ବାଲିଗୁଡ଼ା, ୧୭/୦୮: ସୁକାନ୍ତ କୁମାର ତ୍ରିପାଠୀ
ବିଦ୍ୟାଳୟର ଚାରିକାନ୍ଥ ମଧ୍ୟରେ ସୀମିତ ନ ରହି ଶିକ୍ଷା ବ୍ୟବସ୍ଥାର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ଏବଂ ଛାତ୍ରଛାତ୍ରୀଙ୍କ ନିକଟରେ ସିଧାସଳଖ ପହଞ୍ଚିବା ଲକ୍ଷ୍ୟରେ କନ୍ଧମାଳ ଜିଲ୍ଲାରେ ଆରମ୍ଭ ହୋଇଛି ଅଭିନବ ପଦକ୍ଷେପ ‘ଟିଚ୍ କନ୍ଧମାଳ’। ଏହି ପଦକ୍ଷେପ ଅଧୀନରେ ସୋମବାର ବାଲିଗୁଡ଼ା ବ୍ଲକ୍ର ବିଭିନ୍ନ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ପହଞ୍ଚି ଶିକ୍ଷାଦାନ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିଥିଲେ।ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟ ଓ ଶିଶୁଙ୍କ ନିକଟରେ ପହଞ୍ଚି ଶିକ୍ଷାଦାନର ବିଭିନ୍ନ ଦିଗ ଯାଞ୍ଚ କରିବା, ସମସ୍ୟା ଚିହ୍ନଟ କରିବା ଏବଂ ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ସହ ଜଡ଼ିତ ହିତଧାରୀଙ୍କୁ ଆବଶ୍ୟକ ସହଯୋଗ ଓ ମାର୍ଗଦର୍ଶନ ଯୋଗାଇଦେବା। ୨୦୨୬-୨୭ ଶିକ୍ଷାବର୍ଷରୁ ଜିଲ୍ଲାରେ ଏହି ପଦକ୍ଷେପ କାର୍ଯ୍ୟକାରୀ କରାଯାଇଛି।ଅଧିକାରୀମାନେ ନିଜ ନିଜକୁ ଆବଣ୍ଟିତ ବିଦ୍ୟାଳୟ ପରିଦର୍ଶନ କରି ପ୍ରାତଃ ସମାବେଶ, ଶିକ୍ଷାଦାନ ଓ ଶିକ୍ଷଣ ପ୍ରକ୍ରିୟା, ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି, ବିଦ୍ୟାଳୟ ପରିସରର ସ୍ୱଚ୍ଛତା, ଶୌଚାଳୟର ପରିଚ୍ଛନ୍ନତା ସହ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଯାଞ୍ଚ କରିଥିଲେ। ଏଥିସହ ଛାତ୍ରଛାତ୍ରୀ ଓ ବିଦ୍ୟାଳୟ କର୍ମଚାରୀଙ୍କ ସହ ସିଧାସଳଖ ଆଲୋଚନା କରି ଶିକ୍ଷା ପରିବେଶର ଉନ୍ନତି ପାଇଁ ଆବଶ୍ୟକ ପରାମର୍ଶ ଦେଇଥିଲେ।ବାଲିଗୁଡ଼ା ବ୍ଲକ୍ରେ ଏହି ଅଭିଯାନକୁ ବ୍ୟାପକ କରିବା ପାଇଁ ମୋଟ ୧୯ଟି ବିଦ୍ୟାଳୟକୁ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ପରିଦର୍ଶନ ପାଇଁ ଆବଣ୍ଟନ


![]()

କରାଯାଇଥିଲା। ଏଥିରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ବେଦଭୂଷଣ, ଆରକ୍ଷୀ ଅଧୀକ୍ଷକ ରାମେନ୍ଦ୍ର ପ୍ରସାଦ, ପ୍ରଶିକ୍ଷଣରତ ଆଇଏଏସ୍ ଅଧିକାରୀ ଯଶକରଣ ସିଂ, ଡିଏଫ୍ଓ ଘନଶ୍ୟାମ ମହାନ୍ତା, ସିଡିଓ-କମ୍-ଇଓ ଶମ୍ବୁନାଥ ନନ୍ଦୀ, ଉପଜିଲ୍ଲାପାଳ ପ୍ରଣିତା ଦାସ, ପିଡି-ଡୁଡା ପ୍ରବୀଣ କୁମାର ବାଣୁଆ, ଡିଇଓ ରାଜେଶ କୁମାର ସ୍ୱାଇଁ, ପିଏ-ଆଇଟିଡିଏ କୃପାସିନ୍ଧୁ ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ସାମିଲ ଥିଲେ।‘ଟିଚ୍ କନ୍ଧମାଳ’ କେବଳ ବିଦ୍ୟାଳୟ ପରିଦର୍ଶନରେ ସୀମିତ ନ ରହି ଶିକ୍ଷା ବ୍ୟବସ୍ଥାର ତୃଣମୂଳ ସ୍ଥିତିକୁ ବୁଝିବା ସହ ଏହାର ଗୁଣାତ୍ମକ ଉନ୍ନତି ପାଇଁ ଏକ ନିରନ୍ତର ପ୍ରୟାସ ଭାବେ ପରିଗଣିତ ହେଉଛି। ପ୍ରତି ଜନଅଭିଯୋଗ ଶୁଣାଣି ଦିନ ପୂର୍ବରୁ ସମ୍ପୃକ୍ତ ଅଧିକାରୀମାନେ ବିଦ୍ୟାଳୟ ପରିଦର୍ଶନ କରି ଏହାର ସଂକ୍ଷିପ୍ତ ରିପୋର୍ଟ ଦାଖଲ କରିବେ। ଅଧିକାରୀଙ୍କ ବିଦ୍ୟାଳୟ ପହଞ୍ଚ ଓ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ସମ୍ପର୍କ ଶିକ୍ଷା ବ୍ୟବସ୍ଥାର ଗୁଣାତ୍ମକ ପରିବର୍ତ୍ତନ ଦିଗରେ ଏକ ନୂଆ ଆଶା ସୃଷ୍ଟି କରିଛି।

