ଆନନ୍ଦ ଉଲ୍ଲାସରେ ଖୁଦୁରୁକୁଣୀ ଓଷା ଉଦ୍‌ଯାପିତ

ବାଲିଗୁଡ଼ା, ତା. ୨୧/୦୯: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ସହର ସମେତ ଏହାର ଆଖପାଖ ଅଞ୍ଚଳରେ ଭକ୍ତି, ଶ୍ରଦ୍ଧା, ପରମ୍ପରା ଓ ଆନନ୍ଦ ଉଲ୍ଲାସର ପରିବେଶ ମଧ୍ୟରେ ପବିତ୍ର ଖୁଦୁରୁକୁଣୀ ଓଷା ଧୁମ୍‌ଧାମରେ ଉଦ୍‌ଯାପିତ ହୋଇଯାଇଛି। ଚାରି ପାଳି ପୂଜା ପରେ ଶେଷ ରବିବାରରେ ମା’ ଖୁଦୁରୁକୁଣୀଙ୍କ ପୂଜାର୍ଚ୍ଚନା, ଭୋଗ ଓ ବିଭିନ୍ନ ପାରମ୍ପରିକ ରୀତିନୀତି ସମ୍ପନ୍ନ କରାଯାଇ ମା’ଙ୍କୁ ବିଦାୟ ଦିଆଯାଇଥିଲା। ଏହାକୁ ନେଇ ସମଗ୍ର ଅଞ୍ଚଳରେ ଦିନତମାମ ଏକ ଭକ୍ତିମୟ ତଥା ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଥିଲା।ଖୁଦୁରୁକୁଣୀ ଓଷା ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ଏକ ପ୍ରମୁଖ ପର୍ବ। ବିଶେଷକରି ମହିଳା ଓ ଯୁବତୀମାନେ ଏହି ଓଷାକୁ ନିଷ୍ଠା ଓ ଭକ୍ତିର ସହ ପାଳନ କରିଥାନ୍ତି। ଚାରି ସପ୍ତାହ ଧରି ପ୍ରତ୍ୟେକ ରବିବାର ମା’ଙ୍କ ପୂଜା କରାଯିବା ପରେ ଶେଷ ପାଳିରେ ଉତ୍ସବର ଉଦ୍‌ଯାପନ ହୋଇଥିଲା।ଉଦ୍‌ଯାପନ ଦିନ ସକାଳୁ ବିଭିନ୍ନ ପୂଜା ମଣ୍ଡପରେ ଓଷାଧାରୀ ମହିଳା ଓ ଯୁବତୀମାନଙ୍କ ଭିଡ଼ ଜମିଥିଲା। ନୂଆ ବସ୍ତ୍ର ପରିଧାନ କରି ଓଷାଧାରୀମାନେ ମା’ ଖୁଦୁରୁକୁଣୀଙ୍କ ନିକଟରେ ପାରମ୍ପରିକ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ। ମା’ଙ୍କ ନିକଟରେ ବିଭିନ୍ନ ପ୍ରକାର ଫଳମୂଳ, ଫୁଲ, ନଡ଼ିଆ ସମେତ ବିଭିନ୍ନ ପୂଜା ସାମଗ୍ରୀ ଅର୍ପଣ କରାଯାଇଥିଲା। ମା’ଙ୍କ ଆଶୀର୍ବାଦ ଲାଭ କରି ପରିବାରର ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରି ମହିଳାମାନେ ପ୍ରାର୍ଥନା କରିଥିଲେ।ଦିନ ବଢ଼ିବା ସହିତ ପୂଜା ମଣ୍ଡପଗୁଡ଼ିକରେ ଭକ୍ତଙ୍କ ସମାଗମ ମଧ୍ୟ ବଢ଼ିଥିଲା। ମା’ଙ୍କ ଦର୍ଶନ ପାଇଁ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ବହୁ ଲୋକଙ୍କ ଆଗମନ ହୋଇଥିଲା। ପୂଜା ମଣ୍ଡପଗୁଡ଼ିକ ଫୁଲ, ଆଲୋକମାଳା ଓ

ଆନନ୍ଦ ଉଲ୍ଲାସରେ ଖୁଦୁରୁକୁଣୀ ଓଷା ଉଦ୍‌ଯାପିତ

ବିଭିନ୍ନ ସାଜସଜ୍ଜାରେ ସୁସଜ୍ଜିତ ହୋଇଥିବାରୁ ପରିବେଶ ଅଧିକ ଆକର୍ଷଣୀୟ ହୋଇଉଠିଥିଲା।ସନ୍ଧ୍ୟା ସମୟରେ ପାରମ୍ପରିକ ପୂଜାବିଧି ସମାପ୍ତ ହେବା ପରେ ମା’ ଖୁଦୁରୁକୁଣୀଙ୍କୁ ବିସର୍ଜନ ପାଇଁ ନିଆଯାଇଥିଲା। ଢୋଲ, ମହୁରୀ ଓ ବିଭିନ୍ନ ବାଦ୍ୟଯନ୍ତ୍ରର ତାଳେ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରାରେ ଓଷାଧାରୀ ମହିଳା, ଯୁବତୀ, ଶିଶୁ ଓ ଯୁବକମାନେ ସାମିଲ ହୋଇଥିଲେ। ବାଦ୍ୟର ତାଳେ ତାଳେ ନାଚଗୀତରେ ମସଗୁଲ ହୋଇ ଭକ୍ତମାନେ ଉତ୍ସବର ଆନନ୍ଦ ଉପଭୋଗ କରିଥିଲେ।ଏହି ଅବସରରେ ବିଭିନ୍ନ ପୂଜା ମଣ୍ଡପ ଓ ଶୋଭାଯାତ୍ରା ପଥରେ ଲୋକଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା। ମା’ଙ୍କ ବିସର୍ଜନ ବେଳେ ଭକ୍ତିମୟ ପରିବେଶ ସହ ଉତ୍ସବର ଉଲ୍ଲାସ ଏକାକାର ହୋଇଯାଇଥିଲା। ମା’ଙ୍କୁ ବିଦାୟ ଦେବା ବେଳେ ଓଷାଧାରୀମାନଙ୍କ ମଧ୍ୟରେ ଭାବବିହ୍ୱଳ ପରିବେଶ ମଧ୍ୟ ସୃଷ୍ଟି ହୋଇଥିଲା।ଖୁଦୁରୁକୁଣୀ ଓଷା କେବଳ ଏକ ଧାର୍ମିକ ଆୟୋଜନ ନୁହେଁ, ବରଂ ଏହା ଭାଇଚାରା, ସାମାଜିକ ଏକତା ଓ ପରସ୍ପର ସଦ୍‌ଭାବର ଏକ ସୁନ୍ଦର ପରମ୍ପରା ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ଓଷା ଅବସରରେ ବିଭିନ୍ନ ବର୍ଗର ଲୋକେ ଏକାଠି ହୋଇ ଉତ୍ସବରେ ସାମିଲ ହେବା ଫଳରେ ସାମାଜିକ ସମ୍ପର୍କ ଆହୁରି ମଜବୁତ ହୋଇଥିଲା।ମା’ ଖୁଦୁରୁକୁଣୀଙ୍କ ପୂଜାରୁ ଆରମ୍ଭ ହୋଇଥିବା ଏହି ଭକ୍ତିମୟ ଉତ୍ସବ ଶେଷରେ ଆନନ୍ଦ ଓ ଉଲ୍ଲାସର ସହ ବିଦାୟ ନେଇଥିଲା। ମା’ଙ୍କ ଆଗମନରେ ଯେପରି ସମଗ୍ର ଅଞ୍ଚଳ ଭକ୍ତିରେ ଭରିଯାଇଥିଲା, ବିସର୍ଜନ ପରେ ମଧ୍ୟ ତାହାର ଆଧ୍ୟାତ୍ମିକ ମାହୋଲ ଓ ଉତ୍ସବର ସ୍ମୃତି ଲୋକଙ୍କ ମନରେ ରହିଯାଇଛି।

Smart Computer Ad
You might also like
error: Content is protected !!