ବିଶ୍ୱାସ ଓ ବୈଭବର ଯାତ୍ରାଭୁବନେଶ୍ୱରରୁ ପବିତ୍ର ତପ୍ତପାଣି ପର୍ଯ୍ୟନ୍ତ ମାନ୍ୟବର ରାଷ୍ଟ୍ରପତିଙ୍କ ଐତିହାସିକ ଗସ୍ତ

ବ୍ରହ୍ମପୁର,(ବିଚିତ୍ରସାହୁ):-

ପ୍ରକୃତି, ପରମ୍ପରା ଓ ଆଧ୍ୟାତ୍ମିକତା ଏକ ଅପୂର୍ବ ସମନ୍ୱୟର ସାକ୍ଷୀ ପାଲଟିଲା ଗଞ୍ଜାମ। ଭାରତର ପ୍ରଥମ ନାଗରିକ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦୁଇ ଦିନିଆ ଗଞ୍ଜାମ ଗସ୍ତ କେବଳ ଏକ ସରକାରୀ କାର୍ଯ୍ୟକ୍ରମରେ ସୀମିତ ରହିନଥିଲା; ଏହା ଥିଲା ଓଡ଼ିଶାର ସାଂସ୍କୃତିକ ଚେତନା, ପ୍ରାକୃତିକ ବୈଭବ ଓ ଜନଆସ୍ଥାର ଏକ ଅନନ୍ୟ ଉତ୍ସବ।ଭୁବନେଶ୍ୱରରୁ ରେଳ ଯୋଗେ ଯାତ୍ରା ଆରମ୍ଭ କରିବା ପରେ ଚିଲିକାର ନୀଳ ଜଳରାଶି, ସବୁଜ ଧାନକ୍ଷେତ, ଘନନୀଳ ବନାନୀ ଓ ଗ୍ରାମୀଣ ଜୀବନର ସରଳ ସୌନ୍ଦର୍ଯ୍ୟ ମାଧ୍ୟମରେ ଆଗେଇ ଚାଲିଥିଲା ଏହି ଗୌରବମୟ ଯାତ୍ରା। ପ୍ରକୃତି ନିଜେ ମାନ୍ୟବର ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଉଥିଲା। ଏହା ହେଉଛି ଓଡିଶା। ରେଳପଥର ବିଭିନ୍ନ ଷ୍ଟେସନ, ଲେଭେଲ୍ କ୍ରସିଂ ଓ ଜନବସତିରେ ହଜାର ହଜାର ଜନସାଧାରଣ, ଛାତ୍ରଛାତ୍ରୀ ଏବଂ ଲୋକକଳାକାରମାନେ ହାତରେ ଜାତୀୟ ପତାକା ଓ ବାଦ୍ୟଯନ୍ତ୍ର ଧରି ଉତ୍ସାହର ସହ ଅପେକ୍ଷା କରିଥିଲେ। ସେମାନଙ୍କର ଉତ୍ସାହ, ଆନନ୍ଦ ଓ ଆତ୍ମୀୟ ସ୍ୱାଗତ ଏହି ଯାତ୍ରାକୁ ଏକ ଜନଉତ୍ସବରେ ପରିଣତ କରିଥିଲା।ପୂର୍ବାହ୍ନ ୧୧ଟା ୧୦ ମିନିଟ୍‌ରେ ବ୍ରହ୍ମପୁର ରେଳଷ୍ଟେସନରେ ପହଞ୍ଚିବା ପରେ ସତୀର୍ଥ ସଂକୀର୍ତ୍ତନ, ଶୁଭ ଶଙ୍ଖଧ୍ୱନି, ଘଣ୍ଟନାଦ, ବ୍ୟାଘ୍ର ନୃତ୍ୟ ଓ ଗଞ୍ଜାମର ବିବିଧ ଲୋକକଳାର ମନୋମୁଗ୍ଧକର ପରିବେଷଣ ମଧ୍ୟରେ ମାନ୍ୟବର ରାଷ୍ଟ୍ରପତିଙ୍କୁ ଭବ୍ୟ ଅଭ୍ୟର୍ଥନା ଜଣାଯାଇଥିଲା। ସମଗ୍ର ପରିବେଶ ଭକ୍ତି, ପରମ୍ପରା ଓ ଗୌରବର ଅନନ୍ୟ ସମାଗମରେ ପରିଣତ ହୋଇଥିଲା।