ବାଲିଗୁଡା, ୪/୮: ସୁକାନ୍ତ କୁମାର ତ୍ରିପାଠୀ
ବାଲିଗୁଡା ବ୍ଲକ ଅନ୍ତର୍ଗତ ବାଟାଗୁଡା ପଞ୍ଚାୟତର ଗଞ୍ଜୁଗୁଡା ଉପ୍ରା ବିଦ୍ୟାଳୟ ପରିସରରେ ୨୦୨୬-୨୭ ଶିକ୍ଷାବର୍ଷର ପ୍ରଥମ ଅଭିଭାବକ, ବିଦ୍ୟାଳୟ ପରିଚାଳନା ସମିତି (ଏସ୍ଏମ୍ସି) ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି।ପୂର୍ବ ସୂଚନା ଅନୁଯାୟୀ ଆୟୋଜିତ ଏହି ବୈଠକରେ ୮୫ ଜଣ ଅଭିଭାବକ, ଏସ୍ଏମ୍ସି ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ଥିଲେ। ପ୍ରଧାନଶିକ୍ଷୟିତ୍ରୀ ସସ୍ମିତା ପଣ୍ଡା ଅତିଥିମାନଙ୍କୁ ସ୍ୱାଗତ ଜଣାଇ ବୈଠକର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ବିଦ୍ୟାଳୟର ସର୍ବାଙ୍ଗୀଣ ଉନ୍ନତି ସହ ବିଭିନ୍ନ ଶିକ୍ଷାମୂଳକ କାର୍ଯ୍ୟକ୍ରମରେ ଅଭିଭାବକଙ୍କ ସକ୍ରିୟ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ, ସେଥିପ୍ରତି ସେ ଗୁରୁତ୍ୱାରୋପ କରିଥିଲେ।ବୈଠକରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନୁପାତରେ ଶ୍ରେଣୀକୋଠରୀର ଅଭାବ ଥିବା ପ୍ରସଙ୍ଗ ଉଠିଥିଲା। ଏହାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅଭିଭାବକମାନେ ମତ ପ୍ରକାଶ କରିଥିଲେ।ଏହାବ୍ୟତୀତ ‘ମା’ ପାଇଁ ଗଛଟିଏ, ‘ଘର ଘର ତ୍ରିରଙ୍ଗା’, ଆକଳନ ରୂପରେଖା ଏବଂ ଡିଜିଟାଲ ଦୁନିଆରେ ପିଲାମାନଙ୍କ ସୁରକ୍ଷା ଭଳି ବିଷୟ ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା।ଶେଷରେ ଶିକ୍ଷୟିତ୍ରୀ ବିଦ୍ୟୁତପ୍ରଭା ନାୟକ ଉପସ୍ଥିତ ସମସ୍ତ ଅଭିଭାବକ, ଏସ୍ଏମ୍ସି ସଦସ୍ୟ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଜଣାଇ ବୈଠକର ସମାପନ କରିଥିଲେ।