ବାଲିଗୁଡ଼ା, ୨୧/୮: ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲା ବାଲିଗୁଡ଼ାସ୍ଥିତ ଉପଖଣ୍ଡ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଜାତୀୟ ବରିଷ୍ଠ ନାଗରିକ ଦିବସ ସ୍ଥାନୀୟ ସଭାଗୃହ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ପରେ ବନ୍ଦେ ମାତରମ୍ ସଙ୍ଗୀତ ଗାନ ସହ କାର୍ଯ୍ୟକ୍ରମର ଆନୁଷ୍ଠାନିକ ଉଦ୍ଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ଡେପୁଟି ଜିଲ୍ଲାପାଳ ସଞ୍ଜୀବ ରୂପା ମାଝୀ ଓ ଶ୍ରୀମତୀ ମମିତା କୁମାରୀ ପ୍ରଧାନ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସଭାପତି ସର୍ବେଶ୍ୱର ମିଶ୍ର ଉପସ୍ଥିତ ଥିଲେ। ଉପଖଣ୍ଡ ବରିଷ୍ଠ ନାଗରିକ ସଂଘର ଉପସଭାପତି ନନ୍ଦକିଶୋର ପଣ୍ଡା ଓ ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ।କାର୍ଯ୍ୟକ୍ରମ ଆରମ୍ଭରେ ସଂଘର ଦିବଂଗତ ସଭ୍ୟ ପୂର୍ଣ୍ଣଚନ୍ଦ୍ର କହଁର, ପଦ୍ମଚରଣ ପାଣିଗ୍ରାହୀ ଓ ସୀମାଞ୍ଚଳ ଆଚାର୍ଯ୍ୟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା। ଏଥିସହ ସେମାନଙ୍କ ଅମର ଆତ୍ମାର

ସଦ୍ଗତି କାମନା କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।ସଭ୍ୟ କାର୍ତ୍ତିକ ଚନ୍ଦ୍ର ସି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ ସଂଘର ବାର୍ଷିକ ବିବରଣୀ ପାଠ କରିଥିଲେ।ଏହି ଅବସରରେ ସଂଘର ବରିଷ୍ଠ ସଭ୍ୟ ଉମାଚରଣ ଦାଶ, ପରମେଶ୍ୱର ଡାକୁଆ, ରବୀନ୍ଦ୍ରନାଥ ରଥ, ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ଗୋପାଳ ପଟ୍ଟାୟତ, ପ୍ରଫୁଲ୍ଲ ଚନ୍ଦ୍ର ନାୟକ, ଜଳେଶ୍ୱର ଦିଗାଳ ଓ ଡି. ନାଗେଶ୍ୱର ରାଓଙ୍କ ସମେତ ପୂର୍ବତନ ସାମରିକ ଅଧିକାରୀ ଚୈତନ୍ୟ ପଲେଇ, ପୂର୍ବତନ ପୋଲିସ ଅଧିକାରୀ ପ୍ରଦୀପ କୁମାର ମଲିକ ଏବଂ ସମାଜସେବୀ ସଂଗଠନ ବିପଦର ବନ୍ଧୁ କୁ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା। ଅତିଥିମାନେ ସେମାନଙ୍କୁ ଉପଢ଼ୌକନ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ।କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ଶିକ୍ଷକ ସୁରେଶ ଚନ୍ଦ୍ର ଦାଶ ସଂଚାଳନ କରିଥିବା ବେଳେ ରାଜବୀର ଫାଉଣ୍ଡେସନର ପ୍ରତିଷ୍ଠାତା ଅମିତ କୁମାର ପଲେଇ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଜେବ୍ରାସ ଦିଗାଳ ଧନ୍ୟବାଦ ଅର୍ପଣ କରିଥିଲେ।

