ଚିକିଟି | ଗଞ୍ଜାମ | ନ୍ୟୁଜନର୍ଭ | ଜଗନ୍ନାଥ ନାୟକ ||
ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ସୁନାପୁର ବେଳାଭୂମିରେ ଜନ୍ମଦିନ ପାଳନ କରିବାକୁ ଯାଇଥିବା ବେଳେ ଅଘଟଣ ଘଟିଛି। ସମୁଦ୍ରରେ ଗାଧୋଉଥିବା ସମୟରେ ଜଣେ ଯୁବକ ବୁଡ଼ିଯାଇ ନିଖୋଜ ହୋଇଛନ୍ତି। ନିଖୋଜ ଯୁବକ ହେଲେ କୁଟଲିଙ୍ଗ ଗ୍ରାମର ଆକ୍କାଲା ଯୁଧିଷ୍ଠିର (୨୨)।
ସୂଚନା ଅନୁଯାୟୀ, ଯୁଧିଷ୍ଠିରଙ୍କ ସମେତ ୧୪ ଜଣ ସାଙ୍ଗ ଜନ୍ମଦିନ ପାଳନ କରିବା ପାଇଁ ସୁନାପୁର ବେଳାଭୂମିକୁ ଯାଇଥିଲେ। ସେଠାରେ ସମସ୍ତେ ସମୁଦ୍ରରେ ଗାଧୋଉଥିବା ବେଳେ ହଠାତ୍ ଜୁଆର ଆସିବାରୁ ସମୁଦ୍ର ଢେଉରେ ୧୩ ଜଣ ଭାସିଯାଇଥିଲେ ମଧ୍ୟ କୌଣସି ପ୍ରକାରେ କୂଳକୁ ଫେରି ଆସିଥିଲେ। ତେବେ ଯୁଧିଷ୍ଠିର କୂଳକୁ ଆସିପାରିନଥିଲେ ଏବଂ ସମୁଦ୍ରରେ ନିଖୋଜ ହୋଇଯାଇଥିଲେ।

ଘଟଣା ପରେ ତାଙ୍କ ସାଙ୍ଗମାନେ ବେଳାଭୂମିରେ ନିୟୋଜିତ ବ୍ଲୁ ଫ୍ଲାଗ୍ ହୋମଗାର୍ଡଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଖବର ପାଇ ବ୍ରହ୍ମପୁର ଦମକଳ ବାହିନୀ, ଚିକିଟି ଅଗ୍ନିଶମ ବିଭାଗ ଏବଂ ମେରାଇନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମୁଦ୍ରରେ ଖୋଜାଖୋଜି ଆରମ୍ଭ କରିଥିଲେ।
ଦୀର୍ଘ ସମୟ ଧରି ଖୋଜାଖୋଜି କରାଯାଇଥିଲେ ମଧ୍ୟ ଏବେ ସୁଦ୍ଧା ଯୁଧିଷ୍ଠିରଙ୍କ କୌଣସି ସନ୍ଧାନ ମିଳିନାହିଁ। ଅନ୍ୟପକ୍ଷରେ ଘଟଣାର ଖବର ପାଇ ପରିବାର ଲୋକେ ଭାଙ୍ଗିପଡ଼ିଥିବା ବେଳେ କୁଟଲିଙ୍ଗ ଗ୍ରାମ ସମେତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଓ ପୁଲିସ ପକ୍ଷରୁ ଖୋଜାଖୋଜି ଜାରି ରହିଛି।
