ବାଲିଗୁଡ଼ା : ୧୪/୦୯: ସୁକାନ୍ତ କୁମାର ତ୍ରିପାଠୀ :ପାର୍ବଣର ଆନନ୍ଦରେ ବାଲିଗୁଡ଼ା ସହର ଯେତେବେଳେ ଉତ୍ସବମୁଖର, ସେତିକିବେଳେ ସୋମବାର ଅପରାହ୍ନରେ ପାଣିପାଗର ହଠାତ୍ ପରିବର୍ତ୍ତନ ଜନଜୀବନରେ ସୃଷ୍ଟି କରିଥିଲା ଅସ୍ଥାୟୀ ବିଭ୍ରାଟ। ଅପରାହ୍ନ ପ୍ରାୟ ୪ଟା ୩୦ ମିନିଟ୍ ସମୟରେ ଆକାଶ ହଠାତ୍ ଘନ କଳାହାଣ୍ଡିଆ ମେଘରେ ଆଚ୍ଛାଦିତ ହୋଇଯିବା ପରେ ଆରମ୍ଭ ହୋଇଥିଲା ପ୍ରବଳ ବର୍ଷା। ବର୍ଷା ସାଙ୍ଗକୁ ଘଡ଼ଘଡ଼ିର ଗର୍ଜନ ପରିବେଶକୁ କରିଦେଇଥିଲା ଗମ୍ଭୀର।ପ୍ରାୟ ଅଧଘଣ୍ଟା ଧରି ଅବିରତ ବର୍ଷା ହେବାରୁ ବାଲିଗୁଡ଼ା ସହରର ରାସ୍ତାଘାଟରେ ଗମନାଗମନ ବ୍ୟବସ୍ଥା କିଛି ସମୟ ପାଇଁ ମନ୍ଥର ହୋଇପଡ଼ିଥିଲା। ବିନା ପୂର୍ବ ସୂଚନାରେ ବର୍ଷା ଆସିଥିବାରୁ ରାସ୍ତାରେ ଯାତାୟାତ କରୁଥିବା ଅନେକ ଲୋକ ଅଚାନକ ଅଟକି ଯାଇଥିଲେ। ବିଶେଷକରି ବାଇକ୍ ଓ ଅନ୍ୟ ଦୁଇଚକିଆ ଯାନ ଚଳାଚଳ ବେଶ୍ ପ୍ରଭାବିତ ହୋଇଥିଲା। ବର୍ଷାରୁ ରକ୍ଷା ପାଇବା ପାଇଁ ଲୋକେ ଦୋକାନ, ଘର ଓ ଅନ୍ୟାନ୍ୟ ଆଶ୍ରୟସ୍ଥଳରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଥିଲା।ଏପଟେ ପାର୍ବଣ ଋତୁ ଚାଲିଥିବାରୁ ବାଲିଗୁଡ଼ା



ସହରର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଧୁମଧାମରେ ପାଳିତ ହେଉଛି। ପୂଜା ମଣ୍ଡପଗୁଡ଼ିକରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ସହ ଉତ୍ସବର ମାହୋଲ ଜମିଥିବା ବେଳେ ଅଚାନକ ବର୍ଷା କିଛି ସମୟ ପାଇଁ ସେହି ଉତ୍ସବୀୟ ପରିବେଶରେ ବାଧା ସୃଷ୍ଟି କରିଥିଲା। ପୂଜା ମଣ୍ଡପ ଓ ବଜାର ଅଞ୍ଚଳରେ ଚଳଚଞ୍ଚଳତା ହଠାତ୍ ହ୍ରାସ ପାଇଥିଲା।ପ୍ରବଳ ବର୍ଷା ସହ ଘଡ଼ଘଡ଼ିର ତୀବ୍ର ଗର୍ଜନ ଲୋକଙ୍କ ମନରେ ମଧ୍ୟ ଏକପ୍ରକାର ଆଶଙ୍କା ସୃଷ୍ଟି କରିଥିଲା। ଆକାଶର ଗର୍ଜନ ଓ ଧାରାବାହିକ ବର୍ଷାରେ କିଛି ସମୟ ପାଇଁ ସହରର ସାଧାରଣ ଜୀବନଯାତ୍ରା ଯେପରି ଥମ୍କି ଯାଇଥିଲା।ତେବେ ଦୀର୍ଘଦିନ ଧରି ଅନୁଭୂତ ହେଉଥିବା ଗରମ ଓ ଗୁଳୁଗୁଳି ପରେ ଏହି ବର୍ଷା ଲୋକଙ୍କୁ ଆଣିଦେଇଛି ଆଶ୍ୱସ୍ତି। ବର୍ଷା ପରେ ତାପମାତ୍ରା କିଛି ମାତ୍ରାରେ ହ୍ରାସ ପାଇବା ସହ ପରିବେଶରେ ଶୀତଳତା ଅନୁଭୂତ ହୋଇଥିଲା। ତଥାପି ପାର୍ବଣର ଉତ୍ସବ ମଧ୍ୟରେ ହଠାତ୍ ବର୍ଷା ପୂଜା ମଣ୍ଡପ, ବଜାର ଓ ରାସ୍ତାଘାଟରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମକୁ କିଛି ସମୟ ପାଇଁ ମ୍ଲାନ କରିଦେଇଥିଲା। ବର୍ଷା ଥମିବା ପରେ ପୁଣିଥରେ ସହରରେ ଉତ୍ସବର ରଙ୍ଗ ଫେରିଥିବା ଦେଖାଯାଇଥିଲା।
