ବ୍ରହ୍ମପୁର, ୨୩ ଅକ୍ଟୋବର ୨୦୨୬ l ନ୍ୟୁଜ ନର୍ଭ ll ଟ୍ରେଡ୍ ୟୁନିଅନ୍ ସେଣ୍ଟର ଅଫ୍ ଇଣ୍ଡିଆ (TUCI), ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ସମ୍ବିଧାନ, ଗଣତନ୍ତ୍ର, ମତଦାନ ଅଧିକାର ଓ ଜୀବିକାର ସୁରକ୍ଷା ଦାବିରେ ଆଜି ବ୍ରହ୍ମପୁରର ଟାଟା ବେଞ୍ଜ ଛକରୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର (RDC)ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶତାଧିକ ଶ୍ରମିକ ଏକ ପ୍ରତିବାଦ ଶୋଭାଯାତ୍ରା କରିଥିଲେ। ପରେ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ RDCଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।ବକ୍ତାମାନେ ଅଭିଯୋଗ କରିଥିଲେ ଯେ, ଚାରିଟି ଶ୍ରମ ସଂହିତା ଶ୍ରମିକଙ୍କ ଅଧିକାରକୁ ଦୁର୍ବଳ କରୁଛି ଏବଂ ଘରୋଇକରଣ, ଛଟେଇ, ଠିକା ନିଯୁକ୍ତି ଓ ବେକାରୀ ଶ୍ରମଜୀବୀ ପରିବାରଙ୍କ ଜୀବିକାକୁ ସଙ୍କଟରେ ପକାଉଛି। ମନରେଗାକୁ ସୁଦୃଢ଼ କରି ଗ୍ରାମୀଣ ଶ୍ରମିକଙ୍କୁ ବର୍ଷତମାମ କାମ, ଉଚିତ ମଜୁରି ଓ ସମୟୋଚିତ ମଜୁରି ପ୍ରଦାନ ସହ କୃଷିଜାତ ଉତ୍ପାଦ ପାଇଁ ଆଇନଗତ ସର୍ବନିମ୍ନ ସମର୍ଥନ ମୂଲ୍ୟ (MSP) ସୁନିଶ୍ଚିତ କରିବାକୁ ଦାବି ହୋଇଥିଲା।ଓଡ଼ିଶାରେ ଖଣି ଖନନ ଓ ଶିଳ୍ପ ପ୍ରକଳ୍ପ ନାମରେ ଆଦିବାସୀ ଓ ସ୍ଥାନୀୟ ଲୋକଙ୍କ ଜଳ, ଜଙ୍ଗଲ, ଜମି ଓ ପାରମ୍ପରିକ ଜୀବିକା ଉପରେ ଆକ୍ରମଣ ବନ୍ଦ କରିବା ସହ ରାୟଗଡ଼ା ଓ କଳାହାଣ୍ଡି ଅଞ୍ଚଳରେ ଜନସ୍ୱାସ୍ଥ୍ୟ ଓ ଆଦିବାସୀ ଅଧିକାର ପାଇଁ କାମ କରୁଥିବା ଡାକ୍ତର ରାଣ୍ଡେଲ୍ ସେକ୍ୟୁରା ଏବଂ ଲକ୍ଷ୍ମଣ ନାୟକଙ୍କ ଗିରଫଦାରୀକୁ ନିନ୍ଦା କରାଯାଇଥିଲା।ନିର୍ବାଚନ ଆୟୋଗର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇ ବକ୍ତାମାନେ SIR ପ୍ରକ୍ରିୟା ବାତିଲ୍, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଗିରଫଦାରୀ, ମତଦାତା ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରଙ୍କ ନାମ ପୁନଃ ସାମିଲ୍ ଏବଂ EVM ବଦଳରେ ବାଲଟ୍ ପେପର୍ ମାଧ୍ୟମରେ ମତଦାନ ବ୍ୟବସ୍ଥା ପ୍ରଚଳନ ଦାବି କରିଥିଲେ। ଏହି ସମସ୍ତ ପ୍ରସଙ୍ଗରେ ରାଷ୍ଟ୍ରପତି ହସ୍ତକ୍ଷେପ କରି ସାମ୍ବିଧାନିକ ଅଧିକାରର ସୁରକ୍ଷା ସୁନିଶ୍ଚିତ କରିବାକୁ ଦାବି ହୋଇଥିଲା।ଏହି ପ୍ରତିବାଦରେ TUCI ରାଜ୍ୟ ସମ୍ପାଦକ ଶଙ୍କର ଇନକିଲାବ, ଓଡ଼ିଶା ମନରେଗା ଶ୍ରମିକ ୟୁନିଅନ୍ର ରାଜ୍ୟ ସମ୍ପାଦିକା ପି. ପାର୍ବତୀ, ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ୍ର ଜିଲ୍ଲା ସମ୍ପାଦକ ରାମଚନ୍ଦ୍ର ବାଡ଼ତ୍ୟାଙ୍କ ସମେତ ଯଶୋଦା ନାହକ, ରୁନୁ ନାହକ, ନନ୍ଦିନୀ ଦାସ, ସୁଶାନ୍ତ ଦାସ, ଲକ୍ଷ୍ମୀ ନାଇକ, ସାଗର ନାୟକଙ୍କ ସହ ଶତାଧିକ ମହିଳା ଓ ପୁରୁଷ ଶ୍ରମିକ ଯୋଗଦେଇଥିଲେ।ଟିୟୁସିଆଇର ଦାବି: ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା, SIR ବାତିଲ୍, ଚାରିଟି ଶ୍ରମ ସଂହିତା ରଦ୍ଦ, ମନରେଗାକୁ ସୁଦୃଢ଼ କରିବା, କୃଷକଙ୍କୁ ଆଇନଗତ MSP ପ୍ରଦାନ ଏବଂ ଶ୍ରମିକ, କୃଷକ, ଆଦିବାସୀ ଓ ଶୋଷିତ ବର୍ଗଙ୍କ ଅଧିକାରର ସୁରକ୍ଷା।
