୨୦୦୩ ବ୍ୟାଚ୍ ଓଡ଼ିଶା କାଡର ଆଇପିଏସ୍ ଅଧିକାରୀ ସେଫିନ୍ ଅହମ୍ମଦ କେ.ଙ୍କ ପରଲୋକ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

୨୦୦୩ ବ୍ୟାଚର ଓଡ଼ିଶା କାଡର ଆଇପିଏସ୍ ଅଧିକାରୀ ସେଫିନ୍ ଅହମ୍ମଦ କେ.ଙ୍କ ପରଲୋକ ଘଟିଛି। ତିରୁଅନନ୍ତପୁରମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।ମୂଳତଃ କେରଳ ରାଜ୍ୟର ବାସିନ୍ଦା ସେଫିନ୍ ଅହମ୍ମଦ କର୍କଟ ରୋଗରେ ପୀଡ଼ିତ ଥିଲେ। ସେ ଜୁଲାଇ ୨୦୨୩ ରୁ ଓଡ଼ିଶା କ୍ରାଇମବ୍ରାଞ୍ଚରେ ଇନ୍ସପେକ୍ଟର ଜେନେରାଲ (ଆଇଜି) ଭାବେ କାର୍ଯ୍ୟରତ ଥିଲେ।ବୃତ୍ତିରେ ଇଞ୍ଜିନିୟରିଂ ସ୍ନାତକ ସେଫିନ୍ ହେଉଛନ୍ତି ସିଟୁ ନେତା ହବିବଙ୍କ ପୁଅ। ସେ କିଛି ବର୍ଷ ପାଇଁ ଆନ୍ତଃ-କାଡର ଡେପୁଟେସନରେ କେରଳରେ ମଧ୍ୟ ସେବା କରିଥିଲେ। ସେ ତିରୁଅନନ୍ତପୁରମ୍ ଗ୍ରାମାଞ୍ଚଳ ଏସପି ଭାବେ କାର୍ଯ୍ୟ କରିଥିଲେ। ସାଇବର କ୍ରାଇମ୍ ବିଭାଗ ଏବଂ ସିଆଇଡି ସିବିରେ ତାଙ୍କର ଉଲ୍ଲେଖନୀୟ ସେବା ପାଇଁ ସେ ଅନେକ ସମ୍ମାନ ଓ ପଦକ ପାଇଥିଲେ।ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ସେ ଓଡ଼ିଶାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ, ଯେଉଁଥିରେ ଝାରସୁଗୁଡ଼ାର ପୁଲିସ୍ ଅଧୀକ୍ଷକ, ଦକ୍ଷିଣ-ପଶ୍ଚିମ ରେଞ୍ଜର ଡିଆଇଜି, ଡିଆଇଜି ଟେକ୍ନିକାଲ, ହୋମଗାର୍ଡର ଆଇଜିପି, ମାନବାଧିକାର ସୁରକ୍ଷା ସେଲର ଆଇଜିପି ଏବଂ ପୁଲିସ୍ ମୁଖ୍ୟାଳୟର ଡିଆଇଜି ଭାବେ କାର୍ଯ୍ୟ କରିଥିଲେ।ଏହି ବିଶିଷ୍ଟ ପୁଲିସ୍ ଅଧିକାରୀଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଫେସବୁକ୍ ପୋଷ୍ଟରେ ସେ ଲେଖିଛନ୍ତି, “ସିଆଇଡି, ସିବିର ଆଇ.ଜି. ସେଫିନ୍ ଅହମ୍ମଦ କେ., ଆଇପିଏସଙ୍କ ଅକାଳ ବିୟୋଗରେ ମୁଁ ଗଭୀର ଭାବେ ଦୁଃଖିତ। ରାଜ୍ୟ ଏବଂ ଓଡ଼ିଶା ପୁଲିସ୍ ପ୍ରତି ତାଙ୍କର ସମର୍ପିତ ସେବା ସର୍ବଦା ସ୍ମରଣୀୟ ରହିବ। ତାଙ୍କ ପରିବାର, ସହକର୍ମୀ ଏବଂ ପ୍ରିୟଜନଙ୍କ ପ୍ରତି ମୋର ହୃଦୟରୁ ସମବେଦନା। ତାଙ୍କ ଆତ୍ମାର ସଦଗତି ହେଉ।”

Smart Computer Ad
You might also like
error: Content is protected !!