ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଜଟଣୀ ସ୍ଥିତ ଗୋପୀନାଥଜୀ ମନ୍ଦିରରେ ଶୁକ୍ରବାର ଦିନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉପଲକ୍ଷେ ପୂଜା ଅର୍ଚ୍ଚନା ପାଇଁ ସକାଳୁ ହିଁ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏହି ଅବସରରେ ସକାଳ ୮ଟାରୁ ୧୧ ଟା ପର୍ଯ୍ୟନ୍ତ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଗୋପୀନାଥ ମନ୍ଦିରରେ ପହଞ୍ଚି ଆକର୍ଷଣୀୟ ବେଶ ଭୂଷାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରି ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କ ମନ ମୋହି ଥିଲେ। ମନ୍ଦିର କମିଟି ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ସୁସ୍ୱାଦୁ ମିଷ୍ଠାନ୍ନ ଏବଂ ଜଳପାନର ବ୍ୟବସ୍ଥା କରାଯାଇଥିଲା। ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ସନ୍ଧ୍ୟା ୬ଟାରୁ ୮ଟା ପର୍ଯ୍ୟନ୍ତ ପ୍ରସିଦ୍ଧ ଗାୟକ ବିଶ୍ୱନାଥ ପଟ୍ଟନାୟକ ଏବଂ ତାଙ୍କ ସାଥୀମାନଙ୍କ ଦ୍ୱାରା ଭଜନ ଗାୟନ କରାଯାଇଥିଲା, ତା’ପରେ ରାତି ୯ଟାରୁ ରାତି ୧୨ଟା ପର୍ଯ୍ୟନ୍ତ, ଶ୍ରୀକୃଷ୍ଣଙ୍କ ଜନ୍ମ ହବା ପର୍ଯ୍ୟନ୍ତ, କୋଲକାତା ରୁ ଆସିଥିବା ପ୍ରସିଦ୍ଧ ଭଜନ ଗାୟକ ପ୍ରକାଶ ମିଶ୍ରଙ୍କ ମଣ୍ଡଳୀ ଦ୍ୱାରା ଭଗବାନ ଶ୍ରୀକୃଷ୍ଣଙ୍କ ଭାବ ଭରା ଭଜନ ପ୍ରସ୍ତୁତ କରାଯାଇଥିଲା।ଗୋପୀନାଥ ମନ୍ଦିର କମିଟି ର ସଭାପତି ମହେଶ ଅଗ୍ରୱାଲ ଓ ସମ୍ପାଦକ ପ୍ରଦୀପ ଅଗ୍ରୱାଲଙ୍କ ନେତୃତ୍ବ ରେ ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ କୁ କମିଟି ଓ ସମାଜ ର ଅନେକ ଯୁବକ ସଂଚାଳିତ କରିଥିଲେ! ଏହି ଅବସରରେ ଗୋପୀନାଥ ମନ୍ଦିରକୁ ଆକର୍ଷଣୀୟ ଓ ସୁଗନ୍ଧିତ ଫୁଲ, ବେଲୁନ ଏବଂ ବିଭିନ୍ନ କଳାକୃତି ଦ୍ୱାରା ସଜାଯାଇଥିଲା। ସେପଟେ ଆନ୍ଧ୍ରା ବ୍ୟାଙ୍କ ନିକଟ ଗଳିରେ ଥିବା ସିଦ୍ଧ ମହାବୀର ମନ୍ଦିର ପୀଠରେ ମଧ୍ୟ ଶ୍ରୀକୃଷ୍ଣ ଜନ୍ମୋତ୍ସବ ପାଳନ କରାଯାଇଥିଲା, ସେଠାରେ ମଧ୍ୟ କଟକ ଏବଂ ଭୁବନେଶ୍ୱରରୁ ଆସିଥିବା ପ୍ରସିଦ୍ଧ ଭଜନ ଗାୟକମାନଙ୍କ ମଣ୍ଡଳୀ ନିଜର ସୁମଧୁର କଣ୍ଠରେ ଭଜନ ଗାୟନ କରି ଉପସ୍ଥିତ ଭକ୍ତମାନଙ୍କୁ ବେଶ୍ ଆନ୍ଦିତ କରିଥିଲେ। ସିଦ୍ଧ ମହାବୀର ମନ୍ଦିରର ସଂଯୋଜକ ଜଗଦୀଶ ଅଗ୍ରୱାଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜଟଣୀର ବିଭିନ୍ନ ବୈଷ୍ଣବ ମନ୍ଦିରରେ ମଧ୍ୟ ଶ୍ରୀକୃଷ୍ଣ ଜନ୍ମୋତ୍ସବ ଧୁମ ଧାମ ରେ ପାଳନ କରାଯାଇଥିବା ସୂଚନା ମିଳିଛି।
