ଼ା, ୨୦/୦୮: ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିଗୁଡ଼ାସ୍ଥିତ ପ୍ରସ୍ତୁତି ଲାଇବ୍ରେରୀ ଗୃହରେ ମାଗଣା ସିଭିଲ ସର୍ଭିସ କୋଚିଂ ସେଣ୍ଟରର ଉଦ୍ଘାଟିତ ହୋଇଛି। କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦ ଭୂଷଣ ଆନୁଷ୍ଠାନିକ ଭାବେ ଏହି କୋଚିଂ ସେଣ୍ଟରର ଉଦ୍ଘାଟନ କରିଥିଲେ।ଉଦ୍ଘାଟନୀ ଉତ୍ସବରେ ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭମ ଭୋସଲେ, ପ୍ରୋବେସନରୀ ଆଇଏଏସ୍ ଅଧିକାରୀ ଯଶକରଣ ସିଂ, ପିଏ-ଆଇଟିଡିଏ କୃପାସିନ୍ଧୁ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ।ଏହି ଅବସରରେ ଜିଲ୍ଲାପାଳଙ୍କ ସମେତ ଉପସ୍ଥିତ ଅତିଥିମାନେ ସିଭିଲ ସର୍ଭିସ ପରୀକ୍ଷାର ପ୍ରସ୍ତୁତି, ଏହାର ଆଭିମୁଖ୍ୟ ଓ ସଫଳତା ପାଇଁ ଆବଶ୍ୟକ ରଣନୀତି ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ।

ଏଥିସହ ବାଲିଗୁଡ଼ା ବିଡିଓ ଅକ୍ଷୟ କୁମାର ମଳିକ, ତହସିଲଦାର ଦୀପ୍ତି ପ୍ରକାଶ ବେହେରା ଓ ଏନ୍ଏସି ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ ଉପସ୍ଥିତ ରହି ନିଜ ନିଜର ସିଭିଲ ସର୍ଭିସ ପରୀକ୍ଷା ପ୍ରସ୍ତୁତି ଅନୁଭୂତି ଛାତ୍ରଛାତ୍ରୀଙ୍କ ସହ ବାଣ୍ଟିବା ସହ ସଫଳତା ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ।ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିବ ଶଙ୍କର ସମରଥ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଏହି କୋଚିଂ ସେଣ୍ଟର ମାଧ୍ୟମରେ ବାଲିଗୁଡ଼ା ଉପଖଣ୍ଡ ଅଞ୍ଚଳର ଆଗ୍ରହୀ ଛାତ୍ରଛାତ୍ରୀମାନେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଉପଯୁକ୍ତ ମାର୍ଗଦର୍ଶନ ଓ ପ୍ରସ୍ତୁତିର ସୁଯୋଗ ପାଇପାରିବେ।



