ବାତ୍ୟା ‘ମୁରାସୁ’ ପ୍ରଭାବ ଆଶଙ୍କା: କନ୍ଧମାଳ ଜିଲ୍ଲାରେ ଦୁଇ ଦିନ ସ୍କୁଲ ଛୁଟି, ୩ ଓ ୪ ନଭେମ୍ବରରେ ପାଠପଢ଼ା ବନ୍ଦ

ବାଲିଗୁଡ଼ା,୦୨/୧୧(ସୁକାନ୍ତ କୁମାର ତ୍ରିପାଠୀ) ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ଭୟଙ୍କର ସାମୁଦ୍ରିକ ଝଡ଼ ‘ମୁରାସୁ’କୁ ନେଇ ରାଜ୍ୟରେ ସତର୍କତା ଜାରି ରହିଥିବା ବେଳେ ଏହାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ାକୁ ଆସନ୍ତା ନଭେମ୍ବର ୩ ଓ ୪ ତାରିଖ ଦୁଇ ଦିନ ପାଇଁ ସ୍ଥଗିତ ରଖାଯାଇଛି।ଏନେଇ କନ୍ଧମାଳ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ନଭେମ୍ବର ୨ ତାରିଖରେ ରେ ଜାରି କରିଛନ୍ତି। ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ର ଧାରା ୩୦(୨)(v) ଅନୁଯାୟୀ ପ୍ରଦତ୍ତ କ୍ଷମତା ବଳରେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି।ପ୍ରଶାସନର ଏହି ନିଷ୍ପତ୍ତି ଅନୁଯାୟୀ, କନ୍ଧମାଳ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ନିୟମିତ ଶିକ୍ଷାଦାନ କାର୍ଯ୍ୟକ୍ରମ ଦୁଇ ଦିନ ପାଇଁ ବନ୍ଦ ରହିବ। ସମ୍ଭାବ୍ୟ ବାତ୍ୟାଜନିତ ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ପ୍ରାଥମିକତା ଦେଇ ଏହି ପଦକ୍ଷେପ ନିଆଯାଇଛି।ତେବେ ଜିଲ୍ଲାପାଳଙ୍କ ଆଦେଶରେ ସ୍ପଷ୍ଟ କରାଯାଇଛି ଯେ, ପୂର୍ବରୁ ନିର୍ଦ୍ଧାରିତ ଥିବା ପରୀକ୍ଷା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପରେ ଏହି ନିଷ୍ପତ୍ତିର କୌଣସି ପ୍ରଭାବ ପଡ଼ିବ ନାହିଁ। ସେଗୁଡ଼ିକ ପୂର୍ବ ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ଚାଲୁ ରହିବ।ଏହି ଆଦେଶକୁ ଜିଲ୍ଲାର ସମସ୍ତ ସମ୍ପୃକ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ କଡ଼ାକଡ଼ି ଭାବେ ପାଳନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା କଲ୍ୟାଣ ଅଧିକାରୀଙ୍କୁ ମଧ୍ୟ ଆବଶ୍ୟକୀୟ ସୂଚନା ଓ ପଦକ୍ଷେପ ଗ୍ରହଣ ପାଇଁ ଆଦେଶର ନକଲ ପଠାଯାଇଛି।ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ସତର୍କତା ଓ ଚିନ୍ତା ବଢ଼ିଥିବା ବେଳେ ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବେ ବିବେଚିତ ହେଉଛି।

Smart Computer Ad
You might also like
error: Content is protected !!