ମୀନାଝୋଲା ନଦୀରେ ବୁଡ଼ି ଯୁବକ ମୃତ,ପ୍ରବଳ ସ୍ରୋତ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା, ଓଡ୍ରାଫ୍ ଟିମ୍ର ଖୋଜାଖୋଜି ପରେ ମିଳିଲା ମୃତଦେହ
ଚନ୍ଦ୍ରପୁର | ହନୁମନ୍ତପୁର ପଞ୍ଚାୟତ ବକାଗୁଡ଼ା | କୈଳାସ ମାଳବିଶୋଇ ||
ଚନ୍ଦ୍ରପୁର -:ମାଛ ଧରିବାକୁ ଯାଇ ମୀନାଝୋଲା ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଚନ୍ଦ୍ରପୁର ଥାନା ଅନ୍ତର୍ଗତ ହନୁମନ୍ତପୁର ପଞ୍ଚାୟତ ବକାଗୁଡ଼ା ଗ୍ରାମର ଟିସୁରୁ ବିଏସ୍କା (୪୫)। ସୂଚନାନୁଯାୟୀ, ଟିସୁରୁ ଗତକାଲି ସକାଳେ ମାଛ ଧରିବା ପାଇଁ ମୀନାଝୋଲା ନଦୀକୁ ଯାଇଥିଲେ। ଦିନ ତମାମ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଏହି ସମୟରେ ନଦୀକୂଳରେ ତାଙ୍କ ବାଇକ୍ ଓ ବ୍ୟାଗ୍ ପଡ଼ିଥିବା ଦେଖିବାକୁ ମିଳିଥିଲା। ଫଳରେ ସେ ନଦୀରେ ବୁଡ଼ି ଯାଇଥିବା ନେଇ ପରିବାର ଲୋକେ ସନ୍ଦେହ କରି ହନମନ୍ତପୁର ସରପଞ୍ଚ ଙ୍କୁ ଖବର ଦେଇଥିଲେ ଘଟଣାସ୍ଥଳରେ ସରପଞ୍ଚ ପହଞ୍ଚି ଚନ୍ଦ୍ରପୁର ଥାନା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଚନ୍ଦ୍ରପୁର ଥାନା ଆଇ ଆଇ ସି ଶ୍ରୀ ହିମାଂଶୁ ଶେଖର ବାରିକ,ପୁଲିସ ଏସ ଆଇ, ନରସିଂହ ସାହୁ, ବାବୁଲା ପ୍ରଧାନ, କନେଷ୍ଟବଳ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ। ତେବେ ନଦୀରେ ପ୍ରବଳ ଜଳସ୍ରୋତ ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା। ପରେ ରାୟଗଡ଼ାରୁ ଓଡ୍ରାଫ୍ ଟିମ୍ ପହଞ୍ଚି ଖୋଜାଖୋଜି ଜାରି ରଖିଥିଲା। ଶେଷରେ ଟିସୁରୁଙ୍କ ମୃତଦେହ ଅନ୍ଦlରଲିମା ଗ୍ରାମ ନିକଟ ଡେଲବନ୍ଧ ଠାରେ ଗଛରେ ମରଶରୀର ଠାବ କରାଯାଇଥିଲା। ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଚନ୍ଦ୍ରପୁର ପୋଲିସ ଆଇଆଇସି ଶ୍ରୀ ବାରିକ ଙ୍କ ପକ୍ଷରୁ ସୂଚନା ମିଳିଛି।ଟିସୁରୁଙ୍କ ମୃତ୍ୟୁକୁ ନେଇ ପରିବାର ଓ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
