ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ୧୮ତମ ବଳିଦାନ ଦିବସ ପାଇଁ ଜାଲେଶପଟ୍ଟାରେ ପ୍ରସ୍ତୁତି ଚୂଡ଼ାନ୍ତକଡ଼ା ସୁରକ୍ଷା ବଳୟରେ ଆଶ୍ରମ, ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ
ବାଲିଗୁଡା, ୦୩/୦୯ ସୁକାନ୍ତ କୁମାର ତ୍ରିପାଠୀ
ଜାଲେଶପଟ୍ଟା ସଂସ୍କୃତ କନ୍ୟାଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୮ତମ ବଳିଦାନ ଦିବସ ପାଳନକୁ ନେଇ ପ୍ରସ୍ତୁତି ଜୋରଦାର ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ପ୍ରଶାସନ ପକ୍ଷରୁ କଡ଼ାକଡ଼ି କରାଯାଇଛି। ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ କୌଣସି ପ୍ରକାର ଅଘଟଣକୁ ଏଡ଼ାଇବା ପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୁଲିସର ତୀକ୍ଷ୍ଣ ନଜର ରହିଛି।ଉତ୍ସବ ପୂର୍ବରୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ପ୍ରମୁଖ ଛକ ଓ ସମ୍ବେଦନଶୀଳ ସ୍ଥାନରେ ନାକା ପୋଷ୍ଟ ଖୋଲାଯାଇଛି। ଏଠାରେ ଯାନବାହନ ଯାଞ୍ଚକୁ ଗୁରୁତ୍ୱ ଦିଆଯାଉଛି। ଦୁଇଚକିଆ, ଚାରିଚକିଆ ସମେତ ବିଭିନ୍ନ ଯାନବାହନ ଯାଞ୍ଚ କରାଯାଉଥିବା ବେଳେ

ସନ୍ଦେହଜନକ ଗତିବିଧି ଉପରେ ପୁଲିସ ନଜର ରଖିଛି। ବିଭିନ୍ନ ସ୍ଥାନରେ ସାଧା ପୋଷାକଧାରୀ ପୁଲିସ କର୍ମଚାରୀଙ୍କୁ ମଧ୍ୟ ମୁତୟନ କରାଯାଇଛି।ଜାଲେଶପଟ୍ଟା ଆଶ୍ରମ ପରିସରରେ ସଶସ୍ତ୍ର ପୁଲିସ ବାହିନୀ ମୁତୟନ ହୋଇଛନ୍ତି। ଆଶ୍ରମକୁ ଆସୁଥିବା ଲୋକଙ୍କ ଗତିବିଧି ଉପରେ ମଧ୍ୟ ପୁଲିସ ପକ୍ଷରୁ ନଜର ରଖାଯାଉଛି। ଉତ୍ସବ ସମୟରେ ଭିଡ଼ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି।ଏହି ଅବସରରେ ଆଇନଶୃଙ୍ଖଳା ଆଇଜି ସଞ୍ଜୟ କୁମାର କନ୍ଧମାଳ ଜିଲ୍ଲାର ସୁରକ୍ଷା ଓ ଆଇନଶୃଙ୍ଖଳା ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିବା ଜଣାପଡ଼ିଛି। ପରେ ସେ ବାଲିଗୁଡ଼ା ଏସଡିପିଓ

ଶୁଭମ ଭୋସଲେଙ୍କ ସହ ଜାଲେଶପଟ୍ଟା ଆଶ୍ରମ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିଥିଲେ।ସମ୍ଭାବ୍ୟ ଅଘଟଣକୁ ରୋକିବା ପାଇଁ ଜାଲେଶପଟ୍ଟା ସମେତ ଆଖପାଖ ଅଞ୍ଚଳରେ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି। ତୁମୁଡ଼ିବନ୍ଧ ଥାନା ଅଧିକାରୀ ନିରଞ୍ଜନ ଦାଶଙ୍କ ସୂଚନା ଅନୁଯାୟୀ, ସମଗ୍ର ଅଞ୍ଚଳରେ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିଛି। ଉତ୍ସବ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି।
