ସ୍ୱତନ୍ତ୍ର ଅଭିଯାନ ୬.୦ ଅଧୀନରେ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ‘ରେଳ ଜନ ସମ୍ବାଦ’ ଆୟୋଜିତ

ଖୋର୍ଦ୍ଧା ଜିଲ୍ଲା | ସଞ୍ଜୀବ କୁମାର ||ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ୬.୦ର ଅଂଶସ୍ୱରୂପ ଭାରତୀୟ ରେଳବାଇ ପକ୍ଷରୁ ଦେଶର ୭,୦୦୦ରୁ ଅଧିକ ରେଳ ଷ୍ଟେସନରେ ଦେଶବ୍ୟାପୀ ଜନସମ୍ପର୍କ କାର୍ଯ୍ୟକ୍ରମ ‘ରେଳ ଜନ ସମ୍ବାଦ ‘ଆୟୋଜନ କରାଯାଇଥିଲା। ଯାତ୍ରୀମାନଙ୍କ ସହ ସିଧାସଳଖ ଆଲୋଚନା କରିବା, ସେମାନଙ୍କ ସମସ୍ୟା ଓ ଅଭିଯୋଗର ସମାଧାନ କରିବା ଏବଂ ରେଳସେବା ଓ ଯାତ୍ରୀ ସୁବିଧାରେ ଉନ୍ନତି ଆଣିବା ପାଇଁ ମୂଲ୍ୟବାନ ପରାମର୍ଶ ସଂଗ୍ରହ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଖୋର୍ଦ୍ଧା ରୋଡ୍ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଡି. ସୁନୀଲ ପୁରୀ ରେଳ ଷ୍ଟେସନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ସେ ଯାତ୍ରୀମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଅନୁଭୂତି, ମତାମତ ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ଏଥିସହ ଯାତ୍ରୀ ସୁବିଧାରେ ଉନ୍ନତି ଆଣିବା, ଷ୍ଟେସନ ପରିସରର ବିକାଶ କରିବା ଏବଂ ରେଳସେବାର ମାନ ବୃଦ୍ଧି କରିବା ନିମନ୍ତେ ସେ ଯାତ୍ରୀମାନଙ୍କଠାରୁ ମତାମତ ଓ ପରାମର୍ଶ ଲୋଡ଼ିଥିଲେ।ଏହି ଅବସରରେ ମଣ୍ଡଳ ଅଧୀନରେ ଥିବା ଅନ୍ୟାନ୍ୟ ଷ୍ଟେସନରେ ମଧ୍ୟ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଓ ବିଭିନ୍ନ ବିଭାଗ ର ଅଧିକାରୀମାନଙ୍କ ତତ୍ତ୍ୱାବଧାନରେ ଏକକାଳୀନ ଆଲୋଚନା, ଯାତ୍ରୀମାନଙ୍କ ମତାମତ ସଂଗ୍ରହ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହା ମାଧ୍ୟମରେ ଯାତ୍ରୀମାନେ ରେଳ ଅଧିକାରୀମାନଙ୍କ ସହ ସିଧାସଳଖ ନିଜର ମତାମତ ଓ ପରାମର୍ଶ ବିନିମୟ କରିବାର ସୁଯୋଗ ପାଇଥିଲେ।ଏଥିସହ ମଣ୍ଡଳର ବିଭିନ୍ନ ରେଳ ଷ୍ଟେସନରେ ସ୍ୱଚ୍ଛତା ଅଭିଯାନ ମଧ୍ୟ ଆୟୋଜନ କରାଯାଇଥିଲା। ଏହି ଅଭିଯାନରେ ରେଳ କର୍ମଚାରୀମାନେ ପ୍ଲାଟଫର୍ମ, ଷ୍ଟେସନ ପରିସର ଓ ଏହାର ଆଖପାଖ ଅଞ୍ଚଳକୁ ସଫାସୁତୁରା ରଖିବାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଯାତ୍ରୀମାନଙ୍କ ପାଇଁ ପରିଷ୍କାର ପରିଚ୍ଛନ୍ନ, ସୁସ୍ଥ ଓ ମନୋରମ ପରିବେଶ ସୁନିଶ୍ଚିତ କରିବା ଉପରେ ଏହି ଅଭିଯାନରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।ଖୋର୍ଦ୍ଧା ରୋଡ୍ ମଣ୍ଡଳ ଅଧୀନରେ ଥିବା ଅନୁଗୁଳ, ବାଲୁଗାଁ, ଭଦ୍ରକ, ଭୁବନେଶ୍ୱର, ବ୍ରହ୍ମପୁର, କଟକ, ଢେଙ୍କାନାଳ, ଯାଜପୁର କେନ୍ଦୁଝର ରୋଡ୍, ଖୋର୍ଦ୍ଧା ରୋଡ୍, ପାରାଦୀପ, ପୁରୀ, ତାଳଚେର, ତାଳଚେର ରୋଡ୍, କେନ୍ଦୁଝରଗଡ଼ ସମେତ ଅନ୍ୟାନ୍ୟ ପ୍ରମୁଖ ରେଳ ଷ୍ଟେସନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଖୋର୍ଦ୍ଧା ରୋଡ୍ ମଣ୍ଡଳ ଯାତ୍ରୀକୈନ୍ଦ୍ରିକ ସେବା ପ୍ରଦାନ, ଅଭିଯୋଗର ତ୍ୱରିତ ଓ ପ୍ରଭାବୀ ସମାଧାନ, ଯାତ୍ରୀ ସୁବିଧାର ବିକାଶ ଏବଂ ରେଳ ଷ୍ଟେସନଗୁଡ଼ିକରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ପ୍ରତିବଦ୍ଧ। ଯାତ୍ରୀମାନଙ୍କ ସହ ନିରନ୍ତର ଯୋଗାଯୋଗ ରକ୍ଷା କରିବା ଓ ରେଳସେବାର ମାନରେ ନିରନ୍ତର ଉନ୍ନତି ଆଣିବା ମାଧ୍ୟମରେ ସମସ୍ତଙ୍କ ପାଇଁ ନିରାପଦ, ନିର୍ଭରଯୋଗ୍ୟ ଓ ଆରାମଦାୟକ ରେଳଯାତ୍ରା ସୁନିଶ୍ଚିତ କରିବାକୁ ମଣ୍ଡଳ ପୁନର୍ବାର ନିଜର ପ୍ରତିବଦ୍ଧତା ପ୍ରକାଶ କରିଛି।

Smart Computer Ad
You might also like
error: Content is protected !!