ସ୍ୱାଭିମାନୀ ମଣିଷ ସୃଷ୍ଟି କରିବା ହିଁ ‘ବିପଦର ବନ୍ଧୁ ଓଡ଼ିଶା’ର ସର୍ବୋତ୍ତମ ଲକ୍ଷ୍ୟ
ଛତ୍ରପୁର, ସୁଶାନ୍ତ କୁମାର ସେଠୀ :
କ୍ଷଣସ୍ଥାୟୀ ସାହାଯ୍ୟରେ ସୀମିତ ନ ରହି ଅସହାୟ ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଚିରକାଳ ପାଇଁ ସ୍ୱାବଲମ୍ବୀ କରି ସ୍ୱାଭିମାନୀ ମଣିଷ ସୃଷ୍ଟି କରିବା ହେଉଛି ‘ବିପଦର ବନ୍ଧୁ ଓଡ଼ିଶା’ର ମୁଖ୍ୟ ଲକ୍ଷ୍ୟ।

ଏହି ମହତ୍ କାର୍ଯ୍ୟଧାରାରେ ଛତ୍ରପୁରସ୍ଥିତ ଆର୍ଯ୍ୟପଲ୍ଲୀ ଓଡ଼ିଆରପି କଲୋନୀର ବାସିନ୍ଦା ଭାଗ୍ୟଲକ୍ଷ୍ମୀ ବେହେରାଙ୍କ ବିପଦ ସମୟର ସାଥୀ ସାଜିଛି ‘ବିପଦର ବନ୍ଧୁ ଓଡ଼ିଶା’ ସଂଗଠନ।

ଶାରୀରିକ ଅକ୍ଷମତା ସତ୍ତ୍ୱେ ପିଲାଦିନରୁ ଜୀବନ ସହ ସଂଘର୍ଷ କରିଆସୁଥିବା ଭାଗ୍ୟଲକ୍ଷ୍ମୀ ନିଜେ ଜଣେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଜୀବନରେ ଆଉ ଜଣେ ଦିବ୍ୟାଙ୍ଗଙ୍କ ସହାରା ସାଜିବା ପାଇଁ ଅଣ୍ଟା ଭିଡ଼ିଥିଲେ। କିଛି ଦିନ ପୂର୍ବରୁ ସେ ବିବାହ କରିଥିଲେ। କିନ୍ତୁ ସୀମିତ ସୁବିଧା ଏବଂ ଦୁଇଜଣଙ୍କ ଗୁଜୁରାଣ ମେଣ୍ଟାଇବାର ଚିନ୍ତା ତାଙ୍କ ମନୋବଳକୁ ଦୁର୍ବଳ କରୁଥିଲା।

ଏଭଳି ପରିସ୍ଥିତିରେ ତାଙ୍କର ବିପଦର ବନ୍ଧୁ ସାଜି ଭାଗ୍ୟଲକ୍ଷ୍ମୀଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ସଂଗଠନ ପକ୍ଷରୁ ଏକ ଛୋଟ ଦୋକାନର ବ୍ୟବସ୍ଥା କରାଯାଇଛି। ସଂଗଠନର ସଦସ୍ୟମାନେ ତାଙ୍କ ପାଖରେ ପହଞ୍ଚି ଦୋକାନ ପାଇଁ ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିଛନ୍ତି। ସେହିପରି ଆଗାମୀ ଦିନରେ ମଧ୍ୟ ଭାଗ୍ୟଲକ୍ଷ୍ମୀ ଓ ତାଙ୍କ ପରିବାରର ସୁଖଦୁଃଖରେ ସଂଗଠନ ସାଥୀ ହୋଇ ରହିବ ବୋଲି ସଦସ୍ୟମାନେ ପ୍ରତିଶ୍ରୁତି ଦେଇଛନ୍ତି।

ସଂଗଠନର ଏହି ସହଯୋଗ ପାଇଁ ଭାଗ୍ୟଲକ୍ଷ୍ମୀ କୃତଜ୍ଞତା ପ୍ରକାଶ କରିବା ସହ କହିଛନ୍ତି ଯେ, ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ଏହି ସହଯୋଗକୁ ମନେ ରଖିବେ ଏବଂ ନିଜ ପରିଶ୍ରମ ଦ୍ୱାରା ସ୍ୱାବଲମ୍ବୀ ହୋଇ ସଂଗଠନର ମହତ୍ ଲକ୍ଷ୍ୟକୁ ସାକାର କରିବାକୁ ପ୍ରୟାସ କରିବେ।
“ସାହାଯ୍ୟ ନୁହେଁ, ସ୍ୱାବଲମ୍ବନ—ସ୍ୱାଭିମାନୀ ଜୀବନ ହିଁ ଆମର ଲକ୍ଷ୍ୟ।”


