ପୋକ ଆକ୍ରମଣ ଅଞ୍ଚଳରେ କୃଷି ବିଭାଗର ଟିମ୍ର ଜମି ପରିଦର୍ଶନ; ପ୍ରତିକାର ଓ ସତର୍କତା ନେଇ ଚାଷୀଙ୍କୁ ପରାମର୍ଶ
ଚିକିଟି | ଗଞ୍ଜାମ | ନ୍ୟୁଜନର୍ଭ | ଜଗନ୍ନାଥ ନାୟକ ||
ଚିକିଟି ବ୍ଲକର ବିଭିନ୍ନ ଅଞ୍ଚଳରେ ଧାନ ଫସଲରେ ବାଦାମୀ ରଙ୍ଗର ଗୁଣ୍ଡି ପୋକ ଓ ଧଳା ରଙ୍ଗର ଚକଡ଼ା ପୋକଙ୍କ ଉପଦ୍ରବ ଦେଖାଦେଇଛି। ପୋକଙ୍କ ଆକ୍ରମଣ ଯୋଗୁଁ ଧାନ ଗଛର ରଙ୍ଗ ପରିବର୍ତ୍ତନ ହେବା ସହ ଗଛ ତଳକୁ ବସିଯାଉଥିବାରୁ ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଏଭଳି ସ୍ଥିତିରେ ପୋକ ନିୟନ୍ତ୍ରଣ ଓ ଫସଲ ସୁରକ୍ଷା ନେଇ ଉପଯୁକ୍ତ ପରାମର୍ଶ ନପାଇ ଅନେକ ଚାଷୀ ଦିଗହରା ହେଉଥିବା ଜଣାପଡ଼ିବା ପରେ କୃଷି ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ଗୋଷ୍ଠୀ କୃଷି ଅଧିକାରିଣୀଙ୍କ ତତ୍ତ୍ୱାବଧାନରେ କୃଷି ବିଭାଗର ଏକ ଟିମ୍ ବିଭିନ୍ନ ଅଞ୍ଚଳର ଧାନଜମି ପରିଦର୍ଶନ କରି ପୋକ ଆକ୍ରମଣର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅଧିକାରୀମାନେ ଜମିରେ ଫସଲର ଅବସ୍ଥା ଯାଞ୍ଚ କରିବା ସହ ପୋକ ଚିହ୍ନଟ ଓ ନିୟନ୍ତ୍ରଣ ସମ୍ପର୍କରେ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଏହାସହ ରୋଗ ଓ ପୋକ ନିରାକରଣ, କୀଟନାଶକ ଔଷଧର ଉପଯୁକ୍ତ ପ୍ରୟୋଗ ପଦ୍ଧତି ଏବଂ ଆବଶ୍ୟକ ସତର୍କତା ସମ୍ପର୍କରେ କୃଷି ଅଧିକାରୀମାନେ ଚାଷୀଙ୍କୁ ବୁଝାଇଥିଲେ। ବୈଜ୍ଞାନିକ ପଦ୍ଧତିରେ ଫସଲର ଯତ୍ନ ନେବା ସହ ପୋକର ଲକ୍ଷଣ ଦେଖାଦେଲେ ତୁରନ୍ତ କୃଷି ବିଭାଗ ସହ ଯୋଗାଯୋଗ କରିବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଥିଲା।
କୃଷି ବିଭାଗର ଟିମ୍ ଜମିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ପରାମର୍ଶ ଦେବା ପରେ ଚାଷୀଙ୍କ ମଧ୍ୟରେ କିଛିଟା ଆଶ୍ୱସ୍ତି ପ୍ରକାଶ ପାଇଛି। ତେବେ ଧାନ ଫସଲକୁ ପୋକ ଆକ୍ରମଣରୁ ସୁରକ୍ଷା ଦେବା ପାଇଁ ବିଭାଗୀୟ ପକ୍ଷରୁ ନିୟମିତ ନଜର ରଖିବାକୁ ଚାଷୀମାନେ ଦାବି କରିଛନ୍ତି।
