ବାଲିଗୁଡ଼ାରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ମିନି ମାରାଥନ୍‌ ପ୍ରତିଯୋଗିତା

ବାଲିଗୁଡ଼ା, ୧୪/୦୮ : ସୁକାନ୍ତ କୁମାର ତ୍ରିପାଠୀ

୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ଉପଖଣ୍ଡ ଉତ୍ସବ ପାଳନ କମିଟି ପକ୍ଷରୁ ଏକ ମିନି ମାରାଥନ୍‌ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ‘ହର ଘର ତ୍ରିରଙ୍ଗା’ ନାରା ସହ ଆୟୋଜିତ ଏହି ମିନି ମାରାଥନ୍‌ର ଉଦ୍ଦେଶ୍ୟ ଥିଲା ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବଢ଼ାଇବା ସହ ଶାରୀରିକ ସୁସ୍ଥତା, ସ୍ୱାସ୍ଥ୍ୟ ସଚେତନତା ଓ ଦେଶପ୍ରେମର ଭାବନାକୁ ଦୃଢ଼ କରିବା।ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣୀତା ଦାସ ସବୁଜ ପତାକା ଦେଖାଇ ମିନି ମାରାଥନ୍‌ର ଶୁଭାରମ୍ଭ କରିଥିଲେ। କଲେଜ ଛକଠାରୁ ଆରମ୍ଭ ହୋଇଥିବା ଏହି ଦୌଡ଼ ସହରର ପ୍ରମୁଖ ରାସ୍ତା ଦେଇ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଯାଇଥିଲା। ମାରାଥନ୍‌ରେ ବିଭିନ୍ନ ବୟସର ଯୁବକ-ଯୁବତୀଙ୍କ ସମେତ ବହୁ ସଂଖ୍ୟକ କ୍ରୀଡ଼ାପ୍ରେମୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।ସ୍ୱାଧୀନତା ଦିବସ ପୂର୍ବରୁ ଆୟୋଜିତ ଏହି ମିନି ମାରାଥନ୍‌ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ସୃଷ୍ଟି କରିଥିଲା। ଦୌଡ଼ ସମୟରେ ପ୍ରତିଯୋଗୀମାନଙ୍କ ମଧ୍ୟରେ ଦେଶପ୍ରେମର ଭାବନା ସହ କ୍ରୀଡ଼ାସୁଲଭ ମନୋଭାବ ପରିଲକ୍ଷିତ ହୋଇଥିଲା। ‘ହର ଘର ତ୍ରିରଙ୍ଗା’ ବାର୍ତ୍ତାକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମ ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ସହରରେ ଏକ ଦେଶପ୍ରେମମୟ ପରିବେଶ ସୃଷ୍ଟି କରିଥିଲା।ମାରାଥନ୍‌ ଶେଷ ହେବା ପରେ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ଚିହ୍ନଟ କରାଯାଇଥିଲା।

ବାଲିଗୁଡ଼ାରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ମିନି ମାରାଥନ୍‌ ପ୍ରତିଯୋଗିତା

ବାଲିଗୁଡ଼ାରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ମିନି ମାରାଥନ୍‌ ପ୍ରତିଯୋଗିତା

ଆୟୋଜକମାନଙ୍କ ପକ୍ଷରୁ ବିଜୟୀ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରାଯାଇଥିଲା। ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ଯୁବପିଢ଼ିଙ୍କୁ କ୍ରୀଡ଼ାମୁଖୀ କରିବା ସହ ନିୟମିତ ବ୍ୟାୟାମ ଓ ସୁସ୍ଥ ଜୀବନଶୈଳୀ ପ୍ରତି ଆକର୍ଷିତ କରିବ ବୋଲି ଆଶା ପ୍ରକାଶ ପାଇଛି।ବାଲିଗୁଡ଼ାରେ ସ୍ୱାଧୀନତା ଦିବସକୁ ନେଇ ଚାଲିଥିବା ବିଭିନ୍ନ ପ୍ରସ୍ତୁତି ମଧ୍ୟରେ ଏହି ମିନି ମାରାଥନ୍‌ ଏକ ଆକର୍ଷଣୀୟ କାର୍ଯ୍ୟକ୍ରମ ଭାବେ ପରିଗଣିତ ହୋଇଛି। ଏହା ମାଧ୍ୟମରେ ସହରର ଯୁବକ-ଯୁବତୀଙ୍କ ମଧ୍ୟରେ ଏକତା, ଶୃଙ୍ଖଳା, କ୍ରୀଡ଼ାମନୋଭାବ ଓ ଦେଶପ୍ରେମର ବାର୍ତ୍ତା ପହଞ୍ଚିଥିବା ବେଳେ ସ୍ୱାଧୀନତା ଦିବସ ପାଳନକୁ ନେଇ ସହରବାସୀଙ୍କ ଉତ୍ସାହ ଆହୁରି ବଢ଼ିଛି।

Smart Computer Ad
You might also like
error: Content is protected !!