ନକଲି MVI ସାଜି ଗାଡ଼ି ଯାଞ୍ଚ, ଚାକିରି ଦେବା ନାଁରେ ୭.୧୮ ଲକ୍ଷ ଠକେଇବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କଠାରୁ ଟଙ୍କା ନେବା ଅଭିଯୋଗ; ଅଭିଯୁକ୍ତ ଗିରଫ
ବାଲିଗୁଡା , ୧୯/୦୯ : ସୁକାନ୍ତ କୁମାର ତ୍ରିପାଠୀ ନିଜକୁ ଆର୍ଟିଓ ବିଭାଗର ଏମ୍ଭିଆଇ ଅଧିକାରୀ ଭାବେ ପରିଚୟ ଦେଇ ନକଲି ଭାବେ ଗାଡ଼ି ଯାଞ୍ଚ କରିବା ସହ ଜଣେ ମହିଳାଙ୍କୁ ନିୟମିତ ସରକାରୀ ଚାକିରି କରାଇଦେବା ଏବଂ ବିବାହ କରିବାର ପ୍ରତିଶ୍ରୁତି ଦେଇ ୭ ଲକ୍ଷ ୧୮ ହଜାର ୮୫୧ ଟଙ୍କା ଠକେଇ କରିଥିବା ଅଭିଯୋଗରେ କନ୍ଧମାଳ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଧର୍ମେନ୍ଦ୍ର କୁମାର ବେହେରା ଓରଫ ନିଲ କୁମାର ପଟ୍ଟନାୟକ। ତାଙ୍କ ଘର ଚକାପାଦ ଥାନା ଅନ୍ତର୍ଗତ ଚକାପାଦ ତୋଟାସାହି ଗ୍ରାମରେ ବୋଲି ପୋଲିସ କହିଛି।ପୋଲିସ ସୂଚନା ଅନୁଯାୟୀ, ପ୍ରାୟ ଏକ ବର୍ଷ ପୂର୍ବେ ଅଭିଯୁକ୍ତ ଜଣକ ଅଭିଯୋଗକାରୀ ମହିଳାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଏଥିସହ ସେ ନିଜକୁ

ଆର୍ଟିଓ ବିଭାଗର ଜଣେ ଏମ୍ଭିଆଇ ଅଧିକାରୀ ଭାବେ ପରିଚୟ ଦେଇ ମହିଳା ଓ ତାଙ୍କ ପରିବାରର ବିଶ୍ୱାସ ହାସଲ କରିଥିଲେ। ପରେ ବରିଷ୍ଠ ସରକାରୀ ଅଧିକାରୀଙ୍କ ସହ ନିଜର ଭଲ ସମ୍ପର୍କ ଥିବା ଦାବି କରି ମହିଳାଙ୍କୁ ଏକ ନିୟମିତ ସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇଥିଲେ।ଅଭିଯୁକ୍ତଙ୍କ କଥାକୁ ବିଶ୍ୱାସ କରି ଅଭିଯୋଗକାରୀ ମହିଳା ୨୬ ଜୁନ୍ ୨୦୨୫ରୁ ୨୦ ଜାନୁଆରୀ ୨୦୨୬ ମଧ୍ୟରେ ବିଭିନ୍ନ ମାଧ୍ୟମ ଓ ଫୋନ୍ପେ ଜରିଆରେ ଅଭିଯୁକ୍ତଙ୍କ ବ୍ୟାଙ୍କ ଖାତାକୁ ମୋଟ ୭,୧୮,୮୫୧ ଟଙ୍କା ପଠାଇଥିଲେ। ତେବେ ଦୀର୍ଘ ସମୟ ବିତିଯିବା ପରେ ମଧ୍ୟ ଚାକିରି ନ ହେବାରୁ ମହିଳା ଜଣକ ଟଙ୍କା ଫେରସ୍ତ ମାଗିଥିଲେ। ଏହାପରେ ଅଭିଯୁକ୍ତ କୌଣସି ଉତ୍ତର ନଦେଇ ମୋବାଇଲ୍ ଫୋନ୍ ବନ୍ଦ

କରିଦେଇଥିବା ଅଭିଯୋଗ ହୋଇଛି।ଘଟଣାକୁ ନେଇ ମହିଳା ଜଣକ ସାରଙ୍ଗଡ଼ ଥାନାରେ ଅଭିଯୋଗ କରିଥିଲେ। ତଦନ୍ତ ସମୟରେ ପୋଲିସ ଅଭିଯୁକ୍ତଙ୍କ ପରିଚୟ ଓ ତାଙ୍କ କାର୍ଯ୍ୟକଳାପ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲା। ସାରଙ୍ଗଡ଼ ଥାନାରେ ମାମଲା ରୁଜୁ ପରେ ଅଭିଯୁକ୍ତ ଧର୍ମେନ୍ଦ୍ର କୁମାର ବେହେରାଙ୍କୁ ପାବୁରିଆ ଛକ ନିକଟରୁ ଗିରଫ କରାଯାଇଥିଲା।ପୋଲିସ କହିଛି ଯେ, ଗିରଫ ସମୟରେ ଅଭିଯୁକ୍ତ ତାଙ୍କ କିଛି ସହଯୋଗୀଙ୍କ ସହ ଗାଡ଼ି ଯାଞ୍ଚ କରୁଥିଲେ। ସେତେବେଳେ ସେ OMVD ୟୁନିଫର୍ମ ପିନ୍ଧିଥିବା ସହ ଗାଡ଼ିରେ କମଳା ରଙ୍ଗର ଆଲୋକ ଲଗାଇଥିଲେ। ଏଭଳି ଭାବେ ସେ ନିଜକୁ ଜଣେ ପ୍ରାଧିକୃତ ମୋଟର ଯାନ ନିରୀକ୍ଷକ ଭାବେ ଉପସ୍ଥାପନ କରୁଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି।ପଚରାଉଚରା ସମୟରେ ଅଭିଯୁକ୍ତ ନିଜକୁ ଆର୍ଟିଓ ବିଭାଗର ଏମ୍ଭିଆଇ ଅଧିକାରୀ ଭାବେ ମିଥ୍ୟା
ପରିଚୟ ଦେଇ ଲୋକଙ୍କୁ ପ୍ରଭାବିତ କରୁଥିବା ଏବଂ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗାଡ଼ି ଯାଞ୍ଚ କରୁଥିବା ସମ୍ପର୍କରେ ପୋଲିସ ତଥ୍ୟ ପାଇଥିବା କହିଛି। ସେ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ମଧ୍ୟ ଯାଇ ନିଜକୁ ସରକାରୀ ଅଧିକାରୀ ଭାବେ ପରିଚୟ ଦେଉଥିବା ଅଭିଯୋଗ ରହିଛି।ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଅଭିଯୁକ୍ତ ଏକାଧିକ ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଆର୍ଥିକ ଠକେଇ କରିଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଅଭିଯୁକ୍ତଙ୍କ ଦ୍ୱାରା ଆଉ କେହି ଠକେଇର ଶିକାର ହୋଇଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।ଗିରଫ ଅଭିଯୁକ୍ତଙ୍କୁ ଆଇନଗତ ପ୍ରକ୍ରିୟା ଅନୁସାରେ ଏସ୍ଡିଜେଏମ୍ କୋର୍ଟ, ବାଲିଗୁଡ଼ାକୁ ପଠାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
