ଖୋର୍ଦ୍ଧା ଜିଲ୍ଲା | ସଞ୍ଜୀବ କୁମାର ||
ବାହାରକୁ ବାହାରିଲେ ଟାଇଁ ଟାଇଁ ତାତି। ରାତିରେ ଗରମ ଗୁଳୁଗୁଳି କାହିଁରେ କଣ। ହେଲେ ଅସହ୍ୟ ଖରା ଭିତରେ ଓଡ଼ିଶାକୁ ଡରାଇଲାଣି ଅକ୍ଟୋବର। ବଙ୍ଗୋପସାଗରରୁ ଆସିଲାଣି ବାତ୍ୟା ଭୟ। ଛନକା ବଢାଇଛି ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ। ଆଇଏମଡିର ଆକଳନ କହୁଛି, ଅକ୍ଟୋବର ଦ୍ବିତୀୟ ସପ୍ତାହ ଅର୍ଥାତ ଆସନ୍ତା ୧୨ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ପ୍ରବେଶ କରିପାରେ ଆଉ ଏକ ଘୂର୍ଣ୍ଣିବଳୟ। ଯାହାକି ୧୩ରେ ନେବ ଲଘୁଚାପ ରୂପ। ପରେ ଅଧିକ ଘନୀଭୂତ ହୋଇ ୧୫ ତାରିଖ ବେଳକୁ କେନ୍ଦ୍ରୀୟ ଓ ପାର୍ଶ୍ବବର୍ତ୍ତୀ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇପାରେ। ତେବେ ତାହା ଅଧିକ ଘନୀଭୂତ ହେବ କି ନାହିଁ ସେନେଇ ସ୍ପଷ୍ଟ ଆକଳନ କରାଯାଇନି। ତଥାପି ସେହି ସମୟରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ମୌସୁମୀ ସଂପୂର୍ଣ୍ଣ ଫେରିସାରିଥିବ। ଏହାସହିତ ମୌସୁମୀ ପରବର୍ତ୍ତୀ ସାଇକ୍ଲୋନ୍ ସିଜିନ୍ ଆରମ୍ଭ ହୋଇଯାଇଥିବା। ସେ ଦୃଷ୍ଟିରୁ ବାତ୍ୟା ସୃଷ୍ଟି ପାଇଁ ପାଗ ଅନୁକୂଳ ଥିବ। ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁସାରେ, ବଙ୍ଗୋପସାଗରରେ ଦୁର୍ବଳ ଅବପାତ ଗଠନ ହୋଇପାରେ। ୧୫ ତାରିଖ ପରେ ଏହାର ଗତିପଥ ଓ ଶକ୍ତି କଣ ରହିବ, ସେନେଇ ଏଯାଏଁ ଅନିଶ୍ଚିତତା ଲାଗିରହିଛି।*
ଏପଟେ ECMWF, GFS ଓ NCUM ପରି କିଛି ବିଶ୍ବସ୍ତରୀୟ ପାଣିପାଗ ମଡେଲଲ ଆକଳନ କରୁଛି, ସମ୍ଭାବ୍ୟ ଘୂର୍ଣ୍ଣିବଳୟ ବଙ୍ଗୋପସାଗରରେ ବାତ୍ୟା ରୂପ ନେଇପାରେ। ଯାହାକି ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳକୁ ମୁହାଁଇପାରେ। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ମଧ୍ୟ ସାଇକ୍ଲୋନ୍ ଆଡ଼ଙ୍କୁ ଇଙ୍ଗିତ କରୁଛି। ତାଙ୍କ ସୂଚନା ଅନୁସାରେ, ଆସନ୍ତା ୮ରୁ ୧୫ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇପାରେ। କିନ୍ତୁ ଏହାର ତୀବ୍ରତା, ଗତିପଥ ନେଇ ଏପର୍ଯ୍ୟନ୍ତ ଆକଳନ କରାଯାଇନି। ଓଡ଼ିଶା ପ୍ରତି କୌଣସି ବିପଦ ସଂକେତ ମଧ୍ୟ ମିଳିନାହିଁ । ଆସନ୍ତା ସପ୍ତାହରେ ଏନେଇ ଏକ ସ୍ପଷ୍ଟ ଚିତ୍ର ଆସିପାରେ।
୧୯୯୯ ଅକ୍ଟୋବର ୨୯ରେ ମହାବାତ୍ୟା, ୨୦୧୩ ଅକ୍ଟୋବର ୧୧ରେ ଫାଇଲିନ୍, ୨୦୧୪ ଅକ୍ଟୋବର ୧୨ରେ ହୁଡହୁଡ୍, ୨୦୧୮ ଅକ୍ଟୋବର ୧୧ରେ ତିତିଲି ଓଡ଼ିଶାକୁ ଅନେକ କ୍ଷତି ପହଞ୍ଚାଇଛି। ଏବେ ପୁଣି ଅକ୍ଟୋବରରେ ବାତ୍ୟା ଆଶଙ୍କା ଭୟ ବଢାଇଛି। ତେବେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଶକ୍ତିଶାଳୀ ହୋଇ ସାଇକ୍ଲୋନ୍ ରୂପ ନେବ ନା ପୁଣି ଥରେ ଓଡ଼ିଶାରେ କେବଳ ପ୍ରବଳ ବର୍ଷା କରାଇବ ତା ଉପରେ ନଜର ରହିଛି। ଏସବୁ ଭିତରେ ଦଶହରା ଧୋଇଯିବାର ମଧ୍ୟ ଆଶଙ୍କା ଦେଖାଦେଇଛି। ଅନ୍ୟପଟେ ଚଳିତ ମୌସୁମୀ ଋତୁରେ ୧୨ଟି ଲଘୁଚାପ ପ୍ରଭାବରେ ଏକାଧିକ ଥର ବନ୍ୟା ସହିତ ଜନଜୀବନ ବେହାଲ ହୋଇପଡ଼ିଛି। ଏଭଳି ସ୍ଥିତିରେ ସମ୍ଭାବ୍ୟ ଲଘୁଚାପକୁ ନେଇ ଭୟ ବଢିଛି।
