ଭୁବନେଶ୍ୱର,(ବିଚିତ୍ର ସାହୁ):-
ଅତିଥି ଦେବୋ ଭବ” ର ପରମ୍ପରାକୁ ଅକ୍ଷରଶଃ ପ୍ରମାଣିତ କରି ଭଦ୍ରକ ମାଟି ଯେଉଁ ଇତିହାସ ରଚନା କଲା, ତାହା ସାରା ଓଡ଼ିଶାର ସାମ୍ବାଦିକ ଜଗତ ପାଇଁ ଏକ ଅଭୁଲା ସ୍ମୃତି ହୋଇ ରହିବ।ଓଡ଼ିଶା ଉତ୍କଳ ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ ତଥା ଭଦ୍ରକ ଜିଲ୍ଲା ସାମ୍ବାଦିକ ସଂଘର ତ୍ରି ଦିବସୀୟ ଉତ୍ସବ ଅବସରରେ ଆମ ପ୍ରତି ପ୍ରଦର୍ଶିତ ହୋଇଥିବା ଅତ୍ୟନ୍ତ ଉଚ୍ଚ କୋଟିର ଆତିଥେୟତା ଏବଂ ସ୍ନେହ-ଆଦର ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘକୁ ଗଭୀର ଭାବେ ଅନୁପ୍ରାଣିତ ଓ ଆନ୍ଦୋଳିତ କରିଛି। ଇତ୍ୟାବସରରେ ଭଦ୍ରକର ପ୍ରମୁଖ ଦୈବୀପୀଠ ମା’ ଭଦ୍ରକାଳୀ ଏବଂ ଆରଡ଼ି ସ୍ଥିତ ବାବା ଶ୍ରୀ ଆଖଣ୍ଡଳମଣିଙ୍କ ଭବ୍ୟ ମନ୍ଦିର ଦର୍ଶନ ସହିତ ମହାପ୍ରସାଦ ସେବନର ଯେଉଁ ସୁନ୍ଦର ଓ ସୁଚାରୁ ବ୍ୟବସ୍ଥା କରାଯାଇଥିଲା, ତାହା ଆମ ସମସ୍ତଙ୍କ ମନରେ ଏକ ଦିବ୍ୟ ଶାନ୍ତି ଏବଂ ଭାତୃଭାବ ଜାଗ୍ରତ କରିଛି। ସାମ୍ବାଦିକତାର ବ୍ୟସ୍ତବହୁଳ ଜୀବନ ଭିତରେ ଏହି ଆଧ୍ୟାତ୍ମିକ ଅନୁଭୂତି ସତରେ ଅନନ୍ୟ ଥିଲା। ଏହି ଅଭୂତପୂର୍ବ ସଫଳ ଆୟୋଜନ ପାଇଁ ଆମେ ଆମର ହୃଦୟର ସମସ୍ତ ସ୍ନେହ ଓ ଶ୍ରଦ୍ଧା ଅଜାଡ଼ି ଦେଉଛୁସମ୍ମାନୀୟ ରବି ଭାଇ (ଭଦ୍ରକ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି) ଏବଂ ଆଦରଣୀୟ ଅପୂର୍ବ ବାବୁଙ୍କ ସଫଳ ନେତୃତ୍ୱ ମାନଙ୍କ ସହିତ ଭଦ୍ରକ ଜିଲ୍ଲାର ସମସ୍ତ ସଂଗ୍ରାମୀ କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ, ଆସୁରାଳୀ ପ୍ରେସ କ୍ଲବ ଏବଂ ଧୂଷୁରୀ ପ୍ରେସ କ୍ଲବର ସମସ୍ତ ସାରସ୍ୱତ ସାଥୀମାନଙ୍କୁ l ଯେଉଁମାନଙ୍କ ଦିନରାତିର ପରିଶ୍ରମ ଏହି କାର୍ଯ୍ୟକ୍ରମକୁ ଏକ ମହୋତ୍ସବର ରୂପ ଦେଇଥିଲା।”ସାମ୍ବାଦିକତା ଆମର ବୃତ୍ତି ଏବଂ ସଂଗଠନ ଆମର ଶକ୍ତି।” ଭଦ୍ରକ ଜିଲ୍ଲା ସଂଘର ଏହି ଆତିଥେୟତା ଆମ ଭିତରେ ଥିବା ପେଷାଦାର ଓ ସାଂଗଠନିକ ସମ୍ପର୍କକୁ ଆହୁରି ନିବିଡ଼ ଓ ମଜବୁତ କରିଛି। ଆପଣମାନଙ୍କର ଏହି ଭଲପାଇବାକୁ ଆମେ ସଦାସର୍ବଦା ପାଥେୟ କରି ରଖିବୁ। ଏହି ଅବସରରେ ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ (ଉତ୍କଳ ସାମ୍ବାଦିକ ସଂଘ, ଓଡ଼ିଶା ସହ ଅନୁବନ୍ଧିତ) ର ସଭାପତି, ସାଧାରଣ ସମ୍ପାଦକ,କାର୍ଯ୍ୟକାରୀ ସଭାପତି,ଉପସଭାପତିଙ୍କ ସମେତସମସ୍ତ କର୍ମକର୍ତ୍ତା ଭଦ୍ରକ ଜିଲ୍ଲା ସାମ୍ବାଦିକ ସଂଘର ସମସ୍ତ ସଦସ୍ୟଙ୍କ ଉତ୍ତରୋତ୍ତର ଉନ୍ନତି ଓ ସୁସ୍ଥ ଜୀବନ କାମନା କରିବା ସହ ମା’ ଭଦ୍ରକାଳୀ ଓ ବାବା ଆଖଣ୍ଡଳମଣିଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛୁ।
