ବାଲିଗୁଡ଼ା,୧୪/୦୯: ସୁକାନ୍ତ କୁମାର ତ୍ରିପାଠୀ ବାଲିଗୁଡ଼ା ସ୍ଥିତ ସାଇ ପ୍ରଭୁଜୀ ଗ୍ଲୋବାଲ ସ୍କୁଲ ପରିସରରେ ପବିତ୍ର ଓ ଭକ୍ତିମୟ ପରିବେଶ ମଧ୍ୟରେ ବିଘ୍ନବିନାଶକ ଶ୍ରୀଗଣେଶଙ୍କ ପୂଜା ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା, ମଙ୍ଗଳକାମନା ସହ ବିଦ୍ୟାଳୟ ପରିସର ସାରା ଦିନ ଉତ୍ସବମୁଖର ହୋଇ ରହିଥିଲା।ପୂଜା ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ରବି ନାରାୟଣ ମିଶ୍ର ଓ ସମ୍ପାଦକ ଅଭିଜିତ ମିଶ୍ରଙ୍କ ସମେତ ବିଦ୍ୟାଳୟର କର୍ମକର୍ତ୍ତା, ଶିକ୍ଷକ-ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରିଥିଲେ। ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ମଧ୍ୟ ଏହି ଧାର୍ମିକ ଉତ୍ସବରେ ଯୋଗଦେଇଥିଲେ।ଗଣେଶ ପୂଜାକୁ ନେଇ ବିଦ୍ୟାଳୟ ପରିସରରେ ସୁନ୍ଦର ସାଜସଜ୍ଜା କରାଯାଇଥିବା ବେଳେ ପୂଜାସ୍ଥଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ପୂଜା ପରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ମନୋରଞ୍ଜନ ପାଇଁ ଗୀତ ଓ ନୃତ୍ୟର ଆୟୋଜନ କରାଯାଇଥିଲା।

ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଉପସ୍ଥିତ ଅନ୍ୟମାନେ ମଧ୍ୟ ଉତ୍ସାହର ସହ ଭାଗ ନେଇଥିଲେ।ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ସମସ୍ତଙ୍କ ପାଇଁ ଭୋଜିର ମଧ୍ୟ ଆୟୋଜନ କରାଯାଇଥିଲା। ଉପସ୍ଥିତ ଜନସାଧାରଣ, ଅଭିଭାବକ, ଶିକ୍ଷକ-ଶିକ୍ଷୟିତ୍ରୀ, ବିଦ୍ୟାଳୟର କର୍ମକର୍ତ୍ତା ଓ ଛାତ୍ରଛାତ୍ରୀମାନେ ଏକାଠି ବସି ଅନ୍ନ ପ୍ରସାଦ ସେବନ କରିଥିଲେ। ଏହା ଫଳରେ ପୂଜା ଅବସରରେ ଏକ ଆତ୍ମୀୟତା ଓ ସାମାଜିକ ସଦ୍ଭାବର ପରିବେଶ ସୃଷ୍ଟି ହୋଇଥିଲା।ଶିକ୍ଷା ସହିତ ଛାତ୍ରଛାତ୍ରୀଙ୍କ ମନରେ ଧାର୍ମିକ, ସାଂସ୍କୃତିକ ଓ ପାରମ୍ପରିକ ମୂଲ୍ୟବୋଧକୁ ଉଜ୍ଜୀବିତ କରିବା ଏଭଳି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଦ୍ୟାଳୟ ପକ୍ଷରୁ ପ୍ରକାଶ କରାଯାଇଥିଲା। ସମସ୍ତଙ୍କ ସହଯୋଗ ଓ ଉତ୍ସାହ ଯୋଗୁଁ ଗଣେଶ ପୂଜା ଆନନ୍ଦ, ଭକ୍ତି ଓ ଉତ୍ସବର ଏକ ମିଳନ ଉତ୍ସବରେ ପରିଣତ ହୋଇଥିଲା।