ବ୍ରହ୍ମପୁରରୁ ତପ୍ତପାଣି ଅଭିମୁଖେ ଯାତ୍ରା ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ଗଞ୍ଜାମବାସୀ ମାନ୍ୟବର ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଥିଲେ। ସବୁଜ ପାହାଡ଼, ଘଞ୍ଚ ଅରଣ୍ୟ ଓ ପ୍ରକୃତିର ଅପରୂପ ଶୋଭା ମଧ୍ୟରେ ଏହି ଯାତ୍ରା ଗଞ୍ଜାମର ପର୍ଯ୍ୟଟନ ସମ୍ଭାବନାର ଏକ ଜୀବନ୍ତ ପରିଚୟ ପ୍ରଦାନ କରିଥିଲା।ପବିତ୍ର ତପ୍ତପାଣିରେ ପହଞ୍ଚି ମାନ୍ୟବର ରାଷ୍ଟ୍ରପତି ମା’ କାନ୍ଧୁଣୀ ଦେବୀ ଓ ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଦିବ୍ୟ ଆରତିରେ ଅଂଶଗ୍ରହଣ କରିଥିଲେ। ପ୍ରକୃତିର କୋଳରେ ଅବସ୍ଥିତ ଏହି ପବିତ୍ର ପୀଠ ଆଦିବାସୀ ପରମ୍ପରା, ଆଧ୍ୟାତ୍ମିକ ଚେତନା ଓ ଲୋକବିଶ୍ୱାସର ଏକ ଜୀବନ୍ତ ପ୍ରତୀକ।ଏହି ଗସ୍ତ ଗଞ୍ଜାମର ପର୍ଯ୍ୟଟନ, ସଂସ୍କୃତି ଓ ଧାର୍ମିକ ଐତିହ୍ୟକୁ ଜାତୀୟ ସ୍ତରରେ ନୂତନ ପରିଚୟ ପ୍ରଦାନ କରିବା ସହ ଜିଲ୍ଲାର ବିକାଶ ଯାତ୍ରାକୁ ଆହୁରି ଗତିଶୀଳ କରିବ ବୋଲି ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଭି କୀର୍ତ୍ତି ଭାସନ ଉଲ୍ଲେଖ କରିଛନ୍ତି । ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ, ସ୍ଥାନୀୟ ରୋଜଗାର ସୃଷ୍ଟି ଏବଂ ବିଶେଷକରି ଆଦିବାସୀ ଅଞ୍ଚଳର ଆର୍ଥିକ ସଶକ୍ତିକରଣ ଦିଗରେ ଏହି ଗସ୍ତ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି ।ମାନ୍ୟବର ରାଷ୍ଟ୍ରପତିଙ୍କ ଏହି ଐତିହାସିକ ଗସ୍ତ ଗଞ୍ଜାମ ଜିଲ୍ଲାପାଇଁ ଅତ୍ୟନ୍ତ ଗର୍ବର ବିଷୟ , କଳା ସାହିତ୍ୟ ମନସ୍କ ଗଞ୍ଜାମ ମାଟିର ସମୃଦ୍ଧ ସଂସ୍କୃତି, ଅତିଥି ସତ୍କାର ପରମ୍ପରା ଓ ପର୍ଯ୍ୟଟନ ସମ୍ଭାବନାକୁ ସମଗ୍ର ଦେଶ ସମ୍ମୁଖରେ ଆହୁରି ଉଜ୍ଜ୍ୱଳ କରିବାର ଏକ ଐତିହାସିକ ଅବସର ଭାବେ ସ୍ମରଣୀୟ ହୋଇ ରହିବ।ସୌରଭ ପ୍ରଧାନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଗଞ୍ଜାମ

You might also like
error: Content is protected !!