ବାଲିଗୁଡ଼ା, ୧୭/୦୮: ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳରେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଜାରି ରହିଛି। ସକାଳଠାରୁ ଆକାଶ ମେଘାଚ୍ଛନ୍ନ ରହିବା ସହ ଥଣ୍ଡା ପବନ ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଅଞ୍ଚଳରେ ଶୀତଳ ପରିବେଶ ସୃଷ୍ଟି ହୋଇଛି।ଅନ୍ୟପଟେ ଲଗାଣ ବର୍ଷାକୁ ଖାତିର ନକରି ବାଲିଗୁଡ଼ା ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଶିବ ମନ୍ଦିରରେ କାଉଁରିଆ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ପୁରୁଷ ଓ ମହିଳା ଭକ୍ତମାନେ ସକାଳୁ ମନ୍ଦିରରେ ପହଞ୍ଚି ଶ୍ରଦ୍ଧାର ସହ ମହାଦେବଙ୍କ ଜଳାଭିଷେକ କରିଛନ୍ତି। ହର ହର ମହାଦେବ ଧ୍ୱନିରେ ଶିବ ମନ୍ଦିର ପରିସର ଭକ୍ତିମୟ ହୋଇଉଠିଛି।ବର୍ଷା ଓ ଥଣ୍ଡା ପବନ ମଧ୍ୟରେ ମଧ୍ୟ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ କମିନଥିବା ଦେଖାଯାଇଛି। ବିଭିନ୍ନ ସ୍ଥାନରୁ କାଉଁରିଆମାନେ ଜଳ ନେଇ ଶିବ ମନ୍ଦିରରେ ପହଞ୍ଚି ଜଳାଭିଷେକ କରିଥିଲେ। ଲଗାଣ ବର୍ଷା ସତ୍ତ୍ୱେ ଭକ୍ତଙ୍କ ଉପସ୍ଥିତି ଶିବଭକ୍ତିର ଅନନ୍ୟ ଦୃଶ୍ୟ ସୃଷ୍ଟି କରିଥିଲା।ଲଘୁଚାପ ପ୍ରଭାବରେ ଆଗାମୀ ସମୟରେ ଆହୁରି ବର୍ଷା ହେବାର ସମ୍ଭାବନା ଥିବାରୁ ଯାତାୟାତ ସମୟରେ ଭକ୍ତ ଓ ସାଧାରଣ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।
