କ.ନୂଆଗାଁ, ୧୭/୦୯: ସୁକାନ୍ତ କୁମାର ତ୍ରିପାଠୀ
ରାତ୍ରିକାଳୀନ ପୋଲିସ ପେଟ୍ରୋଲିଂ ସମୟରେ ଯାତ୍ରୀବାହୀ ବସ୍ରେ ଚାଲାଣ ହେଉଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। କନ୍ଧମାଳ ଜିଲ୍ଲାର କ.ନୂଆଗାଁ ଥାନା ପୋଲିସ ୬୩ କେଜି ୩୦୦ ଗ୍ରାମ ଗଞ୍ଜେଇ ସହ ଏକ ଯାତ୍ରୀବାହୀ ବସ୍କୁ ଜବତ କରିବା ସହ ଏହି ଘଟଣାରେ ବସ୍ର ଡ୍ରାଇଭର, କଣ୍ଡକ୍ଟର ଓ ହେଲପରଙ୍କୁ ଗିରଫ କରିଛି।ପୋଲିସ ସୂଚନା ଅନୁସାରେ, ବିଶ୍ୱସ୍ତ ସୂତ୍ରରୁ ବସ୍ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ କ.ନୂଆଗାଁ ଥାନା ପୋଲିସର ଏକ ଟିମ୍ ରାତ୍ରିକାଳୀନ ପେଟ୍ରୋଲିଂକୁ ଜୋରଦାର କରିଥିଲା। ଏହି ସମୟରେ ବାଲିଗୁଡ଼ାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ‘ବେଲୁନ’ ଯାତ୍ରୀବାହୀ ବସ୍ ନମ୍ବର OD-02-AC-1151 ଉପରେ ପୋଲିସର ସନ୍ଦେହ ହୋଇଥିଲା।

ପରେ ବସ୍କୁ ଅଟକାଇ ତଲାସୀ କରାଯାଇଥିଲା।ତଲାସୀ ବେଳେ ବସ୍ରେ ଜରି ଅଖାରେ ଲୁଚାଇ ରଖାଯାଇଥିବା ଗଞ୍ଜେଇ ପୋଲିସ ଠାବ କରିଥିଲା। ଘଟଣାସ୍ଥଳରେ ମାଜିଷ୍ଟ୍ରେଟ ଭାବେ ବାଲିଗୁଡ଼ା ଉପଜିଲ୍ଲାପାଳ କାର୍ଯ୍ୟାଳୟର ଅତିରିକ୍ତ ଉପଜିଲ୍ଲାପାଳ ଅଭିନାଶ ପଣ୍ଡାଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିବା ବେଳେ ଏହାର ପରିମାଣ ୬୩ କେଜି ୩୦୦ ଗ୍ରାମ ବୋଲି ଜଣାପଡ଼ିଥିଲା।ଏହି ଘଟଣାରେ ପୋଲିସ ବସ୍ର ଡ୍ରାଇଭର ସୁଦର୍ଶନ ନାୟକ, କଣ୍ଡକ୍ଟର ହମିଦ ଖାନ ଓ ହେଲପର ବିନୋଦ ମଲ୍ଲିକଙ୍କୁ ଗିରଫ କରିଛି। ଏଥିସହ ଗଞ୍ଜେଇ ଚାଲାଣରେ ବ୍ୟବହୃତ ଯାତ୍ରୀବାହୀ ବସ୍ଟିକୁ ମଧ୍ୟ ପୋଲିସ ଜବତ

କରିଛି।ପେଟ୍ରୋଲିଂ ଟିମ୍ରେ କ.ନୂଆଗାଁ ଥାନା ଅଧିକାରୀ କେଳୁଚରଣ ଜେନା, ସେକେଣ୍ଡ ଅଫିସର ଅଶୋକ କୁମାର ତ୍ରିପାଠୀ, ଏଏସ୍ଆଇ ବାସୁଦେବ ପଣ୍ଡା, ସୁରେନ୍ଦ୍ର ରାଜହଂସଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ସାମିଲ ଥିଲେ।ଏ ସଂକ୍ରାନ୍ତରେ କ.ନୂଆଗାଁ ଥାନାରେ କେସ୍ ନଂ-୧୩୫/୨୦୨୬ ରେ ଏନ୍ଡିପିଏସ୍ ଆଇନ ଅଧୀନରେ ମାମଲା ରୁଜୁ ହୋଇଛି। ଗିରଫ ତିନି ବସ୍ କର୍ମଚାରୀଙ୍କୁ ଆଇନଗତ ପ୍ରକ୍ରିୟା ପରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ କେଳୁଚରଣ ଜେନା ସୂଚନା ଦେଇଛନ୍ତି।
