ବାଲିଗୁଡ଼ା, ୧୮/୮: କନ୍ଧମାଳ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ବେଦ ଭୂଷଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜନଶୁଣାଣିରେ ମୋଟ ୫୯ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୨୦ଟି ବ୍ୟକ୍ତିଗତ ଓ ୩୯ଟି ସାମୂହିକ ଅଭିଯୋଗ ରହିଥିଲା।ଜନସାଧାରଣଙ୍କ ପକ୍ଷରୁ ରାସ୍ତାଘାଟ, ଆବାସ ଯୋଜନା, ଭତ୍ତା, ଭିନ୍ନକ୍ଷମ ସାର୍ଟିଫିକେଟ ସମେତ ବିଭିନ୍ନ ମୌଳିକ ସମସ୍ୟା ସମ୍ପର୍କିତ ଅଭିଯୋଗ ଉପସ୍ଥାପିତ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ଭୂଷଣ ନୂତନ ଅଭିଯୋଗଗୁଡ଼ିକ ଶୁଣିବା ସହ ପୂର୍ବରୁ ଦାଖଲ ହୋଇଥିବା ଅଭିଯୋଗଗୁଡ଼ିକର ମଧ୍ୟ ସମୀକ୍ଷା କରି ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେଇଥିଲେ।ଏହି ଅଭିଯୋଗ ଶୁଣାଣିରେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ରମେନ୍ଦ୍ର ପ୍ରସାଦ, ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସ, ପ୍ରବେସନାରୀ ଭାରତୀୟ ପ୍ରଶାସନିକ ଅଧିକାରୀ ଯଶକିରଣ ସିଂ, ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାଏକ, ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ବାଲିଗୁଡ଼ା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରାଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ।ଏଥିରେ ବାଲିଗୁଡ଼ା ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ବିଡିଓ ଅକ୍ଷୟ କୁମାର ମଳିକ, ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ ଓ ବାଲିଗୁଡ଼ା ଉପଖଣ୍ଡ ଲୋକସମ୍ପର୍କ ଅଧିକାରୀ ଶିବ ଶଙ୍କର ସମରଥଙ୍କ ସମେତ ଉପଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ।

